ମାଲକାନଗିରି: ଡାକ୍ତର ନିହାର ରଞ୍ଜନ ମିଶ୍ର। ନିହାରଙ୍କ ବାପା ସୁବାଷ ଚନ୍ଦ୍ର ମିଶ୍ର କାଲିମେଳା ବ୍ଲକରେ ପ୍ରାଥମିକ ଶିକ୍ଷକ ଥିଲେ। କିନ୍ତୁ ପୁଅ ନିହାରକୁ ଜଣେ ଡାକ୍ତର କରିବାର ଇଛା ବାପାଙ୍କର ଥିଲା। କାଲିମେଳାରେ ଜନ୍ମ ନିହାର ସେଠାରେ ହିଁ ପ୍ରାଥମିକ ଓ ହାଇସ୍କୁଲ ପାଠ ସାରି ପରେ ଡାକ୍ତରୀ ପରୀକ୍ଷା ପାଇଁ ନିଜ ଉଦ୍ୟମ ଜାରି ରଖି ସଫଳ ହୋଇଥିଲେ। ଏସସିବି ମେଡିକାଲ କଲେଜରେ ପାଠ ପଢି ସେ ବିଭିନ୍ନ ସ୍ଥାନରେ ଡାକ୍ତର ହେବା ପରେ ଏବେ ଏକ ଘରୋଇ ହସପିଟାଲରେ ଅସ୍ତିଶଲ୍ୟ ବିଶେଷଜ୍ଞ ଭାବେ କାର୍ଯ୍ୟରତ।
ଗତ ସାତ ବର୍ଷ ତଳେ ମାଲକାନଗିରି ଜିଲ୍ଲାର କୋରକୋଣ୍ଡା ବ୍ଲକର ବୃନ୍ଦା ଗଲୋରୀ ଏକ ଅଜଣା ରୋଗର ଶିକାର ହୋଇଥିବା ବେଳେ ତାଂକର ଗୋଡ ହାତ ବଙ୍କା ହୋଇଯାଇଥିଲା। ସେତେବେଳେ କଟକ ଏସସିବିରେ ନିହାର ପାଠ ପଢିବା ସହ ଚିକିତ୍ସା ମଧ୍ୟ କରୁଥିଲେ। ବୃନ୍ଦାଙ୍କ ଅସ୍ତ୍ରପ୍ରଚାରରେ ସେ ଏବଂ ତାଂକ ସହଯୋଗୀ ପ୍ରାୟ ଏକ ମାସ ଧରି କାର୍ଯ୍ୟ କରିଥିଲେ। ବୃନ୍ଦା ୬ ମାସ ଧରି ଡାକ୍ତରଖାନାରେ ଚିକିତ୍ସି ହେଉଥିବା ବେଳେ ନିହାର ତାଂକୁ ଭଉଣୀ ରୂପେ ମାନି ନେଇଥିଲେ। ସେ କୋରକୋଣ୍ଡା ଫେରିବା ପରେ ମଧ୍ୟ ନିହାର ତାଂକୁ ନିୟମିତ ସହଯୋଗ କରିଆସୁଛନ୍ତି।
ପ୍ରତିମାସରେ ୫ ହଜାର ଟଂକା ଆର୍ଥିକ ସହଯୋଗ କରୁଛନ୍ତି। ଏଥିସହ ନିୟମିତ ବ୍ୟବଧାନରେ କଥାବାର୍ତ୍ତା କରି ତାଂକର ସୁବିଧା ଅସୁବିଧା କଥା ମଧ୍ୟ ବୁଝନ୍ତି। ଜଣେ ଡାକ୍ତର ହେଲେ ବି ତାଂକର ମଧ୍ୟ ହୃଦୟ ରହିଛି। ସେ ନିଜର ବ୍ୟସ୍ତ କାର୍ଯ୍ୟକ୍ରମ ମଧ୍ୟରେ ବୃନ୍ଦାଙ୍କୁ ସହଯୋଗ କରିବା ଭୁଲନ୍ତି ନାହିଁ। କାଲିମେଳା ବ୍ଲକର ପ୍ରଧାନଶିକ୍ଷକ ନବ କିଶୋର ମଲ୍ଲିକଙ୍କୁ ନିୟମିତ ଟଂକା ପଠେଇ ବୃନ୍ଦାଙ୍କୁ ସହଯୋଗ କରିବାକୁ କହିଥାନ୍ତି।
ଆଜି ମଧ୍ୟ ସେ ଟଂକା ପଠାଇ ଶ୍ରୀ ମଲ୍ଲିକଙ୍କୁ ସମସ୍ତ ସହଯୋଗ କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା। ବୃନ୍ଦା ଶଯ୍ୟାଶାୟୀ ହୋଇଥିଲେ ମଧ୍ୟ ଏଭଳି ଭାଇ ପାଇ ସେ ଗର୍ବିତ ବୋଲି କହନ୍ତି। ସେ ଶଯ୍ୟାଶାୟୀ ହେଲେ ମଧ୍ୟ ନିଜକୁ ଅସହାୟ ମନେ କରୁନଥିବା କହନ୍ତି। ଯେଉଁଥିପାଇଁ ସେ ଆଜି ବଞ୍ଚି ରହିଛନ୍ତି।ତେବେ ଏଭଳି ବଦାନ୍ୟ ବ୍ୟକ୍ତିଙ୍କ ସଂପର୍କରେ ସମସ୍ତେ ଜାଣିବା ପରେ ପ୍ରଶଂସା କରୁଛନ୍ତି।