ଧାନବିକ୍ରି ପାଇଁ ଚାଷୀଙ୍କଠୁ ୪୦ହଜାର ଲାଞ୍ଚ; ଭିଜିଲାନ୍‌ସ ଜାଲରେ ପଡ଼ିଲେ ସୋସାଇଟି ସମ୍ପାଦକ

ଅନୁଗୁଳ: ଜଣେ ଚାଷୀଙ୍କଠାରୁ ୪୦ହଜାର ଟଙ୍କା ନେବା ବେଳେ ଭିଜିଲାନ୍‌ସ ହାବୁଡ଼ରେ ଧରାପଡ଼ିଛନ୍ତି ଅନୁଗୁଳ ଜିଲ୍ଲା ସାନହୁଲ୍ଲା ସେବା ସମବାୟ ସମିତିର ସମ୍ପାଦକ ପଦ୍ମଲୋଚନ ସାହୁ। କଟକ ଭିଜିଲାନ୍‌ସ ଟିମ୍‌ ତାଙ୍କୁ ଧରିଛି। ୪୦ହଜାର ଟଙ୍କା ଜବତ କରାଯିବା ସହିତ ଶ୍ରୀ ସାହୁଙ୍କ ବାସଭବନରେ ଖାନ୍‌ତଲାସି ଚାଲିଛି। ସୂଚନା ମୁତାବକ, ଧାନ କିଣା ଟୋକନ ପାଇଁ ଶ୍ରୀ ସାହୁ ଜଣେ ଚାଷୀଙ୍କଠାରୁ ୪୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଚାଷୀ ଜଣଙ୍କ କଟକ ଭିଜିଲାନ୍‌ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ, କଟକ ଟିମ୍‌ ଆଜି ଲାଞ୍ଚ ଦେବା ସ୍ଥାନରେ ଛକି ରହିଥିଲେ। ଚାଷୀଙ୍କଠାରୁ ଲାଞ୍ଚ ନେଲା ବେଳେ ଭିଜିଲାନ୍‌ସ ଟିମ୍‌ ମାଡ଼ି ବସିଥିଲା। ସମ୍ପାଦକ ଶ୍ରୀ ସାହୁଙ୍କଠାରୁ ୪୦ହଜାର ଟଙ୍କା ଜବତ ହୋଇଛି ବୋଲି ଭିଜିଲାନ୍‌ସ ପକ୍ଷରୁ କୁହାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଆଶଙ୍କାରେ ସମ୍ପାଦକ ଶ୍ରୀ ସାହୁଙ୍କ ମହୁଲନାଳି ବାସଭବନରେ ଚଢ଼ଉ କରାଯାଇଛି।

ସମ୍ବନ୍ଧିତ ଖବର