ଆଇନ କ୍ଷେତ୍ରରେ ନିଷ୍ଠା ଓ କରୁଣା ଜରୁରୀ: ପ୍ରଧାନ ବିଚାରପତି

ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ

କଟକ : ଆଇନ୍‌ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ନିଜ କାମରେ ନିଷ୍ଠା ଓ କରୁଣା ରଖିବା ଜରୁରୀ। ଯେଉଁ ବ୍ୟକ୍ତି ଏହି ଦୁଇଟିକୁ ସାଙ୍ଗରେ ନେଇ ଦେଶର ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ ପାଇଁ କାମ କରେ, ସେହି ବ୍ୟକ୍ତି ଜୀବନରେ ସଫଳ ହୋଇଥାଏ। ନିଷ୍ଠା ଓ କରୁଣା ମଧ୍ୟରେ ଆଇନ୍‌ର ଆଚରଣବିଧିକୁ ଗୁରୁତ୍ବ ଦେଇ ଆଗକୁ ଯିବାକୁ ହେବ। ଆଇନ୍‌ ବିଶ୍ବବିଦ୍ୟାଳୟରୁ ବାହାରୁଥିବା ଛାତ୍ରଛାତ୍ରୀ ଯେଉଁ ଶିକ୍ଷା ବିଶ୍ବବିଦ୍ୟାଳୟରୁ ପାଇଥାନ୍ତି, ତାକୁ ଜୀବନର ପ୍ରତ୍ୟେକ ସ୍ତରରେ ବ୍ୟବହାର କଲେ ଦେଶର ନ୍ୟାୟପାଳିକା ଅଧିକ ସୁଦୃଢ଼ ହେବ ବୋଲି ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ୯ମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ୟୁ. ୟୁ. ଲଳିତ କହିଛନ୍ତି। ବିଶ୍ବବିଦ୍ୟାଳୟର ଆମ୍ପିଥିଏଟ୍‌ରରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଏନ୍‌ଏଲୟୁଓ କୁଳାଧିପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବେଦ୍‌ କୁମାରୀ କାର୍ଯ୍ୟକ୍ରମରେ ପୌ‌ରୋହିତ୍ୟ କରିବା ସହ ବିଶ୍ବବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ।

ସମାବର୍ତ୍ତନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ସୁପ୍ରିମକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍‌ ଡି.ୱାଇ. ଚନ୍ଦ୍ରଚୂଡ ଓ ଜଷ୍ଟିସ୍‌ ଏମ୍‌. ଆର. ଶାହା ଯୋଗ ଦେଇଥିଲେ। ସଭାରେ ପ୍ରଫେସର ଡକ୍ଟର ସୁମନ୍‌ ଦାଶ ଭଟ୍ଟମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିଙ୍କ ଦ୍ବାରା ବିଶ୍ବବିଦ୍ୟାଳୟର ବାର୍ଷିକ ପତ୍ରିକା, ‘ମାନବାଧିକାର ଆଇନ୍‌ ଓ ‘ଖୋଜ୍‌ ଡାଟା ସେଟ୍‌ ପତ୍ରିକାକୁ ଉନ୍ମୋଚନ କରାଯାଇଥିଲା।

ଏହି ଅବସରରେ ୨୨୧ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧୢରେ ୪ ଜଣଙ୍କୁ ପିଏଚ୍‌ଡି ଡିଗ୍ରି, ୩୮ଜଣଙ୍କୁ ଏଲ.ଏଲ.ଏମ୍‌ ଡିଗ୍ରି, ୧୧୩ ଜଣଙ୍କୁ ବିଏ ଏଲଏଲ.ବି, ୫୯ଜଣଙ୍କୁ ବିବିଏ ଏଲଏଲ.ବି. ଡିଗ୍ରି ପ୍ରଦାନ କରାଯ‌ାଇଛି। ଏଥିରେ ମୋଟ ୨୨ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ଚଳିତ ବର୍ଷ ବିବିଏ ଏଲଏଲ.ବିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୁପ୍ରଭ ଗାର୍ଗଙ୍କୁ ସର୍ବାଧିକ ୭ଟି ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ ବିଏ ଏଲଏଲ.ବିରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଆରିୟା ଝାଙ୍କୁ ୫ଟି ଓ ବିବିଏ ଏଲଏଲ.ବି (ସମ୍ମାନ)ରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ସୁସ୍‌ମିତ ମଣ୍ଡଲଙ୍କୁ ୪ଟି ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ସେହିପରି ପର୍ସନାଲ ଲରେ ସର୍ବାଧିକ ନମ୍ବର ରଖିଥିବା ଋତୁପୂର୍ଣ୍ଣା ପାଣ୍ଡେ, ଆଉଟ୍‌ ଡୋର୍‌ ସ୍ପୋର୍ଟସ୍‌ରେ ତୁଷାର ତ୍ରିବେଦୀ, ବିବିଏ ଏଲ୍‌ଏଲ୍‌.ବିରେ ଦ୍ବିତୀୟ ସ୍ଥାନରେ ଥିବା ଅରବିନ୍ଦ ଶଙ୍କର, ତୃତୀୟ ସ୍ଥାନରେ ଥିବା ଶିବାଲିକା ରୁଦ୍ରବାତଲା, ବିଏ ଏଲଏଲ.ବିରେ ଦ୍ବିତୀୟ ସ୍ଥାନରେ ଥିବା ଜୟେସ୍‌ ଆଡଭାନୀ, ଏଲଏଲଏମ୍‌ର କନ୍‌ଷ୍ଟିଚ୍ୟୁସନାଲ ଲରେ ନେହା ରାଣି ଓ କର୍ପୋରେଟର ଲରେ କାଭିୟା ପି.ଏଚ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

 

ଉତ୍ସବରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ୟୁ. ୟୁ. ଲଳିତ, ସୁପ୍ରିମକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ ଓ ଜଷ୍ଟିସ୍‌ ଏମ୍‌. ଆର. ଶାହାଙ୍କୁ ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡକ୍ଟର ଏସ୍‌. ମୁରଲୀଧର ସମ୍ବର୍ଦ୍ଧିତ କରିଥିଲେ। ବିଶ୍ବବିଦ୍ୟାଳୟର କୁଳାଧିପତିଙ୍କୁ କୁଳପତି ବେଦ୍‌ କୁମାରୀ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୁଳସଚିବ ପ୍ରଫେସର ଯୋଗେଶ ପ୍ରତାପ ସିଂହଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର