ଚନ୍ଦନେଶ୍ୱର/ଫୁଲବଣୀ: ପଶ୍ଚିମବଙ୍ଗର ଦୀଘା ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଦେଖାଦେଇଛି। ପ୍ରଥମେ ଉଦ୍ଘାଟନ କାର୍ଯ୍ୟକ୍ରମରେ ପୁରୀ ଦଇତାପତିଙ୍କ ଯୋଗଦାନ, ମୂର୍ତ୍ତି ଓ ‘ଜଗନ୍ନାଥ ଧାମ’ ନାମଫଳକକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏବେ ଠାକୁରଙ୍କ ପ୍ରସାଦ ଗ୍ୟାସ୍ରେ ରନ୍ଧାଯିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେପଟେ ବିବାଦ ନେଇ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦୀଘା ସମୁଦ୍ର କୂଳରେ ଶ୍ରୀଜଗନ୍ନାଥଙ୍କ ଏକ ଭବ୍ୟ ମନ୍ଦିରକୁ ଗତ ୩୦ ତାରିଖ ଅକ୍ଷୟ ତୃତୀୟା ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ କାର୍ଯ୍ୟକ୍ରମରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର କେହି ଦଇତାପତି ଯୋଗ ନଦେବା ପାଇଁ ସୁଆର ମହାସୁଆର ନିଯୋଗ ଓ ପୁଷ୍ପାଳକ ନିଯୋଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ହେଲେ ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ସହ ୬୦ରୁ ଅଧିକ ଦଇତାପତି ଯୋଗ ଦେଇଥିଲେ। ମନ୍ଦିରରେ ସ୍ଥାପିତ ପଥରର ଶ୍ରୀଜଗନ୍ନାଥ ମୂର୍ତ୍ତି ଏବଂ ପୁରୀ ନିମ୍ବକାଠରେ ମୂର୍ତ୍ତି ତିଆରି ହୋଇଥିବା ବେଳେ ତାକୁ ନେଇ ମଧ୍ୟ ବିବାଦ ଦେଖାଦେଲା। ସେହିପରି ମନ୍ଦିର ପରିସରରେ ‘ଜଗନ୍ନାଥ ଧାମ’ ନାମଫଳକକୁ ନେଇ ଭକ୍ତ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଲା। କୁହାଗଲା, ‘ଶ୍ରୀଜଗନ୍ନାଥ ଧାମ’ କେବଳ ପୁରୀ। ତେଣୁ ମମତା ସରକାର ମନ୍ଦିର ପରିସରରେ ଲଗାଯାଇଥିବା ‘ଜଗନ୍ନାଥ ଧାମ’ ନାମଫଳକକୁ ହଟାଇ ଦେବା ପାଇଁ ଦାବି ହେଉଛି। କେହି କେହି ଏହାକୁ ହଟାଇ ଦିଆଯାଇଥିବା କହୁଥିବା ବେଳେ କେହି କେହି ହଟାଯାଇନି ବୋଲି ପ୍ରକାଶ କରିଛନ୍ତି।
ବିଜେପି ସରକାର ଅସହିଷ୍ଣୁ କାହିଁକି: ମମତା
ଏପରି ସମୟରେ ପୁଣି ନୂଆ ବିବାଦ ମୁଣ୍ଡ ଟେକିଛି। ଠାକୁରଙ୍କ ପ୍ରସାଦ କାଠ ଚୁଲାରେ ପ୍ରସ୍ତୁତ କରାଯିବା ନେଇ ନିୟମ ଥିବା ବେଳେ ମନ୍ଦିରରେ ଗ୍ୟାସ୍ ଦ୍ବାରା ପ୍ରସାଦ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ବିବାଦ ନେଇ ଆଜି ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଦୀଘା ଆସିଥିବା ବେଳେ କିଛି ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ମମତା କହିଥିଲେ, ‘ଜଗନ୍ନାଥ ଧାମ’ ଲେଖାଯିବା ନେଇ ଏତେ ରାଗ କାହିଁକି? ପୁରୀ ଶ୍ରୀମନ୍ଦିର ତଥା ଜଗନ୍ନାଥ ଧାମକୁ ଆମେ ସମ୍ମାନ କରୁ। ସାରା ଦେଶରେ ବିଭିନ୍ନ ମନ୍ଦିର ରହିଛି। ସେ ନେଇ କୌଣସି ଅସୁବିଧା ନାହିଁ। ହେଲେ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ଏତେ ଅସହିଷ୍ଣୁ କାହିଁକି? ଓଡ଼ିଶାର ବିଜେପି ସରକାର ଶ୍ରୀଜଗନ୍ନାଥଙ୍କୁ ନେଇ ଘୃଣ୍ୟ ରାଜନୀତି ବନ୍ଦ କରୁ ବୋଲି ସେ କହିଛନ୍ତି।