ଆନନ୍ଦପୁର/ହାଟଡିହି: ଚଢ଼ାଦରକୁ ନେଇ ଗତକାଲି ରାତିରେ ଛେନାପଦିସ୍ଥିତ ମଦ କାଉଣ୍ଟରରେ ଗ୍ରାହକ ଓ ଦୋକାନୀ ମୁହାଁମୁହିଁ ହୋଇଥିଲେ। ଫଳରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏପରିକି ଅଧିକ ଦରକୁ ବିରୋଧ କରିବାକୁ ଦୋକାନୀଙ୍କ ମାଡ଼ରେ ଗ୍ରାହକ ଗୁରୁତର ଆହତ ହୋଇଛନ୍ତି। ଏନେଇ ନନ୍ଦିପଦା ଥାନାରେ ଏକ ମାମଲା ରୁଜୁ ହେବାସହିତ ପୁଲିସ୍ ଘଟଣାର ତଦନ୍ତ କରୁଛି।
ଦୀର୍ଘଦିନ ହେଲା ଛେନାପଦିଠାରେ ଥିବା ମଦ କାଉଣ୍ଟରରେ ଚଢାଦରରେ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା। କେହି ଏହାର ବିରୋଧ କଲେ ସେମାନଙ୍କୁ ଓଲଟା ଧମକଚମକ ଓ ମାଡ଼ ମଧ୍ୟ ମରାଯାଉଥିବା ଅଭିଯୋଗ ହୋଇଥିଲା। ଗତକାଲି ରାତି ସାଢେ ୮ଟାବେଳେ ଆନନ୍ଦପୁରର ଦିଲୀପ୍ କୁମାର ମହାନ୍ତି ନାମକ ଯୁବକ ଛେନାପଦି କାଉଣ୍ଟରକୁ ଯାଇଥିଲେ। ଏକ ମଦ ବୋତଲ ଉପରେ ଦୋକନର କର୍ମଚାରୀ ଅଧିକ ୫୦ଟଙ୍କା ଦାବି କରିଥିଲେ। ତେବେ ଦିଲୀପ୍ ଅଧିକ ଟଙ୍କା ଦେବାକୁ ରାଜି ନହେବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା।
ବଞ୍ଚୋ ଗ୍ରାମର ଅମର ରାଉତ, ମାନସ ବିଶ୍ବାଳଙ୍କ ସମେତ ୭/୮ଜଣ ଏକତ୍ରିତ ହୋଇ ଲୁହା ରଡ, ଲୁହା ପାଇପ୍, ଭୁଜାଲି ଦ୍ବାରା ଦିଲୀପଙ୍କୁ ଆକ୍ରମଣ କରିଥିଲେ। ସେ ରକ୍ତ ଜୁଡୁବୁଡୁ ଅବସ୍ଥାର ପଡିଥିବା ଖବରପାଇ ଆନନ୍ଦପୁରର କିଛି ଯୁବକ ତାଙ୍କୁ ଆଣିବାକୁ ଯାଇଥିଲେ। ଦୋକାନର କର୍ମଚାରୀ ସେମାନଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହିତ ଧକ୍କା ମାରିଥିଲେ। ସେମାନଙ୍କ ନିକଟରୁ ଦୁଇଲକ୍ଷ ତିରିଶ ହଜାର ଟଙ୍କା ମୂଲ୍ୟର ସୁନାଚେନ୍ ଓ ୨୭ହଜାର ପାଞ୍ଚଶହ ଟଙ୍କା ମଧ୍ୟ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଖବରପାଇ ପୁଲିସ୍ ପହଞ୍ଚିବାପରେ ଆନନ୍ଦପୁରର ଯୁବକମାନେ ସେଠାରୁ ଜୀବନ ବଞ୍ଚାଇ ଫେରିଥିବା ପ୍ରକାଶ କରିଛନ୍ତି। ଆକ୍ରମଣରେ ଦିଲୀପଙ୍କ ହାତ, ମୁଣ୍ଡ, ଆଖିରେ ଗଭୀର ଆଘାତ ଲାଗିଥିବାବେଳେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୋଗ ପାଇ ପୁଲିସ୍ ଏକ ମାମଲା ରୁଜୁ କରିଛି। ତେବେ ଆକ୍ରମଣକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି।