ଆଜି ସମବାୟ ନିର୍ବାଚନ: ୨୫୨୧ ସମିତିରେ ସଦସ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ଭୁବନେଶ୍ବର : ରବିବାର ରାଜ୍ୟର ୩୨୫୨ଟି ସମବାୟ ସମିତିରେ ପ୍ରଥମ ନିର୍ବାଚନ ହେବାକୁ ଥିବାବେଳେ ଏଥିରୁ ୨୫୨୧ଟି ସମିତିରେ ସଦସ୍ୟ ଓ ସଦସ୍ୟାମାନେ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି। ବାକି ୭୩୧ଟି ସମବାୟ ସମିତି ପାଇଁ ରବିବାର ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ରାଜ୍ୟ ସମବାୟ ନିର୍ବାଚନ କମିସନର ସୁନ୍ଦରଲାଲ ସିଲ୍‌ କହିଛନ୍ତି।

ଶନିବାର ଦିନ ଏକ ସାମ୍ବା‌ଦିକ ସମ୍ମିଳନୀରେ ଶ୍ରୀ ସିଲ୍‌ କହିଛନ୍ତି ଯେ, ରବିବାର ୭୩୧ଟି ପ୍ରାଥମିକ ସମବାୟ ସମିତିରେ ହେବାକୁ ଥିବା ନିର୍ବାଚନ ପରିଚାଳନା ନିମନ୍ତେ ପ୍ରିଜାଇଡିଂ ଅଫିସର, ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏଥିରେ ୨୪୪ଟି ସମ୍ବେଦନଶୀଳ ବୁଥ୍‌ ଥିବାରୁ ଉକ୍ତ ବୁଥ୍‌ଗୁଡ଼ିକରେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍, ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ କରାଯିବା ସହ ସିସିଟିଭି ଲଗାଯାଇଛି। ମତଦାନର ଭିଡିଓଗ୍ରାଫି ହେବ। ନିର୍ବାଚନ ହେବାକୁ ଥିବା ସମସ୍ତ ବୁଥ୍‌ରେ ଯେପରି ଶାନ୍ତିଶୃଙ୍ଖଳା ବଜାୟ ରହିବ ସେଥିପାଇଁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ କୁହାଯାଇଛି।

ଏହି ନିର୍ବାଚନ ପରିଚାଳନା ପାଇଁ ୧୯ଜଣ ଉପନିବନ୍ଧକ, ୫୮ଜଣ ସହକାରୀ ନିବନ୍ଧକ ନିୟୋଜିତ ହୋଇଛନ୍ତି। ‌ଆସନ୍ତାକାଲି ୪ଲକ୍ଷ ୫୩ହଜାର ୬୧୦ ଜଣ ମତଦାତା ମତଦାନ କରିବେ। ଭୋଟ୍‌ ଗ୍ରହଣ ଶେଷ ହେବା ପରେ ନିର୍ବାଚନ ଅଧିକାରୀ ଓ ନିୟୋଜିତ ଅଧିକାରୀଙ୍କ ଉପସ୍ଥିତିରେ ଫଳାଫଳ ଘୋଷଣା ହେବ। ସେହିପରି ଆସନ୍ତା ୨୬ତାରିଖରେ ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ ଦିନର ଭୋଟ୍‌ ହେବ।

ସମ୍ବନ୍ଧିତ ଖବର