ରାଉରକେଲା: ନିଜ ଇଚ୍ଛା ମୁତାବକ କର୍ମକ୍ଷେତ୍ର ଚୟନ କର, କିନ୍ତୁ ଶୃ୍ଙ୍ଖଳିତ ଆଚରଣ ଓ ନିଷ୍ଠାପର ଉଦ୍ୟମ ରହୁ। ଆତ୍ମବିଶ୍ବାସ, ଦାୟିତ୍ବ ଓ ସମର୍ପଣଭାବ ସହ ନିଜର ଭବିଷ୍ୟତ ନିଜେ ଗଢ଼। ସଂପ୍ରତି ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧି କରୁଥିବା ଅର୍ଥନୀତି ଭାବରେ ଉଭା ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ବୃତ୍ତିଗତ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଜଗତୀକରଣ ଓ ଡିଜିଟାଲାଇଜେସନ୍ ଯୁଗରେ ନିଜେ ନିଜକୁ ପ୍ରମାଣିତ କର। ନିଜେ ନିଜକୁ ଉପସ୍ଥାପିତ କର। ଏଭଳିଭାବେ ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ତଥା କୋଲ୍‌ ଇଣ୍ଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପୋଲାବରପୁ ମଲ୍ଲିକାର୍ଜୁନ ପ୍ରସାଦ ଛାତ୍ରଛାତ୍ରୀଙ୍କୁ ଆହ୍ବାନ କରିଛନ୍ତି।
Advertisment
ଅନୁଷ୍ଠାନର ଦିଲୀପ ତିର୍କି ଷ୍ଟାଡିୟମରେ ଅନୁଷ୍ଠିତ ୨୧ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଶ୍ରୀ ପ୍ରସାଦ କହିଲେ, ପ୍ରଗତିଶୀଳ ଭାରତର ଅମୂଲ୍ୟ ସମ୍ପଦ ହେଉଛନ୍ତି ଯୁବଗୋଷ୍ଠି। ଆମ ଯୁବପିଢ଼ି ହିଁ ବିଶ୍ବ ଜିଣିବେ। ତେବେ ଆଜିର ଯୁବସମାଜ ଚାକିରି ପଛରେ ନ ଗୋଡ଼ାଇ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରନ୍ତୁ। ଭାରତ ସରକାରଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବ ଯୋଗୁ ପ୍ରତିଟି କ୍ଷେତ୍ରରେ ରହିଥିବା ଅସରନ୍ତି ସୁଯୋଗକୁ ଛାତ୍ରଛାତ୍ରୀ ସଦୁପଯୋଗ କରିବା ଜରୁରୀ। ତେବେ ଏଥିପାଇଁ ଆତ୍ମବିଶ୍ବାସ ଓ ପ୍ରେରଣା ରହିବା ନିତାନ୍ତ ଆବଶ୍ୟକ। ସମାଜ ତଥା ଦେଶ ପ୍ରତି ନିଜର ଉତ୍ତରଦାୟିତ୍ବ ନିର୍ବାହ କରିବାକୁ ସେ ଆହ୍ବାନ ଦେଇଥିଲେ। କହିଲେ, ମେଡାଲ ନିଶ୍ଚିତ ଭାବରେ ଆନନ୍ଦ ଦେଇଥାଏ। ତେବେ କେବଳ ମେଡାଲ୍‌ ହିଁ ସଫଳତାର ଏକମାତ୍ର ପ୍ରମାଣ ନୁହେଁ। ଏଣୁ ଯେଉଁମାନେ ମେଡାଲ ପାଇନାହାନ୍ତି ସେମାନେ ନିରୁତ୍ସାହିତ ନ ହୋଇ ନିଷ୍ଠାର ସହ ନିଜ ଦାୟିତ୍ବ ପାଳନ କଲେ ସଫଳ ହେବା ନିଶ୍ଚିତ।
publive-image
ଅଧ୍ୟକ୍ଷତା ସମ୍ଭାଷଣରେ ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ ଅନୁଷ୍ଠାନର ଉପଲବ୍ଧି ବିଷୟରେ ସବି‌ଶେଷ ବିବରଣୀ ରଖିଥିଲେ। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ସମାବର୍ତ୍ତନ ସମାରୋହରେ ୪୫୭ ଜଣ ଛାତ୍ରୀ ଓ ୧୫୩୧ ଜଣ ଛାତ୍ର, ମୋଟ ୧,୯୮୮ ଜଣ ସ୍ନାତକ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯାଇଥିଲା। ଡିଗ୍ରିଧାରୀଙ୍କ ମଧ୍ୟରେ ୧୭ ବି.ଆର୍କ୍‌, ୯୬୧ ବି.ଟେକ୍, ୩୮ ଦ୍ୱୈତ ଡିଗ୍ରି (ବି.ଟେକ୍ ଓ ଏମ୍.ଟେକ୍), ୫୪ ଇଣ୍ଟିଗ୍ରେଟେଡ୍ ଏମ୍.ଏସ୍‌ସି, ୧୬୮ ଏମ୍.ଏସ୍‌ସି, ୫୨୦ ଏମ୍‌.ଟେକ୍, ୩ ଏମ୍.ଟେକ୍‌ (ଗବେଷଣା), ୨୧ ଏମ୍ଏ, ୩୯ ଏମ୍‌ବିଏ ଓ ୧୬୭ ପିଏଚ୍‌ଡି ଛାତ୍ରଛାତ୍ରୀ ଅନ୍ତର୍ଭୁକ୍ତ। ଏଥର ବିଭିନ୍ନ ବିଭାଗରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ସଂଖ୍ୟାରେ ବୃଦ୍ଧି ଘଟିଛି। ଏଥର ୪୫୭ (୨୨.୯୮%) ଜଣ ଛାତ୍ରୀ ଡିଗ୍ରି ହାସଲ କରିଛନ୍ତି। ଏହାଛଡ଼ା  ୮୨ ଜଣ ବିଦେଶୀ ଛାତ୍ରଛାତ୍ରୀ ଡିଗ୍ରି ହାସଲ କରିଛନ୍ତି। ଏଥିମଧ୍ୟରୁ ୬୬ ଜଣ ଛାତ୍ର ଓ ୧୬ ଜଣ ଛାତ୍ରୀ ଅଛନ୍ତି। ଏତଦ୍‌ବ୍ୟତୀତ ଏଥର ୮ ଜଣ ଛାତ୍ରଛାତ୍ରୀଙ୍କୁ ଆନୁଷ୍ଠାନିକ ସ୍ୱର୍ଣ୍ଣପଦକ, ୫ ଜଣ ଛାତ୍ରଛାତ୍ରୀଙ୍କୁ ଏଣ୍ଡୋମେଣ୍ଟ୍‌ ସ୍ୱର୍ଣ୍ଣପଦକ ଓ ୪ ଜଣ ପୂର୍ବତନ ଛାତ୍ରଙ୍କୁ ‘ବିଶିଷ୍ଟ ଛାତ୍ର ସମ୍ମାନ’ ପ୍ରଦାନ କରାଯାଇଥିଲା।

ସ୍ବର୍ଣ୍ଣ ପଦକଧାରୀଙ୍କ ମୁହଁରୁ..

‘ମାର୍କେଟିଂ ଓ ଗବେଷଣା କ୍ଷେତ୍ରରେ ପ୍ରତ୍ୟେକ ମୂହୁର୍ତ୍ତରେ ନୂଆ ଉଦ୍ଭାବନ, ଟେକ୍ନୋଲୋଜିର ନିରନ୍ତର ଆବଶ୍ୟକତା ପଡ଼ିଥାଏ; ଯାହାକି ମୋତେ ବହୁମାତ୍ରାରେ ଆକର୍ଷିତ କରିଥିଲା। ଏଣୁ ଏଥିରେ ହିଁ ଭବିଷ୍ୟତ ଗଢ଼ିବାକୁ ଲକ୍ଷ୍ୟ ରଖିଛି। ସଂପ୍ରତି ହକିନ୍ସ କମ୍ପାନିରେ ନୂଆଦିଲ୍ଲୀରେ କାର୍ଯ୍ୟରତ। ଲକ୍ଷ୍ୟ ପୂରଣ ପାଇଁ ପ୍ରସ୍ତୁତି ଅବ୍ୟାହତ ରହିଛି।
ସୋନିକା ନାଥ(ଏମ୍‌ବିଏ)

‘ପିଲାଟି ଦିନରୁ ସେମିକଣ୍ଡକ୍ଟର ପ୍ରତି ମୋ’ର ଅଶେଷ ଦୁର୍ବଳା ରହିଥିଲା। ଶିକ୍ଷାସମାପ୍ତିପରେ ଏହି କ୍ଷେତ୍ରରେ କ୍ୟାରିଅର୍‌ କରିବାକୁ ଏକ ସୁଯୋଗ ମିଳିଥିଲା, ତାକୁ ହାତଛଡ଼ା କରିନଥିଲି। ବର୍ତ୍ତମାନ ବାଙ୍ଗାଲୋରସ୍ଥ ଏକ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌ରେ କାର୍ଯ୍ୟରତ। ଆଗାମୀ ଦିନରେ ଏହି କ୍ଷେତ୍ରରେ ହିଁ ନିଜକୁ ବ୍ରତୀ ରଖିବି।
ନେହାର ସିଂହ ବିସେନ(ଡୁଆଲ୍‌ ଡିଗ୍ରି)