ଶ୍ରୀମନ୍ଦିର ପ୍ରଶାସନିକ କୋଠା ଉଚ୍ଚତାକୁ ନେଇ କେଁ, ସଂସ୍କୃତି ବିଭାଗକୁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ

ସଂଶୋଧିତ ଡିପିଆର ଦେଲା, ଅତୀତ ଅନୁମତିକୁ ଦୋହରାଇଲା

ପୁରୀ : ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ଉପରେ ଏନ୍‌ଏମଏ ଦେଇଥିବା ସୁପାରିସକୁ ବି‌ରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏ ଉପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖିଛି। ପୂର୍ବରୁ ଯେଉଁ ଏନଏମଏ ପ୍ରାୟ ୧୨ ଫୁଟ ଉଚ୍ଚତା ବିଶିଷ୍ଟ କୋଠା ନିର୍ମାଣକୁ ଅନୁମତି ଦେଇଥିଲା, ତାହା କିଭଳି ୭.୫୦ ମିଟର ଭିତରେ ସୀମିତ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପ୍ରଶ୍ନ ଉଠାଇଛି। ଏଣୁ ପୁରୁଣା ଅନୁମତି ପ୍ରକାରେ ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ କରିବାକୁ ଅନୁମତି ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ଚିଠିରେ ଉଲ୍ଲେଖ କରିଛି।

ଗତ ସେପ୍ଟେମ୍ବର ୯ ତାରିଖରେ ଅନୁଷ୍ଠିତ ବୈଠକରେ ଏନଏମଏ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଅନେକ ସୁପାରିଶ କରିଛି। ଯେଉଁଥିରେ ଶ୍ରୀମନ୍ଦିର ପ୍ରଶାସନିକ କୋଠା ଅନ୍ୟତମ। ଏ ସଂପର୍କରେ ଏନଏମଏ ସ୍ପଷ୍ଟ କରିଛି କି ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟକୁ ନିଷିଦ୍ଧାଞ୍ଚଳ ବଦଳରେ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର କରାଯାଉ। ଏହାର ଉଚ୍ଚତା ୭.୫୦ ମିଟର(ଜି+୧) ଭିତରେ ରଖାଯାଉ। ଏ ସଂପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ପୂର୍ବରୁ ଏନ୍‌ଏମଏ ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସନିକ କୋଠା ପାଇଁ ଅନୁମତି ଦେଇଥିଲା। ଯେଉଁଥିରେ କୋଠାର ଉଚ୍ଚତା ୧୧.୧୯୨ ମିଟର(ଜି+୨) ରହିଥିଲା। ଗ୍ରାଉଣ୍ଡ୍‌ ଫ୍ଲୋର ସହ ଏହା ଉପରେ ଆଉ ଦୁଇ ମହଲା କୋଠା କରିବାକୁ ଅନୁମତି ରହିଥିଲା। କିନ୍ତୁ ଏବେ ଦୁଇ ମହଲା କୋଠା କରିବାକୁ କୁହାଯାଇଛି, ଯେଉଁଥିରେ ଗ୍ରାଉଣ୍ଡ ଫ୍ଲୋର ଓ ଫାଷ୍ଟ ଫ୍ଲୋର ରହିଛି। ଏହା ‌ଆଦୌ ଠିକ୍‌ ନୁହେଁ। କାରଣ ଆମର ପୂର୍ବ ପ୍ରଶାସନିକ କୋଠା ଗ୍ରାଉଣ୍ଡ୍‌ଫ୍ଲୋରକୁ ମିଶାଇ ତିନି ମହଲା ବିଶିଷ୍ଟ। ଏବେ ଯଦି ଦୁଇ ମହଲା କରିବୁ, ଏହା ପୁରୁଣା କୋଠା ସହ ମିଶିବନି। ଏଣୁ ଆମକୁ ତିନି ମହଲା କୋଠା କରିବା ଆବଶ୍ୟକ ରହିଛି। ସେହି ଅନୁସାରେ ଆମେ ପୁଣିଥରେ ସଂଶୋଧିତ ଡିପିଆର ଆଜି ପଠାଇବା ସହ ତିନି ମହଲା କୋଠାର ଅନୁମତି ଦେବାକୁ ଲେଖିଛୁ ବୋଲି ‌ଶ୍ରୀ ଜେନା କହିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଲାଗି ଶ୍ରୀମନ୍ଦିର କାର୍ଯ୍ୟାଳୟର ନୂଆ ପ୍ରଶାସନିକ କୋଠାର ନିର୍ମାଣର ଯୋଜନା କରାଯାଇଛି। ସେହି ଅନୁଯାୟୀ ମୂଳଦୁଆ ପଡ଼ିବା ପରେ ପିଲାର କାମ ଚାଲିଛି। କିନ୍ତୁ, ଏହି ନିର୍ମାଣକୁ ନେଇ ବିବାଦ ଉଠିବାପରେ ଏବେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି।

ସମ୍ବନ୍ଧିତ ଖବର