ଭୁବନେଶ୍ବର: ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ଉପରେ ହିଂସା ଓ ନିର୍ଯାତନା ବଢ଼ିବଢ଼ି ଚାଲିଥିବା ବେଳେ ଅପେକ୍ଷାକୃତ କମ୍‌ ମାମଲାରେ ଦୋଷୀମାନେ ଦଣ୍ଡ ପାଉଛନ୍ତି। ତେଣୁ ନିର୍ଯାତିତମାନେ ନ୍ୟାୟ ପାଇପାରୁନାହାନ୍ତି ବୋଲି ଏନ୍‌ସିଆର୍‌ବି ତଥ୍ୟରୁ ଜଣାପଡ଼ିଛି।‌ ଏହି ତଥ୍ୟ ଅନୁସାରେ ୨୦୧୭ ମସିହାରେ ୧୯୬୯ଟି ନିର୍ଯାତନା ଘଟଣାରେ ଏଫ୍‌ଆଇଆର୍‌ ପଞ୍ଜୀକୃତ ହୋଇଥିବା ବେଳେ ୨୦୨୧ ମସିହାରେ ୨୩୨୭ଟି ମାମଲା ପଞ୍ଜୀକରଣ କରାଯାଇଥିଲା। ଅନୁସୂଚିତ ଜନଜାତିମାନଙ୍କ ଉପରେ ୨୦୨୧ରେ ୬୬୭ଟି ମାମଲା ପଞ୍ଜୀକରଣ ହୋଇଛି। କିନ୍ତୁ ୨୦୨୧ରେ ଦୋଷୀ ସାବ୍ୟସ୍ତ ହାର ଅନୁସୂଚିତ ଜାତି ମାମଲାଗୁଡିକରେ ମାତ୍ର ୦.୭%। ମାତ୍ର ଅନୁସୂଚିତ ଜନଜାତି ମାମଲାଗୁଡ଼ିକରେ କେହି ଜଣେ ହେଲେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି।

Advertisment

ସର୍ବଭାରତୀୟ ସ୍ତରରେ ଚଳିତ ବର୍ଷ ଦୋଷୀ ସାବ୍ୟସ୍ତ ହାର ଅନୁସୂଚିତ ଜାତି କ୍ଷେତ୍ରରେ ୩୭% ଥିବା ବେଳେ ଅନୁସୂଚିତ ଜନଜାତି ମାମଲାରେ ୨୮.୧% ରହିଛି। ଓଡ଼ିଶାରେ ୨୦୨୧ ମସିହାରେ ଅନୁସୂଚିତ ଜାତି ମାମଲାରେ ୧୪୫ ଟି ଓ ଅନୁସୂଚିତ ଜନଜାତି କ୍ଷେତ୍ରରେ ୨୪ଟି ମାମଲା ଶେଷ ହୋଇଛି। ଉଭୟ ବର୍ଗର ୯୯%ରୁ ଅଧିକ ମାମଲା ବିଚାରାଳୟଗୁଡ଼ିକରେ ପଡ଼ିରହିଛି। ରାଜ୍ୟରେ ମାତ୍ର ୩ଟି ସ୍ୱତନ୍ତ୍ର ନ୍ୟାୟାଳୟ କାର୍ଯ୍ୟ କରୁଛି। ମାମଲାଗୁଡ଼ିକରେ ପଞ୍ଜୀକରଣ, ତଦନ୍ତ, କୋର୍ଟ ପରିଚାଳନା ତଥା ନିର୍ଯାତିତଙ୍କୁ ସହାୟତା ଓ ଥଇଥାନ କ୍ଷେତ୍ରରେ ଅନେକ ଅବହେଳା କରାଯାଉଥିବାରୁ ନ୍ୟାସନାଲ୍‌ ଦଳିତ ମୁଭ୍‌ମେଣ୍ଟ ଫର୍‌ ଜଷ୍ଟିସ କ୍ଷୋଭ ପ୍ରକାଶ କରିଛି।

ଆଜି ଅନୁଷ୍ଠାନ ପକ୍ଷରୁ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ସହଯୋଗରେ କଟକସ୍ଥିତ ବ୍ଲୁ ଲାଗୁନ୍‌ ହୋଟେଲ ପରିସରରେ ଦୁଇଟି ସ୍ୱତନ୍ତ୍ର ‘ସାମାଜିକ ନ୍ୟାୟ ସଭା’ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ କଟକ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ନିକଟରେ ୧୩ଟି ମାମଲାର ନଥି ଉପସ୍ଥାପନ କରାଯାଇଛି ଓ ନିର୍ଯାତିତମାନେ ନିଜର ପକ୍ଷ ଉପସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ କଟକ ଉପଜିଲ୍ଲାପାଳ କମଲଜିତ ଦାସ ଶୁଣାଣି କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅପରାହ୍ନରେ ୫ଟି ମାମଲାର ସ୍ୱତନ୍ତ୍ର ଶୁଣାଣି ଏକ ନାଗରିକ ଜୁରି ମଣ୍ଡଳୀ ଦ୍ୱାରା କରାଯାଇଥିଲା। କାର୍ଯ୍ୟକ୍ରମରେ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜ୍ଞ ଶିଶିର ଦାସ, ପ୍ରଦୀପ ପଟ୍ଟନାୟକଙ୍କ ସମେତ ଆଡ୍‌ଭୋକେଟ ସବିତା ସୋରେନ, ଆଡ୍‌ଭୋକେଟ କ୍ରାନ୍ତିପ୍ରଭା ମୁଖୀ, ସମାଜସେବୀ ଡଲି ଦାସ, ସମାଜସେବୀ ଶର୍ମିଷ୍ଠା ନାଥଙ୍କୁ ନେଇ ଗଠିତ ଜୁରି ମଣ୍ଡଳୀ ଶୁଣାଣି କରିଥିଲେ। ଆମ୍ବେଦକର ଲୋହିଆ ବିଚାର ମଞ୍ଚର ସଭାପତି ସଂଗ୍ରାମ ମଲ୍ଲିକ, କିସ‌ାନ ପଟ୍ଟନାୟକ, ତପନ ସାମଲ, ଅରବିନ୍ଦ ମଲ୍ଲିକ, ବିରଞ୍ଚି ନାୟକ, ନୟନା ନାୟକ ଓ ସଞ୍ଜୟ କୁମାର ମଲ୍ଲିକ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।