ସମବାୟ ବ୍ୟାଙ୍କ ଚାଷୀଙ୍କୁ ଏ ଯାଏ ମିଳିଲାନି ପିଏମ୍‌ କିଷାନ ସହାୟତା, ଚାଷୀ ମହଲରେ ଦାନା ବାନ୍ଧୁଛି ଅସନ୍ତୋଷ

କେନ୍ଦ୍ରକୁ ସଂଶୋଧିତ ତାଲିକା ଦେଇ କାମ ସାରିଦେଲା କୃଷି ବିଭାଗ

ଭୁବନେଶ୍ବର: ସମବାୟ ବ୍ୟାଙ୍କରେ ଜମା ଖାତା ଥିବା ଚାଷୀଙ୍କୁ ଏ ଯାଏଁ ମିଳିଲାନି ପିଏମ୍‌ କିଷାନ ସହାୟତା। ଆଇଏଫ୍‌ସ୍‌ସି କୋଡ଼ ସଂଶୋଧନ ତାଲିକା କେନ୍ଦ୍ରକୁ ପଠାଇ ଚୁପ୍‌ ବସିଛି କୃଷି ବିଭାଗ। କେବେ ଚାଷୀଙ୍କ ଆକାଉଣ୍ଟରେ ଅର୍ଥ ଆସିବ ସେ ନେଇ କିଛି ବି ଉତ୍ତର ମିଳୁନି। ପିଏମ୍‌ କିଷାନ୍‌ ହିତାଧିକାରୀଙ୍କ ତାଲିକା ସମ୍ପର୍କରେ ଆଲୋଚନା ନେଇ ବିଧାନସଭାର ଗତ ମୌସୁମୀ ଅଧିବେଶନରେ ବିଜେପି ଗୃହରେ ହଙ୍ଗାମା କରିଥିଲା। ଏ ନେଇ ସମସ୍ତ ବିରୋଧୀ ବି ଶୂନ୍ୟକାଳରେ ପ୍ରଶ୍ନ ଉଠାଇଥିଲେ। ତଥାପି ସରକାରଙ୍କ ଚେତା ପଶିନି। ଖରିଫ ଚାଷ ଋତୁ ସରିବାକୁ ବସିଲାଣି। ସହାୟତା ଅର୍ଥ ମିଳିଲେ ଚାଷ କାର୍ଯ୍ୟରେ ଲାଗିବ ବୋଲି ଚାଷୀମାନେ ଚାହିଁ ବସିଛନ୍ତି। ହେଲେ କୃଷି ମନ୍ତ୍ରୀ କି ବିଭାଗୀୟ ପଦାଧିକାରୀ ଏ ବାବଦରେ କିଛି ତତ୍ପରତା ଦେଖାଉନାହାନ୍ତି। ଫଳରେ ଏହାକୁ ନେଇ ପୁରୀ ଜିଲ୍ଲାଠୁ ଆରମ୍ଭ କରି ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ଚାଷୀମାନଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧୁଛି।

ଗତ ଜୁଲାଇ ମାସରେ ହଜାର ହଜାର ଚାଷୀଙ୍କ ଆକାଉଣ୍ଟରେ ପିଏମ୍‌ କିଷାନ ଅର୍ଥ ଜମା ହେଉନଥିବା ନେଇ ଅଭିଯୋଗ ହୋଇଥିଲା। ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବହୁ ଚାଷୀ ଜିଲ୍ଲା କୃଷି ଅଧିକାରୀଙ୍କ ଜରିଆରେ କୃଷି ନିର୍ଦ୍ଦେଶକଙ୍କୁ ଅଭିଯୋଗ କଲେ। ଏ ନେଇ ‘ସମ୍ବାଦ’ରେ ଗତ ଅଗଷ୍ଟ ୪ ତାରିଖ ଓ ୨୮ ତାରିଖରେ ଖବର ପ୍ରକାଶ ପାଇଥିଲା। କୃଷି ବିଭାଗର ପିଏମ୍‌ କିଷାନ ସେଲ୍‌ ଦାୟିତ୍ବରେ ଥିବା ଜନୈକ ଅଧିକାରୀ ସେତେବେଳେ କହିଥିଲେ, ଗୋଟିଏ ଲେଖାଏଁ ଆଇଏଫ୍‌ଏସ୍‌ସି କୋଡ଼ ଏକାଧିକ ସମବାୟ ବ୍ୟାଙ୍କ ଶାଖା ପାଇଁ ଥିବାରୁ ଏହି ସହାୟତା ଅର୍ଥ ଜମା ହେବାରେ ଅସୁବିଧା ହେଉଛି। ଗୋଟିଏ ଲେଖାଏଁ ଚାଷୀଙ୍କ ଆକାଉଣ୍ଟରେ ଏକାଧିକ ଥର ଅର୍ଥ ରାଶି ଜମା କରିବାକୁ ଉଦ୍ୟମ କରାଯାଇଥିଲା। ଏହି ଦୃଷ୍ଟିରୁ ପ୍ରାୟ ୮୦ ହଜାର ଚାଷୀଙ୍କର ବ୍ୟାଙ୍କ ଖାତାରେ ଟଙ୍କା ଜମା ହୋଇପାରୁନଥିବା ନେଇ ଅଭିଯୋଗ ମିଳିଛି। କିନ୍ତୁ ଯାଞ୍ଚ ପରେ ଜଣାପଡ଼ିଥିଲା ପ୍ରାୟ ୨୦ ହଜାର ଚାଷୀ ଏହି ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସମବାୟ ବ୍ୟାଙ୍କ ସମସ୍ତ ଶାଖା ପାଇଁ ସ୍ବତନ୍ତ୍ର ଆଇଏଫ୍‌ଏସ୍‌ସି କୋଡ଼ ପ୍ରଦାନ କରିଛି। ଏନ୍‌ଆଇସି ଜରିଆରେ ଏହାର ଅପଲୋଡ କାମ ଆସନ୍ତା ୧୫ ଦିନ ଭିତରେ ସରିଯିବ। ଅର୍ଥାତ୍‌ ଗତ ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା ଅପଲୋଡ୍‌ କାର୍ଯ୍ୟ ସରିଯିବା କଥା। ସଂଶୋଧିତ ତାଲିକା କେନ୍ଦ୍ରକୁ ପଠାଇବା ପରେ ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଥିବା ଚାଷୀଙ୍କୁ ପିଏମ୍‌ କିଷାନ୍‌ ଅର୍ଥ ମିଳିବାରେ ଅସୁବିଧା ହେବନି। ଏବେ ସମ୍ପୃକ୍ତ ଅଧିକାରୀ ଅବସର ଗ୍ରହଣ କରିସାରିଲେଣି। ଅଧିକାରୀଙ୍କ କହିବା ମୁତାବକ ମାସେ ପୂରିଲାଣି ଅଥଚ ଏବେସୁଦ୍ଧା ବି ଚାଷୀଙ୍କ ଆକାଉଣ୍ଟରେ ପିଏମ୍‌ କିଷାନ ଅର୍ଥ ପହଞ୍ଚିଲାନି।

ଚାଷୀମାନଙ୍କ ଅଭିଯୋଗ ଆଇଏଫ୍‌ଏସ୍‌ସି କୋଡ଼ ବଦଳିବା ପରେ ବି ସରକାରଙ୍କ ପିଏଫଏମ୍‌ଏସ୍‌ ବ୍ୟବସ୍ଥାରେ ସମ୍ପୃକ୍ତ ବ୍ୟାଙ୍କ ଶାଖା ବୈଧ ନୁହେଁ ବୋଲି ଲେଖୁଛି। ଅର୍ଥାତ୍‌ ନୂଆ ଆଇଏଫ୍‌ଏସ୍‌ସି କୋଡ଼ ଜାରି କରି ସମବାୟ ବିଭାଗ ବି ଚୁପ୍‌ ବସିଛି। ଚାଷୀଙ୍କ ପ୍ରତି କାହାର ବି ଦରଦ ନ ଥିଲା ପରି ଜଣାପଡ଼ୁଛି। ପିଏମ୍‌ କିଷାନ ସେଲ୍‌ର ଆଉ ଜଣେ ଅଧିକାରୀ କହିଛନ୍ତି ରାଜ୍ୟ ସରକାର ତାଙ୍କ କାମ ସାରିଛନ୍ତି। ଏବେ ଚାଷୀଙ୍କୁ ଅର୍ଥ ପଠାଇବା ଦାୟିତ୍ବ କେନ୍ଦ୍ର କୃଷି ବିଭାଗର। ଖାଲିସେତିକି ନୁହେଁ, ପିଏମ୍‌ କିଷାନ୍‌ର ପ୍ରଥମ କିସ୍ତି ଅର୍ଥ ବହୁ ବଡ଼ ଚାଷୀ ଓ ଆୟକର ଦେଉଥିବା ଚାଷୀ ବି ପାଇଛନ୍ତି। ସେମାନଙ୍କଠାରୁ ଅର୍ଥ ଫେରସ୍ତ କରିବା ନେଇ ମଧ୍ୟ ପ୍ରକ୍ରିୟା ଜାରି ଅଛି। ଏଥିପାଇଁ ସମୟ ଲାଗୁଛି। ତେବେ କେନ୍ଦ୍ର ସରକାରଙ୍କ ତାଙ୍କ ସର୍ଭରରେ ଚାଷୀଙ୍କ ତାଲିକା ଅପଲୋଡ଼ କରିବା ପରେ ଚାଷୀଙ୍କ ଆକାଉଣ୍ଟ୍‌କୁ ଟଙ୍କା ଆସିବ।

ସମ୍ବନ୍ଧିତ ଖବର