ଉତ୍କଳ ସାହିତ୍ୟ ସମାଜର ସମାବର୍ତ୍ତନ ଉତ୍ସବ ଉଦ୍‌ଯାପିତ: ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ‘ଉତ୍କଳ ରତ୍ନ ସମ୍ମାନ’

ଓଡ଼ଆ ଜାତି କେବେ ଗରିବ ନୁହେଁ : ଜଷ୍ଟିସ୍ ମିଶ୍ର

କଟକ : ଉତ୍କଳ ସାହିତ୍ୟ ସମାଜର ୧୨୦ତମ ସମାବର୍ତ୍ତନ ଉତ୍ସବ ରବିବାର ଦିନ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ‘ଉତ୍କଳ ରତ୍ନ ସମ୍ମାନ’ ପ୍ରଦାନ କରାଯାଇଛି। ବିଭିନ୍ନ ବର୍ଗରେ ଅନ୍ୟ ପ୍ରତିଭାମାନଙ୍କୁ ମଧ୍ୟ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଛି।

କଟକ ଶତାବ୍ଦୀଭବନଠାରେ ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁଙ୍କ ପୌରୋହିତ୍ୟରେ ଅୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଓଡ଼ିଆ ହାଇକୋର୍ଟର ବିଚାରପତି ଜ‌ଷ୍ଟିସ୍ ଶଶିକାନ୍ତ ମିଶ୍ର। ଜଷ୍ଟିସ୍ ମିଶ୍ର କହିଥିଲେ, , ସାହିତ୍ୟ ଆମକୁ ଯୋଡ଼ିଥାଏ। ସାହିତ୍ୟରୁ ହିଁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ସୃ‌ଷ୍ଟି। ଆମ ସାହିତ୍ୟ ବେଶ୍ ସମୃଦ୍ଧ ଓ ପ୍ରାଚୀନ। ଏଥିପାଇଁ ଓଡ଼ିଆ ଜାତି କେବେ ଗରିବ ନୁହେଁ। କୋଣାର୍କ ଭଳି ଅସାମାନ୍ୟ କାରୁକାର୍ଯ୍ୟ ସୃଷ୍ଟି କରିଥିବା ଜାତି କେବେ ଗରିବ ହୋଇ ନ ପାରେ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଥିଲେ, ସାହିତ୍ୟ ହିଁ ଜାତିକୁ ତିଆରି କରେ। ଓଡ଼ିଆ ସାହିତ୍ୟ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ। ହାରି ଯାଉଥିବା ମଣିଷ ମଧ୍ୟରେ ଯାହା ଆଶା ସଂଚାର କରାଏ, ତାହା ସାହିତ୍ୟ ବୋଲି ଶ୍ରୀ ବେନହୁର କହିଥ‌ିଲେ। ଉତ୍ସବ ଅବସରରେ ବିଶିଷ୍ଟ ଭାଷାତତ୍ତ୍ବବିତ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଚଳିତ ବର୍ଷ ପାଇଁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଜ‌‌ଷ୍ଟିସ୍ ମିଶ୍ର ଅନୁଷ୍ଠାନର ଫଳକ, ମାନପତ୍ର ଓ ଉତ୍ତରୀୟ ପ୍ରଦାନକରି ପଦ୍ମଶ୍ରୀ ପଟ୍ଟନାୟକଙ୍କୁ ସମ୍ମାନିତ କରିଥିଲେ। ପ୍ରତିକ୍ରିୟାରେ ଶ୍ରୀ ପଟ୍ଟନାୟକ କହିଥିଲେ, ନିଜ ମାଟିରେ ପାଇଥିବା ‘ଉତ୍କଳ ରତ୍ନ’ ତାଙ୍କ ପାଇଁ ‘ଭାରତ ରତ୍ନ’ ଅପେକ୍ଷା ଅଧିକ ମୂଲ୍ୟବାନ।

ଏଥିସହିତ ନରସିଂହ ମିଶ୍ରଙ୍କୁ ଶୁକ‌ଦେବ ସାହୁ ଉପନ୍ୟାସ ସମ୍ମାନ, ଡକ୍ଟର ଅରବିନ୍ଦ ରାୟଙ୍କୁ ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ଧନୁର୍ଦ୍ଧର ମିଶ୍ରଙ୍କୁ ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ସୌଭାଗିନୀ ରାୟଙ୍କୁ ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ, ଡକ୍ଟର ବିପିନ ନାୟକଙ୍କୁ ଗଙ୍ଗାଧର ମେହେର କବିତା ସମ୍ମାନ, ଡକ୍ଟର ମନ୍ମଥ କୁମାର ପ୍ରଧାନଙ୍କୁ ଗୋପୀନାଥ ନନ୍ଦ ପ୍ରବନ୍ଧ ସାହିତ୍ୟ ସମ୍ମାନ, ଡକ୍ଟର ଲାବଣ୍ୟଚନ୍ଦ୍ର ସାହୁଙ୍କୁ ରାମକୃଷ୍ଣ ନନ୍ଦ ଶିଶୁ ସାହିତ୍ୟ ସମ୍ମାନ, ଜୟୀରାମ ସାମଲଙ୍କୁ ବୈଷ୍ଣବ ପାଣି କଳା ସମ୍ମାନ, କୁମାର ହସନଙ୍କୁ ପ୍ରଫୁଲ୍ଲଦାସ ଅନୁବାଦ ସାହିତ୍ୟ ସମ୍ମାନ, ମେଜର କ୍ଷୀରୋଦ ପ୍ରସାଦ ମହାନ୍ତିଙ୍କୁ ରାଧାନାଥ ରଥ ସମ୍ବାଦ ସାହିତ୍ୟ ସମ୍ମାନ, ଡକ୍ଟର ବ୍ରଜକିଶୋର ସ୍ବାଇଁଙ୍କୁ ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ, ବିଜୟିନୀ ସିଂହଦେଓଙ୍କୁ ବସନ୍ତ କୁମାରୀଦେବୀ ଲେଖିକା ସମ୍ମାନ, ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କୁ ବିଦ୍ୟାଧର ମିଶ୍ର ଜୀବନୀ ସାହିତ୍ୟ ସମାନ, ପ୍ରସନ୍ନ କୁମାର ମହାନ୍ତି ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ, ସତ୍ୟାନାସଙ୍କୁ ନୀରଦପ୍ରଭା ହାସ୍ୟବ୍ୟଙ୍ଗ ସମ୍ମାନ, ଅଲେଖ ବିଶ୍ବାଳଙ୍କୁ ନବରୂପା ରାଜ ଗୀତିକବିତା ସମ୍ମାନ, ରାସେଶ୍ବରୀ ମିଶ୍ରଙ୍କୁ ବିଶ୍ବନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ, ଘନଶ୍ୟାମ ପଣ୍ଡାଙ୍କୁ କବିଚନ୍ଦ୍ର ସଂଗୀତଗୁରୁ ସମ୍ମାନ, ସୁଭାଷ ଚନ୍ଦ୍ର ଦାଶଙ୍କୁ ଭିକାରି ବଳ କଣ୍ଠଶିଳ୍ପୀ ସମ୍ମାନ, ଅନସୂୟା ମିଶ୍ରଙ୍କୁ ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ, ଅଞ୍ଜନ ଚାନ୍ଦଙ୍କୁ ପ୍ରଭା ପଟେଲ ରମ୍ୟରଚନା ଓ ଳଳିତ ନିବନ୍ଧ ସମ୍ମାନ, ରାଧା ମୋହନ ସାହୁଙ୍କୁ ବ୍ରହ୍ମାନନ୍ଦ ପଣ୍ଡା ସାଂସ୍କୃତିକ ସଂଗଠନ ସମ୍ମାନ, କଥାକାର ରବିନାରାୟଣ ଦାଶଙ୍କୁ କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ବତ ସମ୍ମାନ, ପ୍ରକାଶକ ଜୀବନାନ୍ଦ ମିଶ୍ରଙ୍କୁ ଦେବବ୍ରତ କର ପ୍ରକାଶକ ସମ୍ମାନ, ଡକ୍ଟର ସଦାନନ୍ଦ ନାୟକଙ୍କୁ ନିରଞ୍ଜନ ଦାସ ଭାଷା ସମ୍ମାନ, କ୍ଷେତ୍ରବାସୀ ସାହୁଙ୍କୁ ବାଗ୍ମୀ ବିଶ୍ବନାଥ କର ସଂପାଦନା ସମ୍ମାନ ଓ ଗଜେନ୍ଦ୍ର ପ୍ରସାଦ ସାହୁଙ୍କୁ ସୁନାମଣି ସାମଲ ଚିତ୍ରଶିଳ୍ପୀ ସମ୍ମାନ ପ୍ରଦାନ କରାଯାଇଥିଲା।
ଅନୁଷ୍ଠାନର ଉପସଭାପତି ସଂଜିତ୍ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟନିର୍ବାହୀ ସାଧାରଣ ସଂପାଦକ ଆଦିତ୍ୟ ପ୍ରତାପ ଧଳ ବିବରଣୀ ପାଠ କରିଥିଲେ। ଶେଷରେ, ଡାକ୍ତର ସୁଦର୍ଶନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର