ୟେସ୍‌ ବ୍ୟାଙ୍କରେ ସମବାୟ ବ୍ୟାଙ୍କର ୧୨୮ କୋଟି ଟଙ୍କା: ସମବାୟ ମନ୍ତ୍ରୀ

ଭୁବନେଶ୍ବର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ଜମା ଥିବା ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ଏହି ଟଙ୍କା କିଭଳି ଫେରିବ, ତାହା ଉପରେ ସମଗ୍ର ରାଜ୍ୟ ନଜର ରଖିଛନ୍ତି। ୟେସ୍ ବ୍ୟାଙ୍କରେ ଆଉ କିଏ କିଏ ଟଙ୍କା ରଖିଛନ୍ତି, ସେ ନେଇ ଲୋକଙ୍କ ଉତ୍ସୁକତା ବଢିବାରେ ଲାଗିଛି। ଠିକ୍ ଏମିତି ସମୟରେ ଆଜି ନିଜେ ସମବାୟ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ୟେସ୍‌ ବ୍ୟାଙ୍କରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସମେତ ବିଭିନ୍ନ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ପ୍ରାୟ ୧୨୮ କୋଟି ଟଙ୍କା ଜମା ଅଛି। ଶ୍ରୀ ସ୍ବାଇଁ କହିଥିଲେ, ଏସବୁ ଟଙ୍କା ସୁରକ୍ଷିତ ଅଛି। ଆସନ୍ତା ଦିନରେ ୟେସ୍‌ ବ୍ୟାଙ୍କ ଉପରୁ କଟକଣା ହଟିଲେ ରାଜ୍ୟ ସରକାର ଏହି ଟଙ୍କାକୁ କାଢ଼ିବା ପାଇଁ ପଦକ୍ଷେପ ନେବେ। ତେବେ ଜାତୀୟକରଣ ବ୍ୟାଙ୍କରେ ଟଙ୍କା ନ ରଖି ୟେସ୍‌ ବ୍ୟାଙ୍କରେ ଟଙ୍କା ରଖିବାରେ କୌଣସି ଆଇନ ବିରୁଦ୍ଧ କାର୍ଯ୍ୟ ହୋଇନାହିଁ ବୋଲି ମନ୍ତ୍ରୀ କହିଥିଲେ।

ସରକାରଙ୍କ ପକ୍ଷରୁ କୁହାଯାଇଛି, ୟେସ୍ ବ୍ୟାଙ୍କର ଯେଉଁ ଚେକ୍ ଦିଆଯାଉଥିଲା, ତାହା ବର୍ତମାନ ପରିସ୍ଥିତିରେ କ୍ଲିୟର୍ ହୋଇପାରୁନାହିଁ। ରାଜ୍ୟ ସମବାୟ ବ୍ୟାଙ୍କ ସମେତ ସମସ୍ତ ୧୪ଟି କେନ୍ଦ୍ର ସମବାୟ ବ୍ୟାଙ୍କ ଚେକଗୁଡିକ ଅନ୍ୟ ବ୍ୟାଙ୍କ ଜରିଆରେ କ୍ଲିୟରିଂ ବ୍ୟବସ୍ଥା କରିବାକୁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ରାଜ୍ୟ ସମବାୟ ବ୍ୟାଙ୍କ ଓ କେନ୍ଦ୍ର ସମବାୟ ବ୍ୟାଙ୍କ ନିଜସ୍ବ କ୍ଲିୟରିଂ ବ୍ୟବସ୍ଥା କରିବାକୁ ୩ରୁ ୪ ମାସ ସମୟ ଲାଗିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର