ସମ୍ବଲପୁର: ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ ଠାରେ ଶନିବାର ଠାରୁ ୧୯ ବର୍ଷରୁ କମ୍‌ କୁଚ୍‌ ବେହାର ଟ୍ରଫି ଆରମ୍ଭ ହୋଇଛି। କୋଭିଡ୍‌ ପରେ ଏହା ପ୍ରଥମ ଜାତୀୟ ସ୍ତରୀୟ ମୁକାବିଲା ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ମ୍ୟାଚ୍‌କୁ ନେଇ ବେଶ୍‌ ଆଗ୍ରହ ଦେଖିବାକୁ ମିଳିଛି। ହରିଆଣା ବିପକ୍ଷ ଏହି ମ୍ୟାଚ୍‌ରେ ସମ୍ବଲପୁରର ଅଭିନବ ନନ୍ଦ ପଦାର୍ପଣ ସୁଯୋଗ ପାଇଛନ୍ତି। ଯାହା ସ୍ଥାନୀୟ ଦର୍ଶକଙ୍କୁ ଅଧିକ ଉତ୍ସାହିତ କରିଥିଲା। ବିସିସିଆଇ ପକ୍ଷରୁ ଆର୍‌ ସୁବ୍ରମଣିଆନ୍‌ ଆୟର ଓ ଆର୍‌ ରାକେଶ ଅମ୍ପାୟାର୍‌ ଏବଂ ମୌମିତା ଚକ୍ରବର୍ତ୍ତୀ ରେଫରି ଭାବେ ମ୍ୟାଚ୍‌ ପରିଚାଳନା କରିଥିଲେ।

Advertisment

ଜିଲ୍ଲା କ୍ରୀଡ଼ା ସଂଘର ସଭାପତି ଦୁଲାଲ ପ୍ରଧାନଙ୍କ ତତ୍ତ୍ବାବଧାନରେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ସମେତ ଆଇଏସ୍‌ ରିହାନ କ୍ଷେତ୍ରୀ, ହିଣ୍ଡାଲ୍‌କୋର କ୍ରିଷ୍ଣା ପାଢ଼ୀ, ଓସିଏର ଯୁଗ୍ମ ସମ୍ପାଦକ ପ୍ରଭାସ ଭୋଳ, ନୂଆପଡ଼ା ସମ୍ପାଦକ ସରୋଜ ସାହୁ, ଦେବଗଡ଼ ସମ୍ପାଦକ ସୁଜିତ ପ୍ରଧାନ, ବରଗଡ଼ର ରବି ପଣ୍ଡା ଓ ହର ପ୍ରଧାନ, ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ପ୍ରମୋଦ ରଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସାଧାରଣ ସମ୍ପାଦକ ସୁନୀଲ ସାହୁ, ଉପ ସଭାପତି ସାବିର ଅହମ୍ମଦ, କ୍ରିକେଟ୍‌ ସମ୍ପାଦକ ଅବିନାଶ ନନ୍ଦ, କୋଷାଧ୍ୟକ୍ଷ ଉମାପତି ତ୍ରିପାଠୀ, ବିଶ୍ବମ୍ବର ବହିଦାର, କାଉନ୍‌ସିଲ୍‌ ସଭ୍ୟ ପଦ୍ମ ନାୟକ, ବିଭୂତି ମିଶ୍ର, କୁନ୍ଦନ ପ୍ରଧାନ, ରତିକାନ୍ତ ମହାନ୍ତି, ମହମ୍ମଦ ଇସାକ, ସୁବୋଧ ସାହୁ, ସାନ୍ତନୁ ନନ୍ଦ, ମନୋଜ ଭୋଇ, ପ୍ରସନ୍ନ ବିଶ୍ବାଳ, ଆଥଲେଟିକ୍‌ ସେକ୍ରେଟାରି ବିକାଶ ମିଶ୍ର ଓ କର୍ମକର୍ତ୍ତା ମ୍ୟାଚ୍‌ ଆୟୋଜନରେ ସହଯୋଗ କରିଥିଲେ। ଅତିଥିମାନେ ମା’ ସମଲେଶ୍ବରୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଭୟ ଦଳର ଖେଳାଳିଙ୍କ ସହ ହାତ ମିଶାଇଥିଲେ। ସକାଳ ୯ଟା ପ୍ରଥମ ବଲ୍‌ ପଡ଼ିଥିଲା। ପ୍ରଥମ ଦିନ ଓଡ଼ିଶା ଦଳ ୭୩.୪ ଓଭର ଖେଳିଥିବା ବେଳେ ହରିୟାଣା ଦଳ ୧୬ ଓଭର ଖେଳିଛି।

publive-image

ଧୀମା ବ୍ୟାଟିଂ କରିଥିଲା ଓଡ଼ିଶା

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ଦଳର ୨ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାମ୍‌ ଧୀମା ବ୍ୟାଟିଂ କରିଥିଲେ। ଅନ୍ୟପଟେ ହରିଆଣା ଦଳ ଆକ୍ରମଣାତ୍ମକ ବୋଲି ଓ କ୍ଷେତ୍ରରକ୍ଷଣ ପ୍ରଦର୍ଶନ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଦିବ୍ୟଜ୍ୟୋତି ପଟ୍ଟନାୟକ ଓ ୩ୟ ସ୍ଥାନରେ ଆସିଥିବା ଅଂଶୁମାନ ସାହୁ ଖାତା ଖୋଲିପାରି ନଥିଲେ। ୯ ରନ୍‌ରେ ପ୍ରଥମ ଵିକେଟ୍‌ ପଡ଼ିଥିବା ବେଳେ ୧୫ ତମ ଓଭର୍‌ରେ ୩୭ ରନ୍‌ରେ ଚତୁର୍ଥ ଵିକେଟ୍‌ ହରାଇ ସାରିଥିଲା। ତାପରେ ଅଧିନାୟକ ସାଇଦୀପ ମହାପାତ୍ର ଓ ମହମ୍ମଦ ସୋହେଲ ଖାଁ ପାଳିକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟେ ୫୦ ରନ୍‌ ଭାଗୀଦାରୀ କରିବା ପରେ ସୋହେଲ୍‌ ବ୍ୟକ୍ତିଗତ ୨୧ ରନ୍‌ କରି ଆଉଟ୍‌ ହୋଇଥିଲେ। ସମ୍ବଲପୁରର ଅଭିନବ ତାପରେ ଅଧିନାୟକଙ୍କ ସହ ପାଳିକୁ ଆଗକୁ ବଢ଼ାଇଭା ସହ ସର୍ବାଧିକ ୫୯ ରନ୍‌ର ଭାଗୀଦାରୀ କରିଥିଲେ। ଓଡ଼ିଶା ଅଲ୍‌‌ଆଉଟ୍‌ ହେବା ପରେ ହରିଆଣା ଦଳ ଆକ୍ରମଣାତ୍ମକ ବ୍ୟାଟିଂ ମଧ୍ୟ କରିଥିଲା। ୧୬ ଓଭରରେ କୌଣସି ଵିକେଟ୍‌ ନ ହରାଇ ହରିଆଣା ଦଳ ୭୮ ରନ୍‌ କରିସାରିଛି। ଏହି ୧୬ ଓଭରରେ ହରିଆଣାର ୨ ପ୍ରାରମ୍ଭିକ ବ୍ୟାଟ୍ସ୍‌ମ୍ୟାମ୍‌ ୧୫ଟି ଚୌକା ମାରିଛନ୍ତି।

ଅଭିନବ ଦ୍ବିତୀୟ ସର୍ବାଧିକ ସ୍କୋରର୍‌

ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ଟି ହେଉଛି ଅଭିନବଙ୍କ ହୋମ୍‌ ଗ୍ରାଉଣ୍ଡ। ଶନିବାର ଓଡ଼ିଶା ପକ୍ଷରୁ ହୋମ୍‌ ଗ୍ରାଉଣ୍ଡ୍‌ରେ ସେ ତାଙ୍କର ପ୍ରଥମ ଜାତୀୟ ମୁକାବିଲା ଖେଳିବାର ସୁଯୋଗ ସେ ପାଇଥିଲେ। ଏହି ଷ୍ଟାଡିୟମ୍‌ରେ ଅନେକ ଦୃଷ୍ଟାନ୍ତମୂଳକ ପଦର୍ଶନ କରିଥିବା ଅଭିନବ ହରିଆଣା ବିପକ୍ଷରେ ମଧ୍ୟ ଦମ୍‌ ଦେଖାଇଥିଲେ। ଅଧିନାୟକଙ୍କ ସହ ମିଶି ଓଡ଼ିଶା ପାଇଁ ସର୍ବାଧିକ ଭାଗୀଦାରୀ କରିବା ସହ ୫୬ଟି ବଲ୍ ଖେଳି ୫ ଚୌକା ସହାୟତାରେ ୨୭ ରନ୍‌ କରିଥିଲେ।

publive-image

ଯାହା ଓଡ଼ିଶା ପାଳିର ଦ୍ବିତୀୟ ସର୍ବାଧିକ ସ୍କୋର୍‌। ଅଭିନବ ଶନିବାର ୭ମ ସ୍ଥାନରେ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲେ। ତେବେ ସ୍ଥାନୀୟ ଅଞ୍ଚଳରେ ସେ ଜଣେ ବିସ୍ଫୋରକ ବ୍ୟାଟର୍‌ ହୋଇଥିବା ବେଳେ କିଛି ଵିକେଟ୍‌ ପୂର୍ବରୁ ତାଙ୍କୁ ପଠାଯାଇଥିଲେ ସେ ଆହୁରି ଭଲ ଖେଳିପାରିଥାନ୍ତେ ବୋଲି କ୍ରୀଡ଼ିପ୍ରେମୀଙ୍କ ମହଲରେ ଚର୍ଚ୍ଚା ହୋଇଛି।

କୋଭିଡ୍‌ ପରେ ପ୍ରଥମ ଜାତୀୟ ମୁକାବିଲା

ଭିଏସ୍‌ଏସ୍‌ ଷ୍ଟାଡ଼ିୟମ୍‌ରେ ପ୍ରତିବର୍ଷ ପ୍ରାୟ ୨ରୁ ୩ଟି ଜାତୀୟ ସ୍ତରୀୟ ମୁକାବିଲା ଖେଳ ହୋଇ ଆସୁଛି। ଝାରସୁଗୁଡ଼ାରେ ବିମାନବନ୍ଦର ନିର୍ମାଣ ପେର ଏହି ସଂଖ୍ୟା ଅଧିକ ବଢ଼ିବ ବୋଲି ଜିଲ୍ଲା କ୍ରୀଡ଼ା ସଂଘ ମଧ୍ୟ ଆଶା ରଖିଛି। ହେଲେ ଗତ ୨ ବର୍ଷ ହେବ କୋଭିଡ୍‌ ପାଇଁ ଏହି ଷ୍ଟାଡି଼ୟମ୍‌ରେ କୌଣସି ଜାତୀୟ ସ୍ତରୀୟ ମୁକାବିଲା ହୋଇ ନଥିଲା। ୨୦୨୦ରେ କୋଭିଡ୍‌ ପୂର୍ବରୁ ସିକେ ନାଇଡୁ ଟ୍ରଫିର ଏକ ମ୍ୟାଚ୍‌ ହୋଇଥିଲା। ତାପରେ ଶନିବାର କୁଚ୍‌ ବେହାର ଟ୍ରଫିର ଏହି ମୁକାବିଲା ଆରମ୍ଭ ହୋଇଛି। ଆଗକୁ ସିକେ ନାଇଡୁ ଟ୍ରଫି ରହିଥବା ବେଳେ ସମ୍ବଲପୁରରେ ଏହାର ଏକ ମୁକାବିଲା ଖେଳାଯିବା ନେଇ ବିସିସିଆଇ ପକ୍ଷରୁ ସବୁଜ ସଙ୍କେତ ମଧ୍ୟ ଦିଆଯାଇଛି। ଯାହାକୁ ନେଇଜିଲ୍ଲା କ୍ରୀଡ଼ା ସଂଘ ମଧ୍ୟ ବେଶ୍‌ ଉତ୍ସାହିତ ଅଛନ୍ତି।