ରାଉରକେଲା: ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷାରୁ ଆରମ୍ଭ କରି ଫଳ ପ୍ରକାଶ ପାଇବା ପର୍ଯ୍ୟନ୍ତ ବିବାଦ ଦେଖାଦେଇଛି। ପରୀକ୍ଷା ପୂର୍ବରୁ ଯେମିତି ପ୍ରଶ୍ନପତ୍ର ଭାଇରାଲକୁ ନେଇ ଅଡୁଆ ପରିସ୍ଥିତି ଉପୁଜିଥିଲା ସେମିତି ଫଳାଫଳ ପ୍ରକାଶରେ ମଧ୍ୟ ଦ୍ବନ୍ଦ ସୃଷ୍ଟି ହୋଇଛି। ଗତ ୯ ତାରିଖ ସଂଧ୍ୟାରେ ବୋର୍ଡ ପକ୍ଷରୁ ଯେଉଁ ଫଳ ପ୍ରକାଶ ପାଇଥିଲା ସେଥିରେ କିଛି ଶିକ୍ଷକଶିକ୍ଷୟିତ୍ରୀ ଫେଲ୍‌ ହୋଇଥିଲେ। ପରଦିନ ଅର୍ଥାତ୍‌ ୧୦ରେ ପ୍ରକାଶ ପାଇଥିବା ଫଳାଫଳରେ ଫେଲ ଶିକ୍ଷକଶିକ୍ଷୟିତ୍ରୀ ପୁଣି ପାସ୍‌ କରି ଯାଇଥିଲେ। ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ସମେତ ଅଧିକାଂଶ ବ୍ଲକରେ ଫେଲ ଶିକ୍ଷକଶିକ୍ଷୟିତ୍ରୀ ଦିନକ ପରେ ପାସ୍‌ କରିଛନ୍ତି। ଯାହା ଶିକ୍ଷକ ଓ ଶିକ୍ଷାବିତ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି। ବୋର୍ଡ କର୍ତ୍ତୃପକ୍ଷଙ୍କ ସ୍ବଚ୍ଛତା ଓ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ମିଳିଥିବା ସୂଚନା ମୁତାବକ ଏ, ବି, ସି, ଡି ପ୍ରଶ୍ନ ପତ୍ର ଉପରେ ‘ଡି’ସେଟ୍‌ ସେଟ୍‌ ପ୍ରଶ୍ନପତ୍ରର ମାର୍କ ପରୀକ୍ଷାର୍ଥୀଙ୍କର ମାର୍କସିଟ୍‌ରେ ଚଢ଼ି ନଥିଲା। କିଏ କହୁଛି ଡି ସେଟ୍‌ରେ ପ୍ରଶ୍ନ ଭୁଲଥିବାରୁ ଗ୍ରେସ୍‌ ମାର୍କ ଦିଆଯାଇଛି। ଏଭଳି ତ୍ରୁଟିପୂର୍ଣ୍ଣ ଫଳ ପୂର୍ବରୁ ସଂଶୋଧନ କରି ଏକକାଳୀନ ପ୍ରକାଶ କରିବାର ଆକଶ୍ୟକତା ରହିଥିଲା। ମାତ୍ର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପୁଣି ସଂଶୋଧନ କରାଯିବା। ଦ୍ବିତୀୟ ଥର ଫଳ ପ୍ରକାଶ କରିବା। ଗତ ୯ ତାରିଖ ଫେଲ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ୧୦ ତାରିଖରେ କେମିତି ପାସ୍‌ କରାଗଲା, ତା’ର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି। ବୋର୍ଡର ଏଭଳି ନିଷ୍ପତ୍ତି ବିରୋଧରେ ସୁନ୍ଦରଗଡ ଜିଲ୍ଲାର କିଛି ଶିକ୍ଷକଶିକ୍ଷୟତ୍ରୀ କୋର୍ଟରେ ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି। ସୂଚନା‌ଯୋଗ୍ୟ, ନିକଟରେ ସୁନ୍ଦରଗଡ ଜିଲ୍ଲାର ରାଉରକେଲା ଓଟିଇଟି ପରୀକ୍ଷା ଆରମ୍ଭ ହେବାର କେହି ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ସେଟ୍‌ ‘ଏ’ର ପ୍ରଶ୍ନ ଉତ୍ତର ପରୀକ୍ଷା ହେବାର ଦୁଇ ଘଣ୍ଟା ପୂର୍ବରୁ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୁରିବୁଲି ଥିଲା।

ରାଉରକେଲାସ୍ଥ ଉଦିତନଗରର ଏକ ଦୋକାନରେ ଉତ୍ତରପତ୍ରକୁ ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଶିକ୍ଷକମାନେ ଜେରେକ୍ସ କରିଥିବା ଅଭିଯୋଗ ହୋଇଥିଲା। ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇଥିଲା। ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହା ଉପରେ ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଥିଲା। ଯାହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ୪ ମାସ ପରେ ଅର୍ଥାତ ଗତ ୯ତାରିଖ ସନ୍ଧ୍ୟାରେ ବୋର୍ଡ କର୍ତ୍ତୃପକ୍ଷ ଓଟିଇଟି ପରୀକ୍ଷା ଫଳପ୍ରକାଶ କଲେ। ଯେଉଁମାନେ ପୂର୍ବରୁ ୩୦/୪୦ ମାର୍କ ରଖିପାରୁନଥିଲେ ସେମାନ ଚଳିତ ଥର ୮୦ ରୁ ୧୦୦ ପର୍ଯ୍ୟନ୍ତ ମାର୍କ ରଖିକି ପାସ କରିଛନ୍ତି। କେବଳ ଏତିକି ନୁହେଁ ୯ ତାରିଖ ଫଳ ପ୍ରକାଶ ବେଳେ ସୁନ୍ଦରଗଡ଼ ବିଭିନ୍ନ ବ୍ଲକର କିଛି ଶିକ୍ଷକଶିକ୍ଷୟିତ୍ରୀ ଫେଲ୍‌ ହୋଇଥିଲେ। ସେମାନେ ହଠାତ୍‌ ୧୦ ତାରିଖରେ ପୁଣି ପାସ୍‌ କରିଯାଇଥିଲେ। ଆଜି ପରୀକ୍ଷାଫଳର ତ୍ରୁଟିକୁ ନେଇ କଟକ ଜିଲ୍ଲାରେ ଶିକ୍ଷକଶିକ୍ଷୟିତ୍ରୀମାନେ ବୋର୍ଡ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବୋର୍ଡ ଅଫିସ୍‌ର କାର୍ଯ୍ୟରତ ଅଧିକାରୀଙ୍କୁ ନାକେଦମ୍‌ ହେବାକୁ ପଡିଥିଲା।