ଯୁବପିଢ଼ି ଭିତରେ ଶାଢି ଫେସନକୁ ପୁଣି ଥରେ ଲୋକପ୍ରିୟ କରାଇବାକୁ ଉଦ୍ୟମ କରୁଛି ‘ସୁତା’

ଭୁବନେଶ୍ବର : ଯୁବପିଢି ମଧ୍ୟରେ ଭାରତୀୟ ଶାଢିର ଅମଳିନ ଫେସନକୁ ପୁଣି ଫେରାଇ ଆଣିବାକୁ ଉଦ୍ୟମ କରୁଛନ୍ତି ଦୁଇଭଉଣୀ ସୁଜାତା ଓ ତାନିଆ ବିଶ୍ବାସ । ସେମାନଙ୍କ ଦ୍ବାରା ପ୍ରତିଷ୍ଠିତ ଷ୍ଟାର୍ଟ ଅପ୍ ‘ସୁତା’ ଏବେ ପ୍ରାୟ ୧୬ ହଜାର ବୁଣାକାର ଓ ହସ୍ତଶିଳ୍ପୀଙ୍କ ସହ କାମ କରୁଛି ଓ ଭାରତୀୟ ଶାଢିକୁ ନୂଆପିଢିଙ୍କ ମଧ୍ୟରେ ଲୋକପ୍ରିୟ କରିବାରେ ନିଜର ଯୋଗଦାନ ଦେଇଚାଲିଛି ।

ସୁଜାତାଙ୍କ ନାଁର ପ୍ରଥମ ଅକ୍ଷର ‘ସୁ’ ଓ ତାନିଆଙ୍କ ନାଁର ପ୍ରଥମ ଅକ୍ଷର ‘ତା’କୁ ନେଇ ସେମାନେ ନିଜର ଷ୍ଟାର୍ଟଅପର ନାଁ ସୁତା ରଖିଛନ୍ତି । ଓଡ଼ିଶାର ପ୍ରାୟ ୧୬ ବର୍ଷ କଟାଇଥିବା ସୁଜାତା ଓ ତାନିଆ ଓଡ଼ିଶାକୁ ହିଁ ନିଜର ଘର ବୋଲି ଭାବନ୍ତି । ଓଡ଼ିଶାରେ ଥିବାବେଳେ ନିଜ ମା’ ପିନ୍ଧୁଥିବା ବିଭିନ୍ନ ପ୍ରକାରର ହସ୍ତତନ୍ତ ଶାଢିକୁ ଦେଖି ହିଁ ଶାଢି ସହିତ ସଂପର୍କ ଗଢନ୍ତି । ଏହି ସଂପର୍କରୁ ହିଁ ପରବର୍ତ୍ତୀ କାଳରେ ଜନ୍ମ ନିଏ ସୁତା।

ସୁଜାତା ଭୁବନେଶ୍ବରର ସିଇଟିର ଜଣେ ଛାତ୍ରୀ । ପରେ ସେ ଦିଲ୍ଲୀର ଆଇଆଇଏଫଟିରୁ ଶିକ୍ଷା ସମାପ୍ତ ପରେ କର୍ପୋରେଟ୍ ସେକ୍ଟରରେ କିଛି ବର୍ଷ କାମ କରିଛନ୍ତି । ଏହାସହିତ ଆଇଆଇଟି ବମ୍ବେରୁ ଇ-କମର୍ସରେ ପିଏଚଡି କରିଛନ୍ତି । ସେହିପରି, ତାନିଆ ନିଜେ ଜଣେ ଫେସନ ବିଶେଷଜ୍ଞ ହେବା ସହ ନିଜର ଉଦ୍ୟମିତା ପାଇଁ ବିଭିନ୍ନ ସମ୍ମାନଜନକ ପୁରସ୍କାର ହାସଲ କରିଛନ୍ତି ।

ତେବେ ଶାଢି ସହିତ ଏହି ସଂପର୍କ କିପରି ଆରମ୍ଭ ହେଲା ?

ଭୁବନେଶ୍ବରର ସତ୍ୟ ନଗରସ୍ଥିତ ‘ବକୁଳ ଫାଉଣ୍ଡେସନ’ଠାରେ ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ସହ କଥାବାର୍ତ୍ତା ବେଳେ ସେମାନେ କହିଛନ୍ତି ଯେ ପିଲାବେଳେ ନିଜ ମା’ଓ ଅନ୍ୟ ମହିଳାମାନଙ୍କୁ ଶାଢି ପିନ୍ଧିବା ଦେଖି ଶାଢି ପ୍ରତି ଆକର୍ଷଣ ସୃଷ୍ଟି ହୋଇଥିଲା । ଶାଢି ଯେପରି ମହିଳାଙ୍କୁ ଅକର୍ଷଣ କରିଥାଏ ତାହାର ତୁଳନା ନାହିଁ । କିନ୍ତୁ ଆଜିର ପିଢ଼ି କେବଳ ସ୍ବତନ୍ତ୍ର ଉତ୍ସବଗୁଡ଼ିକରେ ହିଁ ଶାଢୀ ପିନ୍ଧୁଛନ୍ତି । ଏଣୁ ଆମେ ଭାବିଲୁ ଯେ ଶାଢିର ଫେସନ ପୁଣି ଫେରିବା ଦରକାର ।

ସେମାନଙ୍କ ଉଦ୍ୟମ ଏବେ ଧୀରେ ଧୀରେ ସଫଳ ହେବା ଆରମ୍ଭ କରିଛି । ଶାଢି ପ୍ରତି ଯୁବତୀମାନଙ୍କ ଆକର୍ଷଣ ବଢିବାରେ ଲାଗିଛି । ଏ ସଂପର୍କରେ ସୁଜାତା ଓ ତାନିଆ କୁହନ୍ତି, ସେମାନଙ୍କ ଯେତେ ଶାଢି ବିକ୍ରି ହେଉଛି ତାହାର ଦ୍ବିତୀୟ ସର୍ବାଧିକ ଗ୍ରାହକ ହେଉଛନ୍ତି ୧୮-୨୫ ବର୍ଷୀୟ ଯୁବତୀ ।

ଆରମ୍ଭରୁ ଏଥିପାଇଁ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିଲେ ଦୁଇ ଭଉଣୀ । ପଶ୍ଚିମବଙ୍ଗରେ ଗାଁ ରୁ ଗାଁକୁ ବୁଲି ସାଧା ଶାଢି ତିଆରି କରିବାକୁ ବୁଣାକାରମାନଙ୍କୁ ପ୍ରବର୍ତ୍ତାଇବାକୁ ପଡୁଥିଲା । ପ୍ରଥମରୁ ଦୁଇ ଭଉଣୀ ନିଷ୍ପତ୍ତି ନେଇଥିଲେ ଯେ ଦୁଇଜଣ ବୁଣାକାର ହୁଅନ୍ତୁ ପଛେ, ସେମାନଙ୍କୁ ସାରା ବର୍ଷ କାମ ଯୋଗାଇ ଦିଆଯିବ । ସେହି ଛୋଟ ଉଦ୍ୟମ ଏବେ ଏ ସଫଳ ଷ୍ଟାର୍ଟଅପରେ ପରିଣତ ହୋଇଛି । ସୁତାରେ ଏବେ ପ୍ରାୟ ୧୫୦ କର୍ମଚାରୀ କାମ କରୁଛନ୍ତି । ସାରା ଦେଶରେ ଥିବା ୧୬ ହଜାର ବୁଣାକାର ଓ ଶିଳ୍ପୀଙ୍କ ଏକ ନେଟଓ୍ବର୍କ ଗଢିଛି ଏହି ଷ୍ଟାର୍ଟଅପ ।

ସମ୍ବନ୍ଧିତ ଖବର