ରାଉରକେଲା ଏନ୍‌ଆଇଟିର ସମାବର୍ତ୍ତନ ଉତ୍ସବ

୧୭୧୭ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ, ୫ଜଣଙ୍କୁ ସ୍ବର୍ଣ୍ଣ ପଦକ, ୯ଜଣ ପୁରୁଣା ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ରାଉରକେଲା: ନିଜ ଉପରେ ସବୁବେଳେ ବିଶ୍ବାସ ରଖ। ଲକ୍ଷ୍ୟପଥରେ ଅନେକ ବିଫଳତା ଆସିବ, ସେସବୁକୁ ସାମ୍‌ନା କରିବାକୁ ହେବ। କେବେହେଲେ ଲକ୍ଷ୍ୟରୁ ବିଚ୍ୟୁତ ହୁଅନାହିଁ। – ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍‌ଆଇଟି), ରାଉରକେଲାର ୨୦ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (ସେଲ୍)ର ଅଧ୍ୟକ୍ଷା ତଥା ଅନୁଷ୍ଠାନର ପୁରାତନ ଛାତ୍ରୀ ସୋମା ମଣ୍ଡଳ ଏହା କହିଛନ୍ତି। ସେହିଭଳି ସମ୍ମାନୀତ ଅତିଥି ଭାବେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍‌ସିଏଲ୍‌) ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓମ୍ ପ୍ରକାଶ ସିଂ କହିଲେ, ‘‘ସଫଳ ଇଞ୍ଜିନିୟର ହେବା ପାଇଁ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ରହିବା ନିହାତି ଆବଶ୍ୟକ। ଏହା ସହ ଯୋଗାଯୋଗର କୌଶଳ, ନେତୃତ୍ୱ ଗୁଣ, ଉତ୍ସାହ ଓ ବିଭିନ୍ନ ଅସୁବିଧାକୁ ଯଥାଶ୍ରୀଘ୍ର ସମାଧାନ କରିବା କ୍ଷମତା ରହିବା ଜରୁରି। ଛାତ୍ରଛାତ୍ରୀମାନେ ଅନୁଷ୍ଠାନର ଜଣେ ଜଣେ ବ୍ରାଣ୍ଡ ଆମ୍ବାସାଡର। ଉତ୍ସବରେ ଅଧ୍ୟକ୍ଷତା କରି ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଛାତ୍ରଛାତ୍ରୀଙ୍କ କ୍ୟାରିୟର ସଫଳତା କାମନା କରି କହିଲେ, ରାଉରକେଲା ଏନଆଇଟି ୬୦ ବର୍ଷର ଯାତ୍ରା ସମାପ୍ତ କରିଛି। ଚଳିତ ବର୍ଷ ପାଠ୍ୟକ୍ରମରେ ସଂସ୍କାର ଆଣିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ରାଷ୍ଟ୍ର ନିର୍ମାଣରେ ଏହି ଅନୁଷ୍ଠାନର ଆଲୁମ୍‌ନିମାନଙ୍କର ଯଥେଷ୍ଟ ଅବଦାନ ରହିଛି।

ଏହି ସମାରୋହରେ ମୋଟ୍‌ ୧୭୧୭ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ସେଥିମଧ୍ୟରେ ଥିଲେ ବି.ଟେକ୍ ପାଠ୍ୟକ୍ରମର ୭୬୭ଜଣ, ବି. ଆର୍କର ୧୭ଜଣ, ବି.ଟେକ୍‌ ଓ ଏମ୍.ଟେକ୍ (ଡୁଆଲ୍ ଡିଗ୍ରୀ)ର ୪୧ଜଣ, ଇଣ୍ଟିଗ୍ରେଟେଡ ଏମଏସସିର ୪୧ଜଣ, ମାଷ୍ଟର୍ ଅଫ୍ ସାଇନ୍ସର ୧୫୧ଜଣ, ମାଷ୍ଟର୍ ଅଫ୍ ଆର୍ଟସର ୨୩ଜଣ, ମାଷ୍ଟର୍ ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନର ୨୬ଜଣ, ଏମ.ଟେକର ୫୨୫ଜଣ, ଏମ.ଟେକ୍ (ଗବେଷଣା)ର ୨ଜଣ, ଡକ୍ଟର୍ ଅଫ୍ ଫିଲୋସଫିରେ ୧୨୪ଜଣ ଛାତ୍ରଛାତ୍ରୀ। ଏମାନଙ୍କ ଭିତରୁ ୫ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଅନୁଷ୍ଠାନର ୯ଜଣ ପୁର୍ବତନ ଛାତ୍ରଛାତ୍ରୀ (ଆଲୁମନି)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଉଛନ୍ତି, ଆଇଆଇଟି ବମ୍ବେର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଭାଲ୍ଲମୁଦି ରବି, ଏନ୍ଆଇଟି ଅରୁଣାଚଳ ପ୍ରଦେଶର ନିର୍ଦ୍ଦେଶକ ପ୍ରଫେସର ପିନାକେଶ୍ବର ମହାନ୍ତ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ମଣ୍ଡିର ନିର୍ଦ୍ଦେଶକ ପ୍ରଫେସର୍ ଲକ୍ଷ୍ମୀଧର ବେହେରା, ଯୁକ୍ତରାଷ୍ଟ୍ର ଆମେରିକାର ସାଉଥ୍ କରୋଲିନା ଷ୍ଟେଟ୍ ୟୁନିଭରସିଟିର ପ୍ରଫେସର ନିକୁଞ୍ଜ ସ୍ବାଇଁ, ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ, ଆଡୋବ୍ ଇଣ୍ଡିଆର ଉପସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ପ୍ରତିଭା ମହାପାତ୍ର, ପୂର୍ବତନ ସିଏମଡି ତଥା ଇସିଆଇଏଲର ଆଡମିରାଲ୍ ସଂଜୟ ଚୌବେ, ଆଇପିଏସ୍ ଲଳିତ ଦାସ ଓ ଉଦ୍ୟୋଗପତି ସୂର୍ଯ୍ୟ ନାରାୟଣ ସାହୁ। ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ଥିଲା ଆଜି ଅନୁଷ୍ଠାନର ସବୁ ଛାତ୍ରୀ ସମ୍ବଲପୁରୀ ଶାଢ଼ୀ ଓ ଛାତ୍ର କୁର୍ତ୍ତା ପିନ୍ଧିଥିଲେ। ଅନୁଷ୍ଠାନ ପରିସର ଭିନ୍ନ ଏହା ଭିନ୍ନ ଏକ ମାହୋଲ୍ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର