କେନ୍ଦୁଝର ଓ ନୟାଗଡ଼ ସିଡବ୍ଲୁସି ଗଠନକୁ ନେଇ ବିବାଦ : ହାଇକୋର୍ଟଙ୍କ ଜବାବ ତଲବ, ନିଯୁକ୍ତି ଉପରେ ଅନ୍ତରୀଣ ଅଙ୍କୁଶ

‌ଡେପୁଟି ରେଞ୍ଜର ପଦୋନ୍ନତି ମାମଲା: ହାଇକୋର୍ଟଙ୍କ ଜବାବ ତଲବ

କଟକ : ନୟାଗଡ଼ ଓ କେନ୍ଦୁଝର ଜିଲ୍ଲାର ଶିଶୁ କଲ୍ୟାଣ କମିଟି (ସିଡବ୍ଲୁସି)ରେ ନିଯୁକ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ଏହି ଦୁଇ ଜିଲ୍ଲାର ସିଡବ୍ଲୁସି ଗଠନ ପ୍ରସଂଗକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ହାଇକୋର୍ଟରେ ଦୁଇଟି ପୃଥକ ମାମଲା ଦାୟର ହୋଇଥିଲା। ଜଷ୍ଟିସ ସି.ଆର.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ଏଥି ସହିତ ନୟାଗଡ଼ ଓ କେନ୍ଦୁଝର ସିଡବ୍ଲୁସିରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ପ୍ରକାର ନିଯୁକ୍ତି ପ୍ରଦାନ କରାଯିବ ନାହିଁ ବୋଲି ଖଣ୍ଡପୀଠ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଏସ.ମହାନ୍ତି ଓ ସି. ଧଡ଼ାଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି। ୬ ସପ୍ତାହ ପରେ ଉଭୟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

‌ଡେପୁଟି ରେଞ୍ଜର ପଦୋନ୍ନତି ମାମଲା: ହାଇକୋର୍ଟଙ୍କ ଜବାବ ତଲବ
‌କଟକ : ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ଦୀର୍ଘ ବର୍ଷ ଧରି ଫରେଷ୍ଟର ଭାବେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ଡେପୁଟି ରେଞ୍ଜର ପଦକୁ ପଦୋନ୍ନତି ପ୍ରସଂଗରେ ୨୦୧୮ର ନୂଆ ନିୟମ କଣ୍ଟା ହୋଇଛି। ଏଭଳି ନିୟମ ଦ୍ବାରା ଡେପୁଟି ରେଞ୍ଜର ପଦବିକୁ ପଦୋନ୍ନତି ନ ପାଇ ବହୁ ଫରେଷ୍ଟର ଅବସର ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏ ସଂପର୍କିତ ୨୦୧୮ର ନୂଆ ନିୟମକୁ ଅସିଦ୍ଧ ଘୋଷଣା ପାଇଁ ଦାୟର ମାମଲାର ହାଇକୋର୍ଟ ଶୁଣାଣି କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ଏହି ନିୟମ ଆଧାରରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯିବାକୁ ଥିବା ସମସ୍ତ ପଦକ୍ଷେପର ଭବିଷ୍ୟତ ଏ ସଂପର୍କିତ ମାମଲାର ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୧କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ରବିନ ଚନ୍ଦ୍ର ଶତପଥୀଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ଫରେଷ୍ଟର ଭାବେ ନିଯୁକ୍ତି ପାଇବା ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ଥିବା ବେଳେ ଆବେଦନକାରୀ ଏହି ପଦବିରେ ନିଯୁକ୍ତି ପାଇ ୧୯୮୫ରେ କାର୍ଯ୍ୟରେ ଯୋଗ ଦେଇଥିଲେ। ବିଭାଗୀୟ ପଦୋନ୍ନତି ପରେ ଫରେଷ୍ଟରମାନଙ୍କୁ ଡେପୁଟି ରେଞ୍ଜର ପଦବିରେ ନିଯୁକ୍ତି ଦିଆଯାଉଥିବା ବେଳେ ୨୦୧୮ରେ ଏ ସଂପର୍କିତ ନୂଆ ନିୟମ ଆସିଥିଲା। କୁହାଯାଇଥିଲା ଯେ ଡେପୁଟି ରେଞ୍ଜର ପଦବିକୁ ପଦୋନ୍ନତି ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ହୋଇଥିବ। କିନ୍ତୁ ବିଭାଗୀୟ ପଦୋନ୍ନତି ପାଇବାକୁ ଥିବା ପ୍ରାର୍ଥୀଙ୍କ ପ୍ରସଂଗରେ ଏହି ନୂଆ ନିୟମ ଲାଗୁ କରାଯିବା ଆଇନ ଅନୁସା‌ରେ ଗ୍ରହଣୀୟ ନୁହେଁ। ଏଭଳି ସ୍ଥିତିରେ ଯୋଗ୍ୟତା ସଂପର୍କିତ ନୂଆ ନିୟମ ରଦ୍ଦ କରାଯାଉ ବୋଲି ନିବେଦନ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଗସ୍ତି କାନୁନଗୋ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର