କୁଚ୍‌ ବେହାର ଟ୍ରଫି: ହରିୟାନା ଦ୍ବିତୀୟ ଦିନ ସୁଦ୍ଧା ୫ ୱିକେଟରେ ୪୬୬

ସମ୍ବଲପୁର: ମୟଙ୍କ ସାଣ୍ଡିଲ୍ୟ ଓ ସର୍ବେଶ ରୋହିଲ୍ଲାଙ୍କ ଶତକ ବଳରେ ହରିଆଣା ଦଳ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୫ ଵିକେଟ୍‌ ହରାଇ ୪୬୬ ରନ୍‌ ସଂଗ୍ରହ କରିଛି। ସମ୍ବଲପୁର ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ଠାରେ ଚାଲିଥିବା କୁଚ୍‌ ବେହାର ଟ୍ରଫି ମୁକାବିଲାରେ ଓଡ଼ିଶାଠାରୁ ୨୭୨ ରନ୍‌ରେ ହରିଆଣା ଆଗୁଆ ହୋଇଛି। ହରିଆଣାର ୨ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ମୟଙ୍କ ଓ ସାମନ୍ତ ଜଖାର ଦଳୀୟ ସ୍କୋର୍‌ ୭୮ ରନ୍‌ରୁ ଦ୍ବିତୀୟ ଦିନର ଖେଳ ଆରମ୍ଭ କରିଥିଲେ। ୧୧୭ ରନ୍‌ରେ ସାମନ୍ତ ୫୦ ରନ୍‌ (୬୬ ବଲ୍‌, ୯ ଚୌକା, ୧ ଛକା) କରି ପ୍ରଥମ ଖେଳାଳି ଭାବେ ଆଉଟ୍‌ ହୋଇଥିଲେ।

ଦ୍ବିତୀୟ ଵିକେଟ୍‌ ପାଇଁ ମୟଙ୍କ ଓ ଅଧିନାୟକ ନିଶାନ୍ତ ସୁନ୍ଧୁଙ୍କ ମଧ୍ୟରେ ୧୨୦ ରନ୍‌ର ଭାଗୀଦାରି ହୋଇଥିଲା। ନିଶାନ୍ତ ୬୩ ରନ୍‌(୧୦୦ ବଲ୍‌, ୮ ଚୌକା, ୨ ଛକା) କରି ଅଭିନବଙ୍କ ଶିକାର ହୋଇଥିଲେ। ପାର୍ଥ ଭାଟ୍ସ ମାତ୍ର ୫ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ହରିଆଣା ପାଇଁ ମୟଙ୍କ ସର୍ବାଧିକ ୧୨୯ ରନ୍‌(୧୯୪ ବଲ୍‌, ୧୬ ଚୌକା, ୪ ଛକା) କରି ଚତୁର୍ଥ ଖେଳାଳି ଭାବେ ଆଉଟ୍‌ ହୋଇଥିଲେ। ଆୟୁଷ ଖମାର ମାତ୍ର ୧୦ ରନ୍‌ କରି ପଞ୍ଚମ ଵିକେଟ୍‌ ଭାବେ ଆଉଟ୍‌ ହେବା ପରେ ସର୍ବେଶ ରୋହିଲ୍ଲା ଓ ଯଶବର୍ଦ୍ଧନ ଦଲାଲ୍‌ ପାଳି ସମ୍ଭାଳିଥିଲେ। ଦ୍ବିତୀୟ ଦିନ ଶେଷ ସୁଦ୍ଧା ସର୍ବେଶ ରୋହିଲ୍ଲା ୧୧୮* ରନ୍‌(୧୪୭ ବଲ୍‌, ୧୨ ଚୌକା, ୩ ଛକା) ଓ ଯଶବର୍ଦ୍ଧନ ଦଲାଲ୍‌ ୮୬* ରନ୍‌(୧୧୦ ବଲ୍‌, ୧୧ ଚୌକା, ୧ ଛକା) କରି ଅପରାଜିତ ଅଛନ୍ତି। ଉଭୟଙ୍କ ମଧ୍ୟରେ ସର୍ବାଧିକ ୧୮୩ ରନ୍‌ର ଭାଗୀଦାରି ହୋଇଛି। ଓଡ଼ିଶା ପକ୍ଷରୁ ସ୍ବୟମ୍‌ ରାଉତରାୟ ସର୍ବାଧିକ ୨ଟି ଵିକେଟ୍‌ ନେଇଥିବା ବେଳେ ଅଭିନବ ନନ୍ଦ, ସାଇଦୀପ ମହାପାତ୍ର, ରିତେଶ ପ୍ରିୟରଞ୍ଜନ ଗୋଟିଏ ଲେଖାଏଁ ଵିକେଟ୍‌ ନେଇଛନ୍ତି। ଓଡ଼ିଶା ଦଳ ପ୍ରଥମ ଦିନ ୧୯୪ ରନ୍‌ରେ ଅଲଆଉଟ୍ ହୋଇଥିଲା।

ସମ୍ବନ୍ଧିତ ଖବର