ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ଭଳି ସମବାୟ ନିର୍ବାଚନକୁ ମଧ୍ୟ ଚଞ୍ଚକତା କରି ହାତେଇବାକୁ ଶାସକ ଦଳ ହୀନ ପ୍ରୟାସ କରୁଛି। ଯାହାଦ୍ୱାରା ସମବାୟ ବ୍ୟବସ୍ଥା ସଂପୂର୍ଣ୍ଣ ଧୂଳିସାତ ହେବାକୁ ଯାଉଛି। ସମବାୟ ନିର୍ବାଚନ କେବଳ ଗରିବ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଚାଷୀମାନେ ନିଜ ନିଜ ଗଣତାନ୍ତ୍ରିକ ମତଦାନ ସାବ୍ୟସ୍ତ କରି ନିଜ ନିଜ ଅଞ୍ଚଳରେ ଲାମ୍ପ୍ସ କିମ୍ବା ପାକ୍ସରେ ଏକ ପରିଚାଳନା କମିଟି ଗଠନ କରନ୍ତି। ଚଳିତ ସମବାୟ ନିର୍ବାଚନରେ ପ୍ରାଥମିକ ସ୍ତରରେ ହେଉଥିବା ଲାମ୍ପ୍ସ ଓ ପାକ୍ସ ନିର୍ବାଚନରେ ଶାସକ ବିଜେଡି ସରକାରୀ କର୍ମଚାରୀଙ୍କ ସହାୟତାରେ ନିର୍ବାଚନକୁ ସଂପୂର୍ଣ୍ଣ ଭାବେ ପ୍ରଭାବିତ କରିବା ସହ ଚାଷୀଙ୍କୁ ଧୋକା ଦେଉଛି। ଏପରିକି ସାଧାରଣ ଚାଷୀଟି ସମବାୟ ନିର୍ବାଚନରେ ଭୋଟଦାନରୁ ବଞ୍ଚିତ ହେବାକୁ ଯାଉଛି। ଫଳରେ ଆସନ୍ତା ସମବାୟ ନିର୍ବାଚନ ଏକ ପ୍ରହସନରେ ପରିଣତ ହେବାକୁ ଯାଉଛି। ତେଣୁ ଏହାକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ବିଜେପି ନେତ୍ରୀ ସୁରମା ପାଢୀ କହିଛନ୍ତି।
ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ସମବାୟ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କର ସମବାୟ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ଜ୍ଞାନ ନାହିଁ। ରାଜ୍ୟ ସରକାରଙ୍କ ଅଧୀନସ୍ଥ ପଞ୍ଚାୟତରାଜ ବିଭାଗରେ କାର୍ଯ୍ୟରତ ପିଇଓ, ଭିଏଲ୍ଡବ୍ଲ୍ୟୁ ଭଳି ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ଅଧିକାରୀ କରାଇବା ପରେ ଚାପ ପ୍ରୟୋଗ କରି ଶତ ପ୍ରତିଶତ ନିର୍ବାଚନ ଜିତିବା ଲକ୍ଷ୍ୟରେ ବିଜେଡି ରହିଛି। ବିଗତ ତିନି ବର୍ଷରେ ନିଯୁକ୍ତ ଆଡମିନିଷ୍ଟ୍ରେଟରମାନେ ସଭ୍ୟ ସଂଗ୍ରହ, ଡିପୋଜିଟ ମୋବିଲାଇଜେସନ ନକରି ସଂଗୃହୀତ ଅର୍ଥ ପରିମାଣର ରସିଦ ନଦେଇ, ବ୍ୟାଙ୍କ ଖାତା ଚାଷୀଙ୍କୁ ହସ୍ତାନ୍ତର ନକରି ସୋସାଇଟିରେ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି । ଯାହାକି ଭୋଟର ତାଲିକାରୁ ସ୍ପଷ୍ଟ ଭାବେ ଜଣାପଡୁଛି। ଲାମ୍ପ୍ସ ଓ ପାକ୍ସ ଗୁଡିକର ଭୋଟର ତାଲିକାକୁ ଚଞ୍ଚକତା ସହ ପ୍ରସ୍ତୁତି କରାଯାଇଛି ଏବଂ ଏହା ଦ୍ୱାରା ସାଧାରଣ ଚାଷୀଟି ଭୋଟଦାନରୁ ବଞ୍ଚିତ ହେବ। ସେହିପରି ଭୋଟର କ୍ରମାଙ୍କ ଆଧାରରେ ପ୍ରସ୍ତୁତ ଭୋଟର ତାଲିକାକୁ ନେଇ କରାଯାଇଥିବା ୧୫ଟି ଜୋନ୍ରେ ଯୋଗ୍ୟ ଭୋଟର ତାଲିକାରେ ଅସନ୍ତୁଳନ ଦେଖାଦେଉଛି। ପୁଣି ଅନେକ ଯୋଗ୍ୟ ଅର୍ଥାତ ଅଂଶଧନ, ୫୦୦ ବା ୧୦୦ ଟଙ୍କା ଡିପୋଜିଟ ରଖିଥିବା ଚାଷୀଙ୍କ ନାମ ଯୋଗ୍ୟ ଭୋଟର ଭାବେ ନଥିବାବେଳେ ଏ ସଂକ୍ରାନ୍ତରେ ଅଭିଯୋଗକୁ ଗ୍ରହଣ କରାଯାଉନାହିଁ । ଋଣ ଖିଲାପକାରୀ ନିର୍ବାଚନ ଲଢି ପାରିବେ ନାହିଁ ବୋଲି ଆଇନ ଥିବା ସତ୍ତ୍ବେ ବିଜେଡି ସମର୍ଥିତ ଋଣ ଖିଲାପକାରୀଙ୍କୁ ସୁଯୋଗ ଦିଆଯାଉଛି । ସମବାୟ ଅଧିନିୟମ ୨୮/୨ / (ପି) ମୁତାବକ ୧୯୯୫ ମସିହା ୧ ତାରିଖ ପରେ ତୃତୀୟ ସନ୍ତାନ ଲାଭ କରିଥିବା ଦମ୍ପତ୍ତି ଲଢିବା ବା ପ୍ରସ୍ତାବକ ଓ ସମର୍ଥକ ନହୋଇପାରିବା ଭଳି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି ବୋଲି ଶ୍ରୀମତୀ ପାଢୀ ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ଦାଶ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/surama-padhi.jpg)