ବୀମା ଟଙ୍କାରୁ ସୁଧ ଖାଉଛି ସମବାୟ ବ୍ୟାଙ୍କ! ଚାଷୀଙ୍କୁ ମିଳୁୁନି, ଏପ୍ରିଲ୍‌ ମାସରୁ ପଡ଼ିରହିଛି ୪୨ କୋଟି

ବରଗଡ଼ : ବରଗଡ଼ ଜିଲ୍ଲାର ଚାଷୀଙ୍କ ଉପରେ ପ୍ରତିବର୍ଷ ବିପଦ ରହୁଛି। କେତେବେଳେ ରୋଗପୋକ ଦାଉ ସାଧୁଛି ତ କେତେବେଳେ ଅଦିନିଆ ବର୍ଷା ଏବଂ କରାମାଡ଼ ଚାଷୀକୁ ଦୋହରା ଦୁଃଖ ଦେଉଛି। କିନ୍ତୁ ବୀମାଭୁକ୍ତ ଚାଷୀଙ୍କୁ ବୀମାରାଶି କେବେ ମିଳିବ, ତାହାର ଜବାବ କାହାରି ପାଖରେ ନାହିଁ। ବରଂ ଚାଷୀ ବୀମାର ଦ୍ବନ୍ଦ୍ବ ଭିତ‌ରେ ଛନ୍ଦି ହୋଇଛି। ବର୍ଷବର୍ଷ ବିତି ଯାଉଛି, ହେଲେ ଚାଷୀ ଏହି ଦ୍ବନ୍ଦ୍ବରୁ ମୁକୁଳି ପାରୁନାହିଁ।  ଚାଷୀ ବିଲରେ କମ୍‌, ବୀମା ପାଇଁ ବାରମ୍ବାର ଧାଇଁ ଧାଇଁ ହଇରାଣ ହେଉଛି। ଠିକଣା ସମୟରେ ବୀମା ଟଙ୍କା ମିଳିବ ବୋଲି ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ସତ୍ବେ ଚାଷୀଙ୍କୁ ବୀମା କମ୍ପାନି ଭୁଆଁ ବୁଲାଇ ଦେଉଛି।

ଏବେ ଜିଲ୍ଲାର ଚାଷୀମାନେ ସାଂଘାତିକ ଏବଂ ଚାଞ୍ଚଲ୍ୟକର ଅଭିଯୋଗ କଲେଣି। ବୀମା ଟଙ୍କାକୁ ସମବାୟ ବ୍ୟାଙ୍କ କର୍ତୃପକ୍ଷ ଅନ୍ୟ ବ୍ୟାଙ୍କରେ କିଛି ମାସ ଜମା କରୁଛନ୍ତି ଏବଂ ସେଥିରୁ ମୋଟା  ଅଙ୍କର ସୁଧ ପାଉଥିବା ଅଭିଯୋଗ ହେଉଛି। ଚାଷୀଙ୍କ ଯୁକ୍ତି ହେଲା, ୨୦୨୦-୨୧ ଖରିଫ ଫସଲ ବୀମା କରିଥିବା ଚାଷୀଙ୍କ ବୀମା ରାଶି ଗତ ଏପ୍ରିଲ ମାସରୁ ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କକୁ ଆସିଛି। ଜିଲ୍ଲାର ୩୨ଟି ପଞ୍ଚାୟତର ଚାଷୀ ଏହି ବୀମା ରାଶି ପାଇବାକୁ ଚୂଡ଼ାନ୍ତ ହୋଇଛନ୍ତି। ବୀମା ରାଶି ବାବଦକୁ ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କକୁ ପ୍ରାୟ ୪୨ କୋଟି ଏବଂ ଅନ୍ୟ ବ୍ୟାଙ୍କକୁ ପ୍ରାୟ ୧୮ କୋଟି ଟଙ୍କା ଆସିଛି। କିନ୍ତୁ ସମବାୟ ବ୍ୟାଙ୍କ କର୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ଚାଷୀଙ୍କୁ ବୀମା ଟଙ୍କା ପ୍ରଦାନ କରିନାହାନ୍ତି। ବରଂ ଏହି ଟଙ୍କାକୁ ଅନ୍ୟ ବ୍ୟାଙ୍କରେ ଜମା କରି ସୁଧ ଖାଉଥିବା ଚାଷୀ ଅଭିଯୋଗ କଲେଣି।

ବୀମା ପାଇଁ ଯୋଗ୍ୟ ବିବେଚିତ ଚାଷୀମାନେ ଏନେଇ ଅଭିଯୋଗ କଲେ ବ୍ୟାଙ୍କ କର୍ତୃପକ୍ଷ କର୍ମଚାରୀ ଅଭାବ, କରୋନା ଲହର ଏବଂ ଋଣ ରିନ୍ୟୁଆଲ୍‌ ପାଇଁ ବୀମା ଟଙ୍କା ପ୍ରଦାନରେ ବିଳମ୍ବ ହେଉଥିବା ଦର୍ଶାଉଛନ୍ତି। ଅନ୍ୟପକ୍ଷରେ ବୀମା ଟଙ୍କା ମିଳୁନଥିବାରୁ ରବିଧାନରେ କ୍ଷତି ସହିଥିବା ଚାଷୀ ଖରିଫ ଧାନ ଚାଷ ପାଇଁ ଅମଂଗ ହୋଇଛନ୍ତି। ଜୁନ୍‌ ୩୧ ତାରିଖ ଭିତରେ ଚାଷଋଣ ପୈଠ ନକଲେ ଚାଷୀଙ୍କୁ ଅଧିକ ସୁଧ ବି ଦେବା ନିଶ୍ଚିତ। ତେଣୁ ବୀମା ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ଦାବି ହୋଇଛି। ଅନ୍ୟପକ୍ଷରେ ଏନେଇ ସମବାୟ ବ୍ୟାଙ୍କ କର୍ତୃପକ୍ଷଙ୍କ ମତାମତ ଲୋଡ଼ାଯିବାରୁ ବୀମା ଟଙ୍କା ଅନ୍ୟ ବ୍ୟାଙ୍କରେ ଜମା ହେଉନଥିବା ଦର୍ଶାଇଥିଲେ। ସମବାୟ ବ୍ୟାଙ୍କରୁ ବ୍ଲକ୍‌ ଶାଖା ଏବଂ ପରେ ସୋସାଇଟିକୁ ତଥ୍ୟ ଯାଇଥାଏ। ସେଠାରେ ଚାଷୀଙ୍କ ବୈଧତା ପ୍ରମାଣପତ୍ର ମିଳିବା ପରେ ଚାଷୀଙ୍କ ଆକାଉଣ୍ଟରେ ବୀମା ଟଙ୍କା ଜମା ହୋଇଥାଏ। ତେଣୁ ଏହି ପ୍ରକ୍ରିୟା ଯୋଗୁଁ ବୀମା ରାଶି ପ୍ରଦାନରେ ବିଳମ୍ବ ହେଉଥିବା ସମବାୟ ବ୍ୟାଙ୍କ କର୍ତୃପକ୍ଷ ସଫେଇ ଦେଇଛନ୍ତି। ତେବେ ମାମଲାର ସତ୍ୟତା ଯାଂଚ କରାଗଲେ ଅସଲ ତଥ୍ୟ ପଦାକୁ ଆସିବ ବୋଲି ଚାଷୀମାନେ ଯୁକ୍ତି ରଖିଛନ୍ତି।

ସମ୍ବନ୍ଧିତ ଖବର