‌ସଚିବାଳୟରେ କାର୍ଯ୍ୟରତ ଡେସ୍କ ଅଫିସରଙ୍କ ଗ୍ରେଡେସନ ତାଲିକାକୁ ନେଇ ବିବାଦ : ନିଷ୍ପତ୍ତି ନେବାକୁ ଗୃହ ସଚିବଙ୍କୁ ନିର୍ଦ୍ଦେଶ

କଟକ : ‌ରାଜ୍ୟ ସଚିବାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଡେସ୍କ୍ ଅଫିସରଙ୍କ ଗ୍ରେଡେସନ୍ ତାଲିକାକୁ ନେଇ ବିବାଦ ଦେଖା ଦେଇଛି। ସଚିବାଳୟରେ ଖାଲି ପଡିଥିବା ପଦବିରେ ସିଧାସଳଖ ଉପଯୁକ୍ତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ନିଯୁକ୍ତି ପାଇ ଏବେ ଡେସ୍କ ଅଫିସର ଭାବେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ଗ୍ରେଡେସନ୍ ତାଲିକାରେ ଉପଯୁକ୍ତ ସ୍ଥାନ ମିଳି ନାହିଁ ବୋଲି ଅଭିଯୋଗ ହୋଇଛି। ଏ ନେଇ ହଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଡକ୍ଟ ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଆବେଦନକାରୀଙ୍କ ଅଭିଯୋଗ ଉପରେ ଆଇନ ଅନୁସାରେ ଉପଯୁକ୍ତ ନିର୍ଦ୍ଦେଶ ଦେବାକୁ ରାଜ୍ୟ ଗୃହ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତିନି ମାସ ଭିତରେ ଗୃହ ସଚିବ ଏହି ପ୍ରସଂଗରେ ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସଚିବାଳୟରେ ଡେସ୍କ ଅଫିସର ଭାବେ କାର୍ଯ୍ୟ କରୁଥିବା ଦେବୀ ପ୍ରସାଦ ମିଶ୍ର ଓ ଅନ୍ୟ ଦୁଇ ଜଣଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୧-୯୨ରେ ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଅନୁଷ୍ଠିତ ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆବେଦନକାରୀ ସଚିବାଳୟରେ ଜୁନିୟର ଆସିଷ୍ଟାଣ୍ଟ ଭାବେ ନିଯୁ୍କ୍ତି ପାଇଥିଲେ। ଏହାପରେ ତାଙ୍କୁ ପଦୋନ୍ନତି ମିଳିଥିଲା। ଅନ୍ୟପକ୍ଷରେ ପରବର୍ତ୍ତୀ ସମୟରେ ଥଇଥାନ ଯୋଜନାରେ କେତେକଙ୍କୁ ଜୁନିୟର ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ମିଳିଥିଲା। ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ନିଯୁକ୍ତି ପାଇଥିବା କର୍ମଚାରୀ ଗ୍ରେଡେସନ୍ ତାଲିକାରେ ଥଇଥାନ ଯୋଜନାରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଉପର ସ୍ଥାନରେ ରହିବେ ବୋଲି ନିୟମ ରହିଥିବା ଆବେଦନକାରୀ ଦର୍ଶାଇଛନ୍ତି। ଏପରି ନିୟମ ପାଳନ କରି ୧୯୯୭ରେ ଗ୍ରେଡେସନ୍ ତାଲିକା ପ୍ରକାଶ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ୨୦୨୦, ନଭେମ୍ବର ୧୨ରେ ପ୍ରକାଶିତ ସାମୟିକ ଗ୍ରେଡେସନ୍ ତାଲିକାରେ ଏପରି ନିୟମ ଅଣଦେଖା କରାଯାଇଛି। ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ନିଯୁକ୍ତି ପାଇ ଏବେ ଡେସ୍କ ଅଫିସର ଭାବେ କାର୍ଯ୍ୟ କରୁଥିବା ଆବେଦନକାରୀଙ୍କୁ ତାଲିକାରେ ଉପଯୁକ୍ତ ସ୍ଥାନ ପ୍ରଦାନ କରାଯାଇ ନାହିଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଏହି ସାମୟିକ ଗ୍ରେଡେସନ୍ ତାଲିକାକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର