ଭୁବନେଶ୍ବର: କେଉଁ ଦିନ ପାଳନ ହେବ ସରସ୍ବତୀ ପୂଜା? ରବିବାର ୨ ତାରିଖ ନା ସୋମବାର ୩ ତାରିଖ। ଏହାକୁ ନେଇ ଉପୁଜିଛି ଦ୍ବନ୍ଦ୍ବ। କେତେକ ପାଞ୍ଜି ୨ ତାରିଖରେ ପଞ୍ଚମୀ ପଡୁଥିବା ଲେଖିଥିବା ବେଳେ ଆଉ କେତେକ ପାଞ୍ଜି ୩ ତାରିଖ ସୋମବାର ସକାଳକୁ ପଞ୍ଚମୀ ଥିବାରୁ ସେଦିନ ସରସ୍ବତୀ ପୂଜା ହେବ ବୋଲି ଲେଖିଛନ୍ତି। ଏହାକୁ ନେଇ ଆଜି ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ ଓ ଭାଗ୍ୟଜ୍ୟୋତି ପ୍ରକାଶନ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଫେବ୍ରୁଆରି ୨ ତାରିଖ ରବିବାର ପୂର୍ବାହ୍ଣ ୯ଟା ୧୪ ପର୍ଯ୍ୟନ୍ତ ଚତୁର୍ଥୀ ଅଛି। ତା’ପରେ ପଞ୍ଚମୀ ଆରମ୍ଭ ହୋଇ ୩ ତାରିଖ ସୋମବାର ପୂର୍ବାହ୍ଣ ୬ଟା ୫୩ ପର୍ଯ୍ୟନ୍ତ ରହୁଛି। ପାଞ୍ଜିଭେଦରେ ଏହି ସମୟରେ ସାମାନ୍ୟ ଫରକ ଥିଲେ ବି ସବୁ ପାଞ୍ଜିରେ ସୂର୍ଯ୍ୟୋଦୟ ଓ ଷଷ୍ଠୀଯୁକ୍ତା ପଞ୍ଚମୀ ୩ ତାରିଖ ସୋମବାର ହିଁ ରହୁଛି। ତେଣୁ ୩ ତାରିଖରେ ପୂଜା ପାଳନୀୟ ବୋଲି ସବୁ ପଣ୍ଡିତ ଓ ପାଞ୍ଜିଗଣକ ମତ ରଖିଥିଲେ। ୩ ତାରିଖ ସରସ୍ବତୀ ପୂଜା ହେବ। କିନ୍ତୁ ସେଦିନ ତ୍ର୍ୟହସ୍ପର୍ଶ, କ୍ଷୟାତିଥି, ଗଣ୍ଡ ଓ ବିଦ୍ଧ ନକ୍ଷତ୍ର ହେତୁ ଶୁଭକର୍ମ କରାଯିବାକୁ ବାରଣ କରାଯାଇଛି। ତେବେ ୨ ତାରିଖ ଦିନ ବିବାହ, ବ୍ରତ, ଜଳାଶୟ ଖନନ, ପୁଂସବନ, ସୀମନ୍ତୋନ୍ନୟନ, ଅନ୍ନପ୍ରାଶନ, ଦେବତା ପ୍ରତିଷ୍ଠା ଭଳି ଶୁଭକାର୍ଯ୍ୟ ‌ହୋଇପାରିବ ବୋଲି ଜ୍ୟୋତିର୍ବିଦ୍‌ମାନେ ମତ ରଖିଛନ୍ତି।

Advertisment

‘ସୋମବାର ସୂର୍ଯ୍ୟୋଦୟକୁ ପଞ୍ଚମୀ ରହୁଥିବାରୁ ସେଦିନ ପୂଜା ହେବ’ 
ରବିବାର ହେବ ଶୁଭକାର୍ଯ୍ୟ

ଉପସ୍ଥିତ ଜ୍ୟୋତିର୍ବିଦ୍‌ଙ୍କ କହିବା କଥା, ସୂର୍ଯ୍ୟୋଦୟ ବେଳକୁ ପଞ୍ଚମୀ ତିଥି ରହୁଥିଲେ ସରସ୍ବତୀ ପୂଜା ବା ବସନ୍ତ ପଞ୍ଚମୀ ପାଳନ କରାଯାଏ। କିନ୍ତୁ ସୂର୍ଯ୍ୟୋ‌ଦୟ ବେଳକୁ ଚତୁର୍ଥୀ ଥିଲେ ବସନ୍ତ ପଞ୍ଚମୀ ପାଳନ ହୋଇପାରିବନି। ବ୍ରହ୍ମବୈବର୍ତ୍ତ ପୁରାଣରେ ଅଛି ‘‘ପଞ୍ଚମୀ ତୁ ସଦା କାର୍ଯ୍ୟା ଷଷ୍ଠୀଯୁକ୍ତା ଚ ନାରଦ। ନ ଚତୁର୍ଥୀଯୁତା କାର୍ଯ୍ୟା ବସନ୍ତୋତ୍ସବ କର୍ମଣି।’’ ଅର୍ଥାତ୍ ବସନ୍ତ ପଞ୍ଚମୀ ଷଷ୍ଠୀଯୁକ୍ତା ହେଲେ ହିଁ ପାଳନ ହୁଏ, କଦାପି ଚତୁର୍ଥୀଯୁକ୍ତାରେ ପାଳନ ହୁଏ ନାହିଁ। ପୁନଶ୍ଚ ସ୍ମୃତିଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଯେଉଁ ତିଥିରେ ଉଦୟ ହୁଅନ୍ତି, ସେହି ତିଥି ସମସ୍ତ ଦେବପୂଜା ଓ ଅଧ୍ୟୟନ ଆଦି କାର୍ଯ୍ୟରେ ଗ୍ରହଣୀୟ। ଆଲୋଚନାରେ ସଭାପତିତ୍ବ କରି ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦର ସଭାପତି ତଥା ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଥିଲେ ଯେ, ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ବସନ୍ତ ପଞ୍ଚମୀର ଶାହୀ ସ୍ନାନ ଫେବ୍ରୁଆରି ୩ ତାରିଖରେ ହିଁ ଅଛି। ସାରା ଭାରତରେ ୩ ତାରିଖରେ ସରସ୍ବତୀ ପୂଜା ପାଳନ କରାଯାଉଥିବା ବେଳେ ଓଡ଼ିଶାରେ କେତେକ ପାରମ୍ପରିକ ପାଞ୍ଜି ଓ ମୁକ୍ତିମଣ୍ଡପ ପଣ୍ଡିତ ସଭା ଭୁଲ୍ ଦିନ ନିର୍ଦ୍ଧାରଣ କରି ଧର୍ମପ୍ରାଣ ଓଡ଼ିଆ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି। ଅନ୍ୟପଟେ କେତେକ ପ୍ରମୁଖ ପାଞ୍ଜିରେ ସରସ୍ବତୀ ପୂଜା ୨ ତାରିଖରେ ଥିବାରୁ ଶିକ୍ଷାନୁଷ୍ଠାନ, ବ୍ୟାବସାୟିକ ଅନୁଷ୍ଠାନ, ସାମାଜିକ ଅନୁଷ୍ଠାନମାନଙ୍କରେ ୨ ତାରିଖ‌ରେ ସରସ୍ବତୀଙ୍କ ପୂଜା ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ଭିନ୍ନମତ ପ୍ରକାଶ ପାଉଥିବାରୁ ସମସ୍ୟା ଉପୁଜିଛି। ଏହି ଆଲୋଚନାଚକ୍ରରେ ଜ୍ୟୋତିର୍ବିଦ୍ୟା ବାଚସ୍ପତି ବୈକୁଣ୍ଠନାଥ ନାୟକ, ପଣ୍ଡିତ ଗୁରୁପ୍ରସାଦ ରଥ, ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ଗଣକ ଜ୍ୟୋତିର୍ବିଦ୍ୟା ବାରିଧି ଦୋଳଗୋବିନ୍ଦ ପଣ୍ଡା, ମୁକ୍ତିମଣ୍ଡପ ପଣ୍ଡିତସଭାର ସଦସ୍ୟ ତଥା ସ୍ତମ୍ଭକାର ଓ ପାଞ୍ଜି ସମୀକ୍ଷକ ପଣ୍ଡିତ ହରିଶଙ୍କର ମିଶ୍ର, ଜ୍ୟୋତିର୍ବିଦ୍ୟା ବାରିଧି ନାରାୟଣ ମଲ୍ଲିକ, ଭାଗ୍ୟଜ୍ୟୋତିର ଶ୍ରୀକ୍ଷେତ୍ର ଓ ପରମେଶ୍ବରୀ ପଞ୍ଜିକାର ପ୍ରକାଶକ ରଞ୍ଜନ କୁମାର ସେନାପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।