ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ସମବାୟ ବିଭାଗ ମହାଦୁର୍ନୀତିର ଚେର ଗଭୀରକୁ ଲମ୍ବିଛି। ସମବାୟ ସ˚ସ୍ଥାରେ ଚାଲି ଆସିଥିବା ଦୁର୍ନୀତି ଓ ଅନିୟମିତତାର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ପଦାକୁ ଆସିବାରେ ଲାଗିଛି। ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟିକ ସମବାୟ ସମିତି(ବିଆରଏମ୍ସିଏସ୍)ରେ ହୋଇଥିବା ପ୍ରାୟ ୫୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଘଟଣାରେ ଗୋଷାଣୀ ନୂଆଗାଁ ଥାନାରେ ମାମଲା ରୁଜୁ ହୋଇଛି।
ବ୍ରହ୍ମପୁର ପାଇକାରୀ ସମବାୟ ଭଣ୍ତାରରେ ହୋଇଥିବା ପୁଳା ପୁଳା ଦୁର୍ନୀତି, ବେଆଇନ ନିଯୁକ୍ତି ଦାଣ୍ତରେ ପଡ଼ି ହାଟରେ ଗଡୁଛି। ଏବେ ବ୍ରହ୍ମପୁର ସମବାୟ କେନ୍ଦ୍ରୀୟ ବ୍ୟାଙ୍କ୍(ବିସିସି ବ୍ୟାଙ୍କ୍)ରେ ନିଯୁକ୍ତି ଓ ପଦୋନ୍ନତିରେ ବ୍ୟାପକ ଅନିୟମିତତା ତଦନ୍ତ ପରେ ପଦାକୁ ଆସିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ବ୍ୟାଙ୍କ୍ କର୍ତ୍ତୃପକ୍ଷ ରାଜ୍ୟ ବିଧାନସଭାକୁ ମଧ୍ୟ ମିଥ୍ୟା ତଥ୍ୟ ଦେଇ ଭୂଆଁ ବୁଲାଇବାକୁ ଚେଷ୍ଟା କରିଛନ୍ତି। ବିଭାଗୀୟ ତଦନ୍ତରୁ ଏହା ସ୍ପଷ୍ଟ ହେବା ପରେ କାର୍ଯ୍ୟାନୁଷ୍ଠାନ ଲାଗି ବ୍ୟାଙ୍କ ପ୍ରଶାସକ ଦାୟିତ୍ବରେ ଥିବା ଗଞ୍ଜାମ ଜିଲ୍ଲାପାଳଙ୍କୁ ରେଜିଷ୍ଟ୍ରାର ଅଫ୍ କୋଅପରେଟିଭ୍ ସୋସାଇଟି(ଆର୍ସିଏସ୍) ଚିଠି (ଚିଠି ନମ୍ବର-୧୯୬୮୨/୨୧/୬/୨୦୨୦) ଲେଖିଛନ୍ତି। ଏହି ଘଟଣା ଏବେ ବ୍ୟାଙ୍କ ପରିଚାଳନାଧୀନ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
ବ୍ରହ୍ମପୁର ସହରର କେନ୍ଦ୍ର ସ୍ଥଳରେ ରହିଛି ବ୍ରହ୍ମପୁର ସମବାୟ କେନ୍ଦ୍ରୀୟ ବ୍ୟାଙ୍କ। ଏହି ବ୍ୟାଙ୍କରେ ନିଯୁକ୍ତି ଓ ପଦୋନ୍ନତିରେ ବ୍ୟାପକ ଅନିୟମିତତା ହୋଇଥିବା ଏବ˚ ବିଧାନସଭାକୁ ଭୁଲ ତଥ୍ୟା ଦିଆଯାଇଥିବା ନେଇ ପ୍ରାକ୍ତନ ଏଜିଏମ୍ ତଥା ବର୍ତ୍ତମାନ ବିସିସି ବ୍ୟାଙ୍କ୍ର ସିଟି ବ୍ରାଞ୍ଚ୍ ମ୍ୟାନେଜର ସ୍ମିତାଶ୍ରୀ ସାହୁ ରେଜିଷ୍ଟ୍ରାର ଅଫ୍ କୋପରେଟିଭ୍ ସୋସାଇଟି(ଆରସିଏସ୍)ଙ୍କ ନିକଟରେ ଅଭିଯୋଗ କରିଥିଲେ। ସମବାୟ ସମିତି ସମୂହ ଉପନିବନ୍ଧକ(ଡିଆରସିଏସ୍)ଙ୍କୁ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଆର୍ସିଏସ୍ଙ୍କ କାର୍ଯ୍ୟାଳୟ ଚିଠି ନମ୍ବର ୧୩୩୨୧ରେ ଗତ ଜୁନ୍ ୧୮ତାରିଖରେ ନିର୍ଦ୍ଦେଶ ଦିଆ ଯାଇଥିଲା। ଜୁନ୍ ୨୫ ତାରିଖରେ ଡିଆରସିଏସ୍ ବ୍ୟାଙ୍କ୍କୁ ଯାଇ ସବୁ ପକ୍ଷଙ୍କୁ ଡାକି ତଦନ୍ତ କରି ତଦନ୍ତ ରିପୋର୍ଟ ଆରସିଏସ୍ଙ୍କୁ ପ୍ରଦାନ କରିଥିଲେ। ତଦନ୍ତ ରିପୋର୍ଟରେ ନିଯୁକ୍ତି ଓ ପଦୋନ୍ନତିରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ପଷ୍ଟ ଦର୍ଶାଯାଇଛି। ବ୍ୟାଙ୍କ୍ରେ ୪ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଅବସରପ୍ରାପ୍ତ ଏଜିଏମ୍ ଭାବାନନ୍ଦ ପଟ୍ଟନାୟକ, ଅବସରପ୍ରାପ୍ତ ପିଅନ ସୁବାସ ଚନ୍ଦ୍ର ମହାନ୍ତି, ଅବସରପ୍ରାପ୍ତ ଅଡ଼ିଟ୍ ଅଫିସ କର୍ମଚାରୀ ରଜନୀକାନ୍ତ ପଣ୍ତା, ଅବସରପ୍ରାପ୍ତ ଅଡିଟ୍ ଅଫିସ କର୍ମଚାରୀ ଭାସ୍କର ବେହେରାଙ୍କୁ ଅବସର ପରେ ପୁନଃନିଯୁକ୍ତି ଦିଆଯାଇଛି। ୨୦୧୩ ମସିହାରେ ଜଣଙ୍କୁ, ୨୦୧୮, ୨୦୧୯ ଓ ୨୦୨୦ରେ ଜଣେ ଲେଖାଏଁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯାଇଛି। କର୍ମଚାରୀ ଅଭାବ ଯୋଗୁ ୨ଜଣ ଓ କର୍ମଚାରୀଙ୍କ ଷଷ୍ଠ ବେତନ କମିସନ ପ୍ରସ୍ତୁତି ଲାଗି ଦୁଇ ଅଡ଼ିଟ୍ କର୍ମଚାରୀଙ୍କୁ ନିଯୁକ୍ତି ଦିଆ ଯାଇଥିବା ବ୍ୟାଙ୍କ୍ କର୍ତ୍ତୃପକ୍ଷ ଡିଆର୍ସିଏସ୍ଙ୍କ ତଦନ୍ତ ବେଳେ ନିଜ ପକ୍ଷ ରଖିଛନ୍ତି। କିନ୍ତୁ ଏହି ନିଯୁକ୍ତି ପୂର୍ବରୁ ରେଜିଷ୍ଟ୍ରାର ଅଫ କୋଅପରେଟିଭ୍ ସୋସାଇଟିଙ୍କ ଅନୁମୋଦନ ନିଆ ଯାଇନାହିଁ, ଯାହା କି ଆଇନର ଉଲ୍ଲଂଘନ ବୋଲି ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି।
ବିଧାୟକ ମୋହନ ଚରଣ ମାଝି ବିଧାନସଭାରେ ଏକ ପ୍ରଶ୍ନ (ପ୍ରଶ୍ନ ନ˚ ୨୨୭୬) କରିଥିଲେ। ସମବାୟ ସ˚ସ୍ଥା ମାନଙ୍କରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତ ସ˚କ୍ରାନ୍ତରେ ତାଙ୍କର ପ୍ରଶ୍ନ ରହିଥିଲା। ବ୍ରହ୍ମପୁର ସମବାୟ ବ୍ୟାଙ୍କ୍ରେ ଅବସର ନେଇଥିବା କର୍ମଚାରୀ ମାନଙ୍କୁ ପୁନଃନିଯୁକ୍ତି ଦିଆଯାଇ ନାହିଁ ବୋଲି ବ୍ୟାଙ୍କ୍ ପକ୍ଷରୁ ଉତ୍ତର ଦିଆ ଯାଇଥିଲା। ଏ ସ˚କ୍ରାନ୍ତରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ବିଧାନସଭାକୁ ମିଥ୍ୟା ତଥ୍ୟ ଦେଇ ଭୁଆଁ ବୁଲାଇଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି। ୪ ଜଣ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆ ଯାଇଥିବା ବେଳେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ବିଧାନସଭାକୁ ଭୁଲ ତଥ୍ୟ ଦେଇଛନ୍ତି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଗତ ଫେବ୍ରୁଆରି ୨୫ ତାରିଖରେ ବ୍ୟାଙ୍କ୍ ନିଯୁକ୍ତି କମିଟି ବୈଠକ ବସିଥିଲା। ଉକ୍ତ ବୈଠକରେ ବରିଷ୍ଠ ୫ଜଣ ମ୍ୟାନେଜର୍ଙ୍କୁ ଉପେକ୍ଷା କରାଯାଇ ଜଣେ ବ୍ୟକ୍ତିଙ୍କୁ ଏଜିଏମ୍ ଭାବେ ପଦୋନ୍ନତି ଦିଆ ଯାଇଥିଲା। ଅନ୍ୟ ୫ଜଣ ବ୍ୟକ୍ତି ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି।
ବ୍ୟାଙ୍କ୍ରେ ଏକ ଆଉଟ୍ସୋର୍ସିଂ ସ˚ସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ୧୦ଜଣ କର୍ମଚାରୀଙ୍କୁ ଏଚ୍.ଆର.ପଲିସି-୨୦୧୧ ଉଲ୍ଲଂଘନ କରି ଗତ ଫେବ୍ରୁଆରିରେ ପଦୋନ୍ନତି ଓ ଠିକା ନିଯୁକ୍ତି ଦିଆଯାଇଥିଲା। ଜିଲ୍ଲାପାଳ ବ୍ୟାଙ୍କ୍ର ପ୍ରଶାସକ ଭାବେ ଦାୟିତ୍ୱ ନେବା ପରେ ଏହା ଜଣା ପଡ଼ିଥିଲା। ଗତ ଏପ୍ରିଲ ମାସରେ ଏହି ନିଯୁକ୍ତିକୁ ରଦ୍ଦ କରା ଯାଇଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ୨୦୧୦ ମାର୍ଚ୍ଚ ୩୧ତାରିଖ ପର ଠାରୁ ବ୍ୟାଙ୍କ୍ କର୍ମଚାରୀ ଗ୍ରେଡେସନ୍ ତାଲିକା ମଧ୍ୟ ପ୍ରସ୍ତୁତ ହୋଇ ନ ଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି। ବର୍ତ୍ତମାନ ଏହି ତଦନ୍ତ ରିପୋର୍ଟ ଓ ଆର୍ସିଏସ୍ଙ୍କ ଚିଠି ପରେ ଜିଲ୍ଲାପାଳ ତଥା ବ୍ୟାଙ୍କ୍ ପ୍ରଶାସକ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।