ପୁରୀ: ଶ୍ରୀମନ୍ଦିର ରୋଷଘର ଦର୍ଶନକୁ ନେଇ ବିବାଦ ମୁଣ୍ଡ ଟେକିଛି। ଅବଢ଼ା ପ୍ରସ୍ତୁତି ବେଳେ ଭକ୍ତମାନେ ରୋଷଘରେ ପଶୁଥିବାରୁ ଅବଢ଼ା ପ୍ରସ୍ତୁତି ସାମଗ୍ରୀ ମାରା ଦେଉଛି ବୋଲି ସୁଆର ମହାସୁଆରମାନେ ଗୁରୁତର ଅଭିଯୋଗ କରିଛନ୍ତି। ଅବଢ଼ା ପ୍ରସ୍ତୁତି ବେଳେ ରୋଷଘର ଦର୍ଶନ ବନ୍ଦ ନ ରଖିଲେ ଅବଢ଼ା ପ୍ରସ୍ତୁତି ବିଳମ୍ବ ହେବ ଓ ଭକ୍ତମାନେ ମହାପ୍ରସାଦ ପାଇବାରେ ବିଭ୍ରାଟ ଉପୁଜିବ ବୋଲି ସେମାନେ କହିଛନ୍ତି। ଯଦି ଏଭଳି ସ୍ଥିତି ଉପୁଜେ, ସେଥିପାଇଁ ପ୍ରଶାସନ ଉତ୍ତରଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି।

Advertisment

ପ୍ରତିଦିନ ଅବଢ଼ା ପ୍ରସ୍ତୁତି ଭୋର୍‌ରୁ ଆରମ୍ଭ ହୋଇଯାଉଛି। ଅଙ୍ଗାରୁଆ, ପାଣିଆ, ତୁଣିଆ ଆଦିଙ୍କୁ ନେଇ ଅବଢ଼ା ପ୍ରସ୍ତୁତ କରୁଛନ୍ତି ସୁଆର ମହାସୁଆର ସେବକ। ନିଆଁ ଆଞ୍ଚରେ ମାଟି କୁଡ଼ୁଆରେ ଅବଢ଼ା ପ୍ରସ୍ତୁତି ହେଉଥିବାରୁ ଏଥିପାଇଁ ଅଙ୍ଗାରର ଆବଶ୍ୟକ ପଡ଼ିଥାଏ। ଏଣୁ ପୂର୍ବରୁ ଚୁଲିରୁ ବାହାରୁଥିବା ଅଙ୍ଗାର ସବୁକୁ ଅଙ୍ଗାରୁଆ ସାଇତି କରି ରଖିଥାନ୍ତି। ଅଙ୍ଗାରୁଆ କିଛି ଟଙ୍କାରେ ରୋଷଘର ଚୁଲିକୁ ଆଞ୍ଚ ପାଇଁ ଏହି ଅଙ୍ଗାର ଯୋଗାଇ ଦେଇଥାନ୍ତି। ସେପଟେ ଅବଢ଼ା ପ୍ରସ୍ତୁତି ପାଇଁ ଆବଶ୍ୟକ ପାଣି ଯୋଗାଇ ଦେଇଥାନ୍ତି ପାଣିଆ ଓ ପନିପରିବା କାଟି ଯୋଗାଇ ଦେଇଥାନ୍ତି ତୁଣିଆ।

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଦସ୍ୟ ମଧୁସୂଦନ ସୁଆର କହିଛନ୍ତି, ପୂର୍ବରୁ ପାଣି, ତୁଣ ଆଦି ମାରା ହୋଇ ଅବଢ଼ା ପ୍ରସ୍ତୁତିରେ ବିଘ୍ନ ଘଟିବାରୁ ରୋଷଘର ଦର୍ଶନକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଅବଢ଼ା ପ୍ରସ୍ତୁତି ସମୟରେ ରୋଷଘର ଦର୍ଶନ ବନ୍ଦ ରଖିବାକୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଶଙ୍କରାଚାର୍ଯ୍ୟ, ଗଜପତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରମୁଖଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ପରେ ପରେ ରୋଷଘର ଚୁଲି ଭଙ୍ଗା ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା। ଏହାର ତିନି ଚାରି ମାସ ପରେ ଅବଢ଼ା ପ୍ରସ୍ତୁତି ସମୟରେ ରୋଷଘର ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା। ରୋଷଘର ପାଖକୁ ଭକ୍ତଙ୍କୁ ଛଡ଼ାଯିବାରେ କଟକଣା ଲାଗିଥିଲା। କେବଳ ଅବଢ଼ା ପ୍ରସ୍ତୁତି ପରେ ଅପରାହ୍ଣରେ ରୋଷଘର ଦର୍ଶନ ବ୍ୟବସ୍ଥା ହେଉଥିଲା। ଏହି ସମୟରେ ଅବଢ଼ା ପ୍ରସ୍ତୁତି ପାଇଁ ସେତେଟା ଭିଡ଼ ରହୁନଥିବାରୁ ଭକ୍ତମାନେ ସୁବିଧାରେ ଦର୍ଶନ କରି ଫେରୁଥିଲେ। ଅବଢ଼ା ପ୍ରସ୍ତୁତିରେ ବି ବିଘ୍ନ ଘଟୁନଥିଲା। କିନ୍ତୁ ଚଳିତବର୍ଷ ରଥଯାତ୍ରା ପରଠୁ ପୁଣିଥରେ ସକାଳୁ ରୋଷଘର ଦର୍ଶନ ଆରମ୍ଭ ହୋଇଯାଇଛି। ରୋଷଘର ଦର୍ଶନ ବେଳେ ଭକ୍ତମାନେ ଛୁଇଁ ଦେଉଥିବାରୁ ତୁଣ, ପାଣି ଆଦି ମାରା ହେଉଛି। ସାମଗ୍ରୀ ଯିବା ବାଟରେ ଲୋକେ ଛିଡ଼ା ହୋଇ ରହୁଥିବାରୁ ପାଣି, ତୁଣ ଆଦି ସାମଗ୍ରୀ ନେବାରେ ବି ବିଳମ୍ବ ହେଉଛି। ଏଭଳି ସ୍ଥିତିରେ ରୋଷଘର ଦର୍ଶନ ବାବଦ ଶୁଳ୍କ ଆଦାୟ ନିଷ୍ପତ୍ତି ଆହୁରି ଯନ୍ତ୍ରଣାଦାୟକ ହେବ ବୋଲି ଶ୍ରୀ ସୁଆର କହିଛନ୍ତି। ଶ୍ରୀ ସୁଆର କହିଛନ୍ତି, ରୋଷଘର ଦର୍ଶନରେ ଆମର କୌଣସି ଆପତ୍ତି ନାହିଁ। କିନ୍ତୁ ଦ୍ବିପ୍ରହର ଧୂପ ସରିବା ପରେ ରୋଷଘର ଦର୍ଶନ ହେଉ।