ହିତାଧିକାରୀ କାଟିବା ଯୋଡ଼ିବା ନେଇ ବିବାଦ: ପଞ୍ଚାୟତ ସମିତି ପରିସରରେ ହାତାହାତି

ବାସୁଦେବପୁର: ବାସୁଦେବପୁର ବ୍ଲକ ଅରଣ୍ଡୁଅା ପଞ୍ଚାୟତର ସରକାରୀ ଯୋଜନାକୁ ନେଇ ଏକ ଭିନ୍ନ ପରିସ୍ଥିତି ଦେଖିବାକୁ ମିଳିଛି ହିତାଧିକାରୀ କାଟିବା ଯୋଡିବା ବିବାଦ ଉଗ୍ରରୂପ ଧାରଣ କରିଛି। ବିବାଦ ଗାଁରୁ ଯାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚିଛି। ଏମିତିକି ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝା ବ୍ଲକ କାର୍ଯ୍ୟାଳୟ ପରିସରରେ ହାତାହାତିରେ ପହଞ୍ଚିଛି।

ପଞ୍ଚାୟତବାସୀଙ୍କ କହିବା ଅନୁଯାୟୀ ଉକ୍ତ ପଞ୍ଚାୟତଟି ପୂର୍ବରୁ ବିଜେଡି ସମର୍ଥିତ ସରପଞ୍ଚ କବଜାରେ ରହିଥିଲା। ମାତ୍ର ଗତ ନିର୍ବାଚନରେ ଏହା ବିଜେପି ଦଖଲକୁ ଯାଇଥିବା ବେଳେ ଶାସକ ବିଜେଡି ନିଜର ଦବଦବା ଜାହିର କରିବାକୁ ପ୍ରୟାସ କରୁଛି। ଫଳରେ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ ଚୟନ ବିବାଦୀୟ ସ୍ଥିତିରେ ପହଞ୍ଚିଛି। ସ୍ଥାନୀୟ ସରପଞ୍ଚଙ୍କ ଗୋଷ୍ଠୀ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ପଞ୍ଚାୟତ ସମିତିକୁ ପଠାଇଥିବା ବେଳେ ଶାସକ ଗୋଷ୍ଠୀ ତାହାକୁ ବଦଳାଉଥିବା ଅଭିଯୋଗ ସାମନାକୁ ଆସିଛି।

ଏହି ବିବାଦ ଉଗ୍ରରୂପ ଧାରଣ କରିବାକୁ ଲାଗିଥିଲା। ଅାଜି ମଧ୍ୟାହ୍ନରେ ଶାସକ ଦଳର ପୂର୍ବତନ ସରପଞ୍ଚ ବ୍ଲକ କାର୍ଯ୍ୟାଳୟର ଏକ କୋଠରିରେ ଜଣେ ଅଧିକାରୀଙ୍କ ସହ କୌଣସି ଏକ ଘଟଣାକୁ ନେଇ ଆଲୋଚନାରେ ବ୍ୟସ୍ତ ରହିଥିବା ବେଳେ ଅପରଗୋଷ୍ଠୀର କେତେକ ଯୁବକ ସେହି କୋଠରିରେ ପହଞ୍ଚିଥିଲେ। ସେଠାରେ ଉଭୟ ପକ୍ଷ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ପରେ ଏହା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଏହି ଘଟଣା ପ୍ରଚାର ହେବା ପରେ କ୍ଷଣିକ ମଧ୍ୟରେ ଉଭୟ ଗୋଷ୍ଠୀର ଶତାଧିକ ସମର୍ଥକ ସେଠାରେ ରୁଣ୍ଡ ହୋଇଥିଲେ। ଫଳରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଘଟଣାସ୍ଥଳରେ ପୁଲିସ ଓ ଆଗଧାଡିର କେତେକ ଦଳୀୟ ମୁଖିଅା ପହଞ୍ଚିବା  ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ଘଟଣା ନେଇ ସ୍ଥାନୀୟ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନନାହିଁ।

ସମ୍ବନ୍ଧିତ ଖବର