ଭୁବନେଶ୍ବର: ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରସଙ୍ଗରେ ବଡ଼ଧରଣର ହଲଚଲ ସୃଷ୍ଟି ହୋଇଛି। ରାଜ୍ୟର ୧୩ଟି ବିଶ୍ବବିଦ୍ୟାଳୟ ନୂତନ କୁଳପତି ଚୟନ ପ୍ରକ୍ରିୟା ଶେଷ ହୋଇ ନ ଥିବା ବେଳେ ତିନିଟି ବିଶ୍ବବିଦ୍ୟାଳୟ ମୁଖିଆ ବଦଳିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ଭାବେ‌ ମେ’ ୨୭ରେ ନିଯୁକ୍ତି ହୋଇଥିବା ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟଙ୍କ ନିଯୁକ୍ତିକୁ ଗତକାଲି ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି ରଦ୍ଦ କରିଛନ୍ତି।

Advertisment

ଫକୀରମୋହନ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି
ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଏମ୍‌ଏସ୍‌ସିବିର ଦାୟିତ୍ବ
କୁଳାଧିପତିଙ୍କ କ୍ଷମତା ବୃଦ୍ଧି ନେଇ ଗେଜେଟ୍‌ ବିଜ୍ଞପ୍ତି ଜାରି

ସେପଟେ ଫକୀରମୋହନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ତେବେ  ଶ୍ରୀ ତ୍ରିପାଠୀଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି ହୋଇଛି। ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଆଇନ ୨୦୨୪ ଅନ୍ତର୍ଗତ ଧାରା ୬ର ଉପଧାରା ୬ ଅନୁଯାୟୀ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି।  ନୂତନ କୁଳପତି ଚୟନ ପ୍ରକ୍ରିୟା ଶେଷ ହୋଇନାହିଁ। ବିଶ୍ବବିଦ୍ୟାଳୟରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପରିପ୍ରେକ୍ଷୀରେ ପ୍ରଫେସର ତ୍ରିପାଠୀ  ଆଉ ୬ ମାସ ନ ହେଲେ ପରବର୍ତ୍ତୀ କୁଳପତି ଯୋଗଦେବା ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ବୋଲି ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି। ସେହିପରି ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ(ଏମ୍‌ଏସ୍‌ସିବି) ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଦାୟିତ୍ବରେ ଥିବା ପ୍ରଫେସର ତ୍ରିପାଠୀଙ୍କ ପରେ କିଏ ଦାୟିତ୍ବରେ ରହିବ ସେନେଇ ଆଲୋଚନା ହୋଇଥିଲା। ତେବେ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଏଠାରେ ଭାରପ୍ରାପ୍ତ ଦାୟିତ୍ବ ଦିଆଯାଇଛି।

ଅନ୍ୟପକ୍ଷରେ କୁଳପତି ନିଯୁକ୍ତି କ୍ଷେତ୍ରରେ କୁଳାଧିପତି ତଥା ରାଜ୍ୟପାଳଙ୍କ କ୍ଷମତା ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟ୍‌ ମୋହର ପରେ ଆଜି ଆଇନ ବିଭାଗ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ଜାରି କରାଯାଇଛି। ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ, ୧୯୮୯ରେ କୁଳପତିମାନଙ୍କ ନିଯୁକ୍ତି କ୍ଷେତ୍ରରେ କୁଳାଧିପତିଙ୍କ କ୍ଷମତା ପରିସର ବୃଦ୍ଧି କରିବାକୁ ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଅଧ୍ୟାଦେଶ ୨୦୨୫ ପ୍ରଣୟନ ହୋଇଛି। ଅଧ୍ୟାଦେଶର ଧାରା ୬(୧୦)ର ସର୍ତ୍ତରେ ସଂଶୋଧନ ଅଣାଯାଇଛି। ନିୟମିତ କୁଳପତି ନିଯୁକ୍ତି ହେବା ପର୍ଯ୍ୟନ୍ତ କୁଳାଧିପତି ଯାହାଙ୍କୁ ଚାହିବେ କୁଳପତି ଭାବେ ଏହି ପଦବିରେ ରଖିପାରିବେ, ଯାହାକି ବିଶ୍ବବିଦ୍ୟାଳୟ ପରିଚାଳନାରେ ସ୍ଥିରତାକୁ ପ୍ରୋତ୍ସାହିତ କରିବ। ଏଥିସହ କୁଳାଧିପତି କୁଳପତିଙ୍କ କାର୍ଯ୍ୟକାଳର ସମୟ ସୀମା ସ୍ଥିର କରିପାରିବେ। ଏଥିସହ ଧାରା ୬(୩)(ଆଇଆଇଆଇ) ଓ ଧାରା ୧୩-ଏ(୩)ରେ ଥିବା ଦୁଇଟି ମୁଦ୍ରଣଗତ ତ୍ରୁଟିକୁ ସଂଶୋଧନ କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।