ରନ୍ଧନ ଗ୍ୟାସ୍‌ ଦର ନ କମିଲେ ପୁଣି ଆନ୍ଦୋଳନ, ଚେତାବନୀ ଦେଲା ବିଜେଡି

ଭୁବନେଶ୍ବର : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବିରୋଧରେ ବିଜେଡି ଯୁବ ଓ ଛାତ୍ର ଶାଖା ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ଦଶ ଦିନ ପାଇଁ ସ୍ଥଗିତ ରଖାଯାଇଛି। ଦର କମିଥିବାରୁ ଦଳ ଏହି ନିଷ୍ପତ୍ତି ନେଇଛି। ତେବେ ରନ୍ଧନ ଗ୍ୟାସ୍ ଦର ତୁରନ୍ତ କମାଇବା ପାଇଁ ବିଜେଡି ଦାବି କରିଛି। ନ‌ଚେତ ଦଳ ପୁଣି ଆନ୍ଦୋଳନକୁ ଓହ୍ଲାଇବ ‌ବୋଲି ଚେତାବନୀ ଦେଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଯେ ବହୁ ଦିନର ବ୍ୟବଧାନ ପରେ କେନ୍ଦ୍ର ସରକାର ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦର ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ବିଜେଡିର ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ବିରୋଧରେ ଆନ୍ଦୋଳନ ତୀବ୍ରତର ହେବାରୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ଓଡ଼ିଶା ମଧ୍ୟ କେନ୍ଦ୍ର ସରକାର କମାଇଥିବା ଉତ୍ପାଦ ଶୁଳ୍କର ୩୩% ବହନ କରୁଛନ୍ତି, ଯାହା କି ପେଟ୍ରୋଲ୍‌ରେ ଲିଟର ପିଛା ୩ଟଙ୍କା ୩୦ପଇସା ଏବଂ ଡିଜେଲ୍‌ରେ ଲିଟର ପିଛା ୧ଟଙ୍କା ୬୫ପଇସା ଅଟେ। ଏହା ସତ୍ତ୍ୱେ ଓଡ଼ିଶା ସରକାର ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ୩ ଟଙ୍କାର ଅତିରିକ୍ତ ଭାଟ୍ କମାଇଛନ୍ତି। ଫଳ ସୂରୁପ ଓଡ଼ିଶା ସରକାର ସର୍ବମୋଟ ପେଟ୍ରୋଲ୍‌ରେ ୬ଟଙ୍କା ୩୦ପଇସା ଓ ଡିଜେଲ୍‌ରେ ୪ ଟଙ୍କା ୬୫ ପଇସା ବହନ କରୁଛନ୍ତି। ଏହା ଦ୍ୱାରା ବାର୍ଷିକ ୨୦୦୦ କୋଟିରୁ ଅଧିକ ରାଜସ୍ୱ ପ୍ରଭାବିତ ହେବ। ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା ଯେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ରନ୍ଧନ ଗ୍ୟାସର ମୂଲ୍ୟ କମାଇ ନାହାନ୍ତି, ବରଂ ଏହା ବୃଦ୍ଧି ହେବାରେ ଲାଗିଛି। ଏହି ମୂଲ୍ୟ ହ୍ରାସ ନ ହେଲେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଶ୍ରୀ ରାୟ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର