ଅନୁଗୁଳ/ଢେଙ୍କାନାଳ : ମୁଖ୍ୟମନ୍ତ୍ରୀଙ୍କୁ ‘ଠାକୁର ଓ ବିରୋଧୀଙ୍କୁ ‘କୁକୁର ଆକ୍ଷେପ’କୁ ନେଇ ବିବାଦ ବଢିବାରେ ଲାଗିଛି। ଉପବାଚସ୍ପତି ରଜନୀକାନ୍ତ ସିଂହ ଅନୁଗୁଳ ସରକାରୀ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କୁ ‘ସାଢ଼େ ଚାରିକୋଟି ଓଡ଼ିଆଙ୍କ ଠାକୁର’ ବୋଲି ସମ୍ବୋଧନ କରି କେବଳ ଓଡ଼ିଆ ଜାତିର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅପମାନିତ କରିନାହାନ୍ତି, ବରଂ ସମଗ୍ର ଓଡ଼ିଶାବାସୀଙ୍କ ଭାବାବେଗ ଉପରେ ଶକ୍ତ କୁଠାରାଘାତ କରିଛନ୍ତି। ସେହିଭଳି ଢେଙ୍କାନାଳ ସଭାରେ ସାଂସଦ ମହେଶ ସାହୁ ବିରୋଧୀଙ୍କୁ ‘କୁକୁର’ ବୋଲି ଆକ୍ଷେପ କରି ଦେଶର ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ପ୍ରତି ଉପହାସ କରିଛନ୍ତି। ଶାସକ ଦଳର ଦୁଇ ନିର୍ବାଚିତ ପ୍ରତିନିଧି ନିଜର ଏଭଳି ନିନ୍ଦନୀୟ ଆଚରଣ ଲାଗି ତୁରନ୍ତ କ୍ଷମାପ୍ରାର୍ଥନା ନକଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି କଂଗ୍ରେସ ଓ ବିଜେପି ପୃଥକପୃଥକ ଭାବେ ଚେତାବନୀ ଦେଇଛନ୍ତି।
ଅନୁଗୁଳରେ ଶନିବାର ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ଅବସରରେ ସ୍ବାଗତ ଭାଷଣ ଦେଇ ଶ୍ରୀ ସିଂହ କହିଥିଲେ ଯେ ଓଡ଼ିଶାର ସାଢେ ୪ କୋଟି ଲୋକଙ୍କର ଠାକୁର ବୋଲି ଆମେ ଯାହାକୁ ମାନୁଛନ୍ତି, ସେହି ମୁଖ୍ୟମନ୍ତ୍ରୀ ଅନୁଗୁଳ ମାଟିରେ ପାଦ ପକାଇଛନ୍ତି। ହେଲେ ନବୀନଙ୍କୁ ଓଡ଼ିଶାର ଠାକୁର ବୋଲି ଗ୍ରହଣ କରି ପାରିନାହାନ୍ତି ବିରୋଧୀ। ସାଧାରଣରେ ବି ଏଥିନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି।
ସାମାଜିକ ଗଣମାଧ୍ୟମରେ ଆଜି ଏଥିନେଇ ନାନା ନକାରାତ୍ମକ ମନ୍ତବ୍ୟ ଦିଆଯାଉଥିଲାବେଳେ ବିଜେପି ଓ କଂଗ୍ରେସ ଉପବାଚସ୍ପତି କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ବିଜେପି ସାଧାରଣ ସଂପାଦକ କାଳନ୍ଦୀ ସାମଲ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି, ଓଡ଼ିଶାର ସାଢେ ୪ କୋଟି ଜନସାଧାରଣଙ୍କ ଠାକୁର ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଯେଉଁ ମୁଖ୍ୟମନ୍ତ୍ରୀଙ୍କ ଲମ୍ବା ଶାସନରେ ରାଜ୍ୟର ଆଇନଶୃଙ୍ଖଳା ବିଗିଡ଼ିଯାଇଛି, ସେଭଳି ଜଣେ ବ୍ୟକ୍ତିଙ୍କୁ ଠାକୁର ବୋଲି ସମ୍ବୋଧନ କରିବା ନିନ୍ଦନୀୟ। ଏହି ବକ୍ତବ୍ୟ ଆମ ଦେବାଦେବୀଙ୍କ ପ୍ରତି ଘୋର ଅପମାନ। ମୁଖ୍ୟମନ୍ତ୍ରୀ ଏହି ଘଟଣା ଉପରେ ନିରବ ରହି ପରୋକ୍ଷରେ ରଜନୀକାନ୍ତଙ୍କ ସମ୍ବୋଧନକୁ ସମର୍ଥନ କରିଛନ୍ତି ବୋଲି ବିଜେପି ସଂପାଦକ କହିଛନ୍ତି।
ଉପବାଚସ୍ପତିଙ୍କ ମନ୍ତବ୍ୟକୁ କଂଗ୍ରେସ ବି ହଜମ କରିପାରିନି। ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନା ପ୍ରେସ୍ ଇସ୍ତାହାରରେ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ଭାବାବେଗର ଠାକୁର ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଉପବାଚସ୍ପତିଙ୍କ ମନ୍ତବ୍ୟ ଶକ୍ତ ଉପହାସ। ନିଜର ରାଜନୈତିକ ଆକାଂକ୍ଷାକୁ ଚରିତାର୍ଥ କରିବା ପାଇଁ ଉପବାଚସ୍ପତି ଭଳି ଏକ ସାମ୍ବିଧାନିକ ପଦବିରେ ରହି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ ଦେଇ ସାଢେ ୪ କୋଟି ଜନତାଙ୍କ ଭାବାବେଗ ପ୍ରତି କୁଠାରଘାତ କରିଛନ୍ତି। ସେହିପରି ଢେଙ୍କାନାଳଠାରେ ଢେଙ୍କାନାଳ ସାଂସଦ ମହେଶ ସାହୁ ବିରୋଧୀଦଳଙ୍କୁ ଆକ୍ଷେପ କରି କୁକୁର ଶବ୍ଦ ପ୍ରୟୋଗ କଲେ, ତାହା ବି ଅତ୍ୟନ୍ତ ଦୁଃଖଦାୟକ। ଏଣୁ ଯଥାଶୀଘ୍ର ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ବିଧାୟକ ଓ ସାଂସଦ ଓଡ଼ିଶାବାସୀଙ୍କୁ ସାଧାରଣରେ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି। ନହେଲେ ଜିଲ୍ଲା କଂଗ୍ରେସ କମିଟି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଜିଲ୍ଲା ସଭାପତି କହିଛନ୍ତି।
ସେହିଭଳି ବିଜେପି ପକ୍ଷରୁ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ଜିଲ୍ଲା ସଭାପତି ବିଭୂତି ପ୍ରଧାନ, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘ୍ନ ଜେନା ପ୍ରମୁଖ ସାଂସଦ ଶ୍ରୀ ସାହୁଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି।
ଢେଙ୍କାନାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଅନ୍ୟ ଏକ ବିବୃତିରେ ସାଂସଦଙ୍କ ଏଭଳି ମନ୍ତବ୍ୟ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାଂସଦ ଶ୍ରୀ ସାହୁ ତୁରନ୍ତ ଗଣମାଧ୍ୟମରେ ଏହାକୁ ପ୍ରତ୍ୟାହାର କରିବା ସହ ଏଭଳି ଆକ୍ଷେପ ପାଇଁ ଦୁଃଖପ୍ରକାଶ ନକଲେ ଦଳ ତାଙ୍କ ବାସଭବନ ସମ୍ମୁଖରେ ଗଣଧାରଣା ଦେବାକୁ ବାଧ୍ୟ ହେବ ବୋଲି ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।