ସବୁଜ ପତ୍ରିକାଧାରୀ ମହିଳାଙ୍କ ବିଶେଷ ଅଧିବେଶନ : ତମେ ମଦ ବିରୋଧରେ ସ୍ୱର ଉଠାଅ, ମୁଁ ତୁମ ଦାବି ସମ୍ପର୍କରେ ସ୍ୱର ଉଠାଇବି

ଭିକ୍ଷା ମାଗି ସମ୍ମାନ ପାଇ ହୁଏନି

ଭୁବନେଶ୍ୱର : ଭିକ୍ଷା ମାଗି ସମ୍ମାନ ପାଇ ହୁଏନି। ତୁମର ଶକ୍ତି, ସାମର୍ଥ୍ୟ ଓ ଗୁଣ ହିଁ ତୁମ ପାଇଁ ସମ୍ମାନ ଆଣିଦେବ। ସବୁଜପତ୍ରିକାଧାରୀ ମହିଳାମାନେ ସଂକଳ୍ପ ନିଅନ୍ତୁ ଯେ, ସେମାନଙ୍କର କୌଣସି ନିର୍ଦିଷ୍ଟ ଜାତି, ଧର୍ମ କିି ଦଳ ନାହିଁ। ସବୁଜ ପତ୍ରିକା ହିଁ ତାଙ୍କର ଜାତି, ଧର୍ମ ଓ ଦଳ। ପ୍ରତି ବ୍ଲକ୍‌ରେ ‘ସ୍ୱତନ୍ତ୍ର ସ୍ୱୟଂ ସହାୟକ ଗୋଷ୍ଠୀ’ ଗଠନ କରି ନିଜର ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନ କରିବାକୁ ଆହ୍ଵାନ ଦେଇଛନ୍ତି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ। ‘ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘ’ ଏବଂ ‘ସବୁଜ ପତ୍ରିକାଧାରୀ ଉନ୍ନୟନ ପରିଷଦ’ ପକ୍ଷରୁ ବୁଦ୍ଧ ମନ୍ଦିର ଆୟୋଜିତ ‘ସବୁଜପତ୍ରିକାଧାରୀଙ୍କୁ ସମ୍ମାନସ୍ପଦ ଗୋଷ୍ଠୀର ମାନ୍ୟତା ଦେବାର ଯଥାର୍ଥତା’ ଶୀର୍ଷକ ଆଲୋଚ୍ୟ ବିଷୟରେ ମତ ରଖି ଏକତ୍ରିତ ହୋଇଥିବା ୩୦୦ରୁ ଅଧିକ ସବୁଜପତ୍ରିକାଧାରୀଙ୍କୁ ସେ ସଫଳତାର ଏହି ଚାବି କାଠି ଧରାଇଛନ୍ତି।

ଶ୍ରୀ ପଟ୍ଟନାୟକ କହିଲେ, ନବୀନ ବାବୁଙ୍କ ସରକାର ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେଇ ଆସିଛି। ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ଗଢ଼ି ମହିଳାମାନଙ୍କୁ ସୁଦୃଢ଼ ଓ ସ୍ୱାବଲମ୍ବୀ କରିଛନ୍ତି। ତେଣୁ ସବୁଜପତ୍ରିକାଧାରୀଙ୍କ ଦାବିକୁ ଗୁରୁତ୍ୱ ଦେବା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ତେବେ ଦାବି ପୂରଣ ପାଇଁ ରାଜ୍ୟର ସାଢ଼େ ୭ଲକ୍ଷ ସବୁଜ ପତ୍ରିକାଧାରୀ ମହିଳା ସଂଘବଦ୍ଧ ଭାବେ ଶକ୍ତିଶାଳୀ ହୁଅନ୍ତୁ। ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ ପହଞ୍ଚି ସବୁଜ ପତ୍ରିକାଧାରୀଙ୍କୁ ଏକଜୁଟ କରାନ୍ତୁ। ସଚେତନ କରାନ୍ତୁ।

ସେ ଏକଥା ବି କହିଲେ, ‘ତୁମେ ମଦ ବିରୋଧରେ ସ୍ୱର ଉତ୍ତୋଳନ କର, ମୁଁ ତୁମ ଦାବି ସମ୍ପର୍କରେ ସ୍ୱର ଉତ୍ତୋଳନ କରିବି’। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ଭାଇ ହାତରେ ରାକ୍ଷୀ ବାନ୍ଧି ତାଙ୍କ’ଠୁ କୌଣସି ଉପହାର ବଦଳରେ ମଦ ଛାଡ଼ିଦେବାକୁ ସଂକଳ୍ପ କରାଅ। ଭାଇ, ଦିଅର, ସ୍ୱାମୀ, ଶ୍ୱଶୂରଙ୍କୁ ମଦ ଛଡ଼େଇବାକୁ ଉଦ୍ୟମ କର। ତାହା ତୁମ ପାଇଁ ସମ୍ମାନ ଆଣିଦେବ। ଏକ ସୁସ୍ଥ ବାତାବରଣ ପାଇଁ ମହିଳାମାନଙ୍କୁ ମାତିବାକୁ ପଡ଼ିବ। ସରକାର ତୁମର ଶକ୍ତି ଦେଖି ଆପେ ଦାବି ପୂରଣ କରିବେ ବୋଲି ସେ କହିଥିଲେ।

ଏହି ଅବସରରେ ବିଜେଡି ଅନୁସୂଚିତ ଜାତି ସେଲ୍‌ର ରାଜ୍ୟ ଉପସଭାପତି ଦେବରାଜ ନାଏକ, ମହାସଂଘର ମୁଖ୍ୟ ସଂଯୋଜକ ପ୍ରତାପ ଚନ୍ଦ୍ର ଦାସ, ସହ ସଂଯୋଜକ ଦାମୋଦର ସାହୁ, ମହାସଂଘର ସମ୍ପାଦିକା ରଶ୍ମିତା ପ୍ରଧାନ, କୋଷାଧ୍ୟକ୍ଷା ବାସନ୍ତୀ କାଠ ପ୍ରମୁଖ ସମଗ୍ର ରାଜ୍ୟରୁ ଆସିଥିବା ସବୁଜପତ୍ରିକାଧାରୀଙ୍କୁ ଉଦ୍‌ବୋଧନ ଦେଇଥିଲେ।

ସମ୍ପୃକ୍ତ ମହିଳାମାନେ ଯେପରି ସକ୍ରିୟ ରହିବେ ସେନେଇ ଶ୍ରୀ ପଟ୍ଟନାୟକ ମହାସଂଘକୁ ସହଯୋଗ କରିବା ସହ ଅଗଷ୍ଟ ମାସର ଶେଷ ସପ୍ତାହରେ କର୍ମକର୍ତାଙ୍କୁ ନେଇ ଏକ ବୈଠକ ଡକାଯିବ ବୋଲି ସୂଚନା ଦେଇଛନ୍ତି। ସବୁଜ ପତ୍ରିକାଧାରୀଙ୍କ ପାଇଁ ୨୦୧୨ ମସିହା ପର୍ଯ୍ୟନ୍ତ ସରକାର କରିଥିବା ଚୁକ୍ତି ସମ୍ପର୍କରେ ଆଲୋଚନା ସହ ଦାବି ପୂରଣ ଦିଗରେ ପ୍ରଚେଷ୍ଟା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ କଟକ, ନୟାଗଡ଼, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂପୁର, ଗଞ୍ଜାମ, ପୁରୀ, ବଲାଙ୍ଗୀର, ନୂଆପଡ଼ା, ଢେଙ୍କାନାଳ, ମାଲକାନଗିରି, କନ୍ଧମାଳ ଜିଲ୍ଲାର ସଭାନେତ୍ରୀ ଓ ଅନ୍ୟ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଗିରୀଶ ଚନ୍ଦ୍ର ସାହୁ, ଟଙ୍କଧର କଣ୍ଟା ଏବଂ ଅନ୍ୟ କର୍ମକର୍ତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର