ଅନୁଗୁଳ: ତାଳଚେରସ୍ଥିତ ମେଡିକାଲ କଲେଜ ଓ ଡାକ୍ତରଖାନା କାର୍ଯ୍ୟକ୍ଷମ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଠିକ୍ ଏହି ସମୟରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ତାଳଚେରରେ ମେଡିକାଲ କଲେଜ ଓ ଡାକ୍ତରଖାନା କାହିଁକି କରାଯାଉନି ବୋଲି ବିଜେଡି ପ୍ରଶ୍ନ କରି ଆନ୍ଦୋଳନ ଧମକ ଦେଇଛି। ଏପଟେ ମେଡିକାଲ କଲେଜକୁ ନେଇ ରାଜନୀତି କରାଯାଉଛି ବୋଲି ବିଜେପି ଅଭିଯୋଗ କରିବା ସହ ଏ ପର୍ଯ୍ୟନ୍ତ କାହିଁକି ମେଡିକାଲ କଲେଜ ଖୋଲା ଯାଇପାରି ନଥିଲା, ତାର ଉତ୍ତର ବିଜେଡି ଦେଉ ବୋଲି କହିଛି। ୨୦୨୫-୨୬ ଶିକ୍ଷାବର୍ଷରୁ ଏଠାରେ ପାଠପଢ଼ା ଆରମ୍ଭ କରିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ତାଳଚେରରେ ପାଠପଢ଼ା ହେବ। ପ୍ରାଥମିକ ପର୍ଯ୍ୟାୟରେ ମେଡିକାଲ କଲେଜର ଟିଚିଂ ହସ୍ପିଟାଲ ଭାବେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବହାର କରାଯିବ। ଆଉ ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ। ତାଳଚେରରେ ହିଁ ପବିତ୍ର ମୋହନ ମେଡିକାଲ କଲେଜ ଓ ଡାକ୍ତରଖାନା କାର୍ଯ୍ୟକ୍ଷମ କରାଯାଉ ବୋଲି ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଦାବି କରିଛି। ଏହାକୁ ସମର୍ଥନ କରିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ପୂର୍ବତନ ସାଂସଦ ମହେଶ ସାହୁ। କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଧମକ ଦେଇଛି। ଏପରିକି ତାଳଚେର ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଅପରପକ୍ଷରେ ଏହି ଆଭିମୁଖ୍ୟକୁ ବିଜେପି କଡ଼ା ସମାଲୋଚନା କରିଛି। ଅନୁଗୁଳ ଜିଲ୍ଲାରେ ମେଡିକାଲ କଲେଜ ହେଉ ବୋଲି ବିଜେଡି ନେତାମାନେ ଚାହୁ ନାହାନ୍ତି ବୋଲି କହିଛି। 

Advertisment

ଆରମ୍ଭ ନ ହେଉଣୁ କାଦୁଅ ଫିଙ୍ଗା 
ତାଳଚେରବାସୀଙ୍କୁ ହକ୍‌ରୁ ବଞ୍ଚିତ କରାନଯାଉ: ବ୍ରଜ
ଏହା ବିଜେଡିର ହୀନ ରାଜନୀତି: ବିଜେପି
ତାଳଚେରରେ ହିଁ ମେଡିକାଲ କଲେଜ ଓ ଡାକ୍ତରଖାନା ହେଉ: କ୍ରିୟାନୁଷ୍ଠାନ କମିଟି

ବିବାଦ ଯୋଗୁ ତାଳଚେର ମେଡିକାଲ କଲେଜ ନିକଟରେ ପୁଲିସ ମୁତୟନ କରିବାକୁ ପଡ଼ିଛି। ମେଡିକାଲ କଲେଜ ଆଖପାଖ ଅଞ୍ଚଳରେ ଅନଶନ କି ଆନ୍ଦୋଳନକୁ ବାରଣ କରାଯାଇଛି। ଏପରିକି ୫ରୁ ଅଧିକ ଲୋକଙ୍କୁ ଏକାଠି ହେବା ପାଇଁ ବାରଣ କରାଯାଇଛି। ପ୍ରଶାସନ କହିଛି, ମେଡିକାଲ କଲେଜରେ ପାଠପଢ଼ା ପାଇଁ ଅନୁମତି ଦେବା ପୂର୍ବରୁ ଜାତୀୟ ମେଡିକାଲ କମିସନଙ୍କ ଏକ ଟିମ୍ ଏଠାକୁ ଯାଞ୍ଚ କରିବାକୁ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ବିରୋଧ ହେଲେ ଅନୁମତି ମିଳିବାରେ ସମସ୍ୟା ହୋଇପାରେ। ଏ ସଂପର୍କରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କହିଛନ୍ତି, ତାଳଚେରରେ ମେଡିକାଲ କଲେଜ ଖୋଲିବା ପାଇଁ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଦାବି କରି ଆସୁଛି। ଏମ୍‌ସିଏଲ୍‌ ସିଏସ୍ଆର୍ ଟଙ୍କାରେ ଏହି ମେଡିକାଲ କଲେଜ କରାଯାଇଥିବାରୁ ଏହା ତାଳଚେରରେ ହିଁ ହେବା ଦରକାର ବୋଲି କହିଥିଲି। ଆଗୁଆ ଏଠାରେ ଭିତ୍ତିଭୂମି ପ୍ରସ୍ତୁତ କରା ନ ଯାଇ ତରବରିଆ ଭାବେ ଏହି ମେଡିକାଲ କଲେଜର ଡାକ୍ତରଖାନାକୁ ବାହାରକୁ ସ୍ଥାନାନ୍ତର କରାଯିବା ଠିକ୍ ନୁହେଁ। ଅନୁଗୁଳରେ ମେଡିକାଲ କଲେଜ ଓ ଡାକ୍ତରଖାନାକୁ କେହି ବିରୋଧ କରୁନାହାନ୍ତି। କିନ୍ତୁ ତାଳଚେରରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଉ ବୋଲି ସେ କହିଛନ୍ତି। ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ କହିଛନ୍ତି, ଅନୁଗୁଳରେ ମେଡିକାଲ କଲେଜ କରାଇ ନ ଦେବା ପାଇଁ ବିଜେଡି ପକ୍ଷରୁ ଜାଣିଶୁଣି ବିରୋଧ କରାଯାଉଛି। ବିଫଳତାକୁ ଲୁଚାଇବା ପାଇଁ ଏବେ ପାଗଳାମି କରୁଛନ୍ତି। ଅପରପକ୍ଷରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଦିଗାମ୍ବର ଗଡ଼ନାୟକ କହିଛନ୍ତି, ତାଳଚେରରେ ମେଡିକାଲ କଲେଜ ଆରମ୍ଭ କରିବା ବଦଳରେ ଏହାକୁ ଅନୁଗୁଳ ଉଠାଇନେବାକୁ ବିରୋଧ କରାଯିବ। ତାଳଚେରରେ ହିଁ ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବା ପାଇଁ କମିଟି ଦାବି କରୁଛି ବୋଲି ସେ କହିଛନ୍ତି।