ପୁରୀ: ଶୁଖିଗଲାଣି ଶ୍ରୀମନ୍ଦିର ରୋଷଘର ଗଙ୍ଗା ଓ ଯମୁନା କୂଅ। ବୋରିଂ ପାଣିରେ ରୋଷେଇ ହେଉଛି ମହାପ୍ରସାଦ। ଯାହା ପରମ୍ପରାକୁ ଭଙ୍ଗ କରୁଛି। ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ୍‌ ସୁପକାରମାନେ। ଯଦି ଗଙ୍ଗା ଓ ଯମୁନା କୂଅର ପୁନରୁଦ୍ଧାର ହୋଇପାରନ୍ତା, ତେବେ ପରମ୍ପରା ଭାଙ୍ଗନ୍ତାନି। କିନ୍ତୁ ସେଭଳି ନ କରି ବୋରିଂ ପାଣିରେ ମହାପ୍ରସାଦ ପ୍ରସ୍ତୁତ କରିବାକୁ ବାଧ୍ୟ କରାଯାଉଛି। ଯାହା ରନ୍ଧା ଅବଢ଼ାକୁ ଶୀଘ୍ର ନଷ୍ଟ କରି ଦେଉଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ ରୋଷଘରକୁ ଲାଇଟ୍‌, ଡ୍ରମ୍‌ ଆଦି ଯିବା ବାରଣ ରହିଛି। କିନ୍ତୁ ବଡ଼ ବଡ଼ ଡ୍ରମ ସବୁ ରୋଷଘରେ ଭର୍ତ୍ତି ହୋଇଗଲାଣି ବୋଲି ଅଭିଯୋଗ ହୋଇଛି।

Advertisment

ଶ୍ରୀମନ୍ଦିର ରୋଷଘରେ ମହାପ୍ରସାଦ ପ୍ରସ୍ତୁତି ଶୈଳୀ ଓ ସ୍ବାଦ ସଂପୂର୍ଣ୍ଣ ଭିନ୍ନ। ଏଠାରେ ନିଜେ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିଥାନ୍ତି ବୋଲି ବିଶ୍ବାସ ରହିଛି। ରୋଷଘରର ରନ୍ଧନ ପ୍ରଣାଳୀଠାରୁ ଆରମ୍ଭ କରି ଚୁଲା ଓ ଅନ୍ୟାନ୍ୟ ବ୍ୟବସ୍ଥା ନିଆରା। 
ମାଟିପାତ୍ରରେ ଏଠାରେ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ। ଚୁଲିରେ କାଠ ଜାଳି ଏହା ପ୍ରସ୍ତୁତ ହୋଇଥାଏ। ପଦ୍ମପାଖୁଡ଼ା ଭଳି ଚୁଲାରେ ଏକକାଳୀନ ୯ଟି କୁଡ଼ୁଆରେ ମହାପ୍ରସାଦ, ଡାଲି, ଡାଲମା, ବେସର ଆଦି ପ୍ରସ୍ତୁତ କରାଯାଇଥାଏ। ମହାପ୍ରସାଦ ବିଶୁଦ୍ଧ ଜଳରେ ପ୍ରସ୍ତୁତ ହୋଇଥାଏ। ଏଣୁ ମହାପ୍ରସାଦ ପ୍ରସ୍ତୁତ ପାଇଁ ରାଜରାଜୁଡ଼ା ଅମଳରୁ ରୋଷଘର ପରିସରରେ ଥିବା ଗଙ୍ଗା ଓ ଯମୁନା କୂଅର ପବିତ୍ର ଓ ବିଶୁଦ୍ଧ ଜଳକୁ ମହାପ୍ରସାଦ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଇଥାଏ। ଏହି ଜଳରେ କୌଣସି ରାସାୟନିକ ବ୍ୟବହାର ହୋଇନଥାଏ। କୁହାଯାଏ, ଗଙ୍ଗା ଓ ଯମୁନା କୂଅର ଜଳ ନିରୋଗ, ସ୍ବାଦଯୁକ୍ତ ଓ ରୁଚିକର। କିନ୍ତୁ ଅଭିଯୋଗ ହୋଇଛି, ଏବେ ଗଙ୍ଗା ଓ ଯମୁନା କୂଅର ଜଳ ବଦଳରେ ବୋରିଂ ପାଣିର ବ୍ୟବହାର କରାଯାଉଛି।

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପୂର୍ବତନ ସହସଂପାଦକ ନାରାୟଣ ମହାପାତ୍ର କହିଛନ୍ତି, ଗଙ୍ଗା ଓ ଯମୁନା କୂଅ ଜଳରୁ ମହାପ୍ରସାଦ ପ୍ରସ୍ତୁତି କରିବାର ବିଧି ରହିଛି। ଅନ୍ୟ କେଉଁଠୁ ଜଳ ଆଣି ମହାପ୍ରସାଦ ପ୍ରସ୍ତୁତି ପରମ୍ପରା ବିରୋଧୀ। କିନ୍ତୁ ପ୍ରାୟ ୫ ବର୍ଷ ହେବ ଗଙ୍ଗା ଓ ଯମୁନା କୂଅ ଶୁଖିଲା ପଡ଼ିଛି। ଏହାର ପୁନରୁଦ୍ଧାର କରାଯାଉନି। ପ୍ରତିବଦଳରେ ଏହା ପାଖରେ ବୋରିଂ ବସାଇ ପାଣି ବ୍ୟବହାର କରାଯାଉଛି। ବୋରିଂ ପାଣି କୂଅରେ ଭର୍ତ୍ତି କରିବା ପରେ ଗରା, ବାଲ୍‌ତି ଜରିଆରେ ଏହି ପାଣିକୁ ସୁପକାରମାନେ କାଢ଼ି ମହାପ୍ରସାଦରେ ବ୍ୟବହାର କରୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, ରୋଷଘରକୁ ପ୍ଲାଷ୍ଟିକ୍‌, ପାଣି ଡ୍ରମ୍‌ ଆଦି ଯିବା ବାରଣ ରହିଛି। କିନ୍ତୁ ହଜାରେ, ଦୁଇହଜାର ଲିଟର ଭଳି ବଡ଼ ବଡ଼ ପାଣି ଡ୍ରମ୍‌ ଏହା ଭିତରେ ରଖାଯାଉଛି। ଏହି ପାଣିକୁ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।