କଟକ : ଜୟ ଝାଡ଼େଶ୍ବର କୋଅପରେଟିଭ୍ ସୋସାଇଟିରେ ପ୍ରାୟ ୧୦୦ ଜଣ ସଦସ୍ୟଙ୍କ ୧୦ କୋଟି ଟଙ୍କା ଚଳୁ ହୋଇଯାଇଛି। ଏହି ମାମଲାରେ ବାଦାମବାଡ଼ି ଥାନା ପୁଲିସ ସୋସାଇଟିର ମୁଖ୍ୟ ସଂଚାଳନ ଅଧିକାରୀ(ସିଓଓ) ଶିବ କୁମାର ସ୍ବାଇଁଙ୍କୁ ଗିରଫ କରିଛି। ଶିବଙ୍କ ପରିବାର ସଦସ୍ୟ ବି ଏହି କେଳେଙ୍କାରୀରେ ସମ୍ପୃକ୍ତ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ବରାଳ ଲେନରେ ଥିବା ଜୟ ଝାଡ଼େଶ୍ବର କୋଅପରେଟିଭ୍ ସୋସାଇଟି ୨୦୦୨ ମସିହାରେ ସୋସାଇଟି ଆକ୍ଟରେ ପଞ୍ଜୀକରଣ ହୋଇଥିଲା। ପାଖାପାଖି ୫୦୦ ସଦସ୍ୟ ଏଥିରେ ଯୋଡ଼ି ହୋଇଥିଲେ। ସୋସାଇଟିର ସିଓଓ ଶିବ ଅଧିକ ସୁଧର ଲୋଭ ଦେଖାଇ ସଦସ୍ୟଙ୍କ ସ୍ଥାୟୀ ଜମା ଓ ସଞ୍ଚୟ ଖାତା ଖୋଲିଥିଲେ। ୨୦୧୨ରୁ ୨୦୧୮ ଯାଏ ଏହି ସଦସ୍ୟ ଟଙ୍କା ଜମା କରିଥିଲେ। ୨୦୧୮ରେ ସୋସାଇଟି ଭାଙ୍ଗିଯାଇଥିଲା। ମାତ୍ର, ସଦସ୍ୟଙ୍କ ଟଙ୍କା ଶିବ ଫେରସ୍ତ କରିନଥିଲେ। ୨୦୨୧ ଡିସେମ୍ବରରୁ ସୋସାଇଟିର ସଦସ୍ୟ ନିରଞ୍ଜନ ପାଣିଗ୍ରାହୀ, ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଶିଶିର କୁମାର ମହାନ୍ତି, ସମୀର ମହାନ୍ତି, ଶିଶିର ଜେନା ବାଦାମବାଡ଼ି ଥାନାରେ ପର୍ଯ୍ୟାୟକ୍ରମେ ଏତଲା ଦେଇଥିଲେ। ବାଦାମବାଡ଼ି ଥାନା ପୁଲିସ ପକ୍ଷରୁ କୋଅପରେଟିଭ୍ ସୋସାଇଟିର ତତ୍କାଳୀନ ଆସିଷ୍ଟାଣ୍ଟ ରେଜିଷ୍ଟ୍ରର ସୁନିତା ପତି, ଡେପୁଟି ରେଜିଷ୍ଟ୍ରର ଲକ୍ଷ୍ମୀଧର ସୁବୁଧିଙ୍କୁ ପୁଲିସ ଏ ସଂକ୍ରାନ୍ତରେ ଚିଠି ଲେଖିଥିଲେ। ପ୍ରକୃତରେ କେତେ ପରିମାଣର ଠକେଇ ହୋଇଛି, ସେ ନେଇ ତଥ୍ୟ ମଗାଯାଇଥିଲା।
ସୋସାଇଟି ପକ୍ଷରୁ ଜୟ ଝାଡ଼େଶ୍ବର କୋଅପରେଟିଭ୍ ସୋସାଇଟିରେ ପ୍ରାୟ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କେଳେଙ୍କାରୀ ହୋଇଥିବା ସ୍ପଷ୍ଟ କରିଥିଲେ। ଶେଷରେ ବାଦାମବାଡ଼ି ଥାନା ପୁଲିସ ବରାଳ ଲେନରେ ରହୁଥିବା ଟାଙ୍ଗୀ ପୋପରଡ଼ା ଅଞ୍ଚଳର ଝାଡ଼େଶ୍ବର କୋଅପରେଟିଭର ମୁଖ୍ୟ ସଂଚାଳନ ଅଧିକାରୀ(ସିଓଓ) ଶିବ କୁମାର ସ୍ବାଇଁଙ୍କୁ ଗିରଫ କରିଛି। ଶିବଙ୍କ ବାପା ଉପେନ୍ଦ୍ର ସ୍ବାଇଁ ବି ତଦନ୍ତ ପରିସରଭୁକ୍ତ ଅଛନ୍ତି। ତାଙ୍କ ପତ୍ନୀ ସୋସାଇଟିର ଆର୍ଥିକ କାରବାର ବୁଝାସୁଝା କରୁଥିବାରୁ ତାଙ୍କୁ ବି ପଚରାଉଚରା କରାଯାଉଛି। ଏବେ ପୁଲିସ ପରିବାରର ସମସ୍ତ ସଦସ୍ୟଙ୍କୁ ତଦନ୍ତ ପରିସରଭୁକ୍ତ କରି ତନାଘନା ଆରମ୍ଭ କରିଥିବା ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/arrest.jpg)