ଗିଳିଦେଲେ ୩୭୦ କୋଟି

ସମବାୟ ସଂସ୍ଥାରେ ହେରଫେର୍‌କୁ ମାନିଲେ ମନ୍ତ୍ରୀ
କେଳେଙ୍କାରୀରେ ୨୦,୪୨୪ ଜଣ ସଂପୃକ୍ତ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସମବାୟ ବ୍ୟାଙ୍କ ଓ ସମବାୟ ସଂସ୍ଥାରେ ଦୁର୍ନୀତି ଅଭିଯୋଗ ମିଥ୍ୟା ନ ଥିଲା। ଏହାର ବିଶାଳତା ସଂପର୍କରେ ଆଜି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଆଉ କେହି ନୁହେଁ, ଖୋଦ୍‌ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ ନିଜ ବିଭାଗ ଅନ୍ତର୍ଗତ ବ୍ୟାଙ୍କ ଓ ସମବାୟ ସଂସ୍ଥାରେ ଚାଲିଥିବା କେଳେଙ୍କାରୀ ଉପରୁ ପରଦା ହଟାଇଛନ୍ତି। କହିଛନ୍ତି, ଅଧିକାଂଶ ସମବାୟ ସଂସ୍ଥାରେ ଅନିୟମିତତା ଅଭିଯୋଗ ତାଙ୍କ ନଜରକୁ ଆସିଛି। ଏହାର ସ୍ୱରୂପ ୩୭୦ କୋଟି ୬୯ ଲକ୍ଷ ବୋଲି ମଧ୍ୟ ମନ୍ତ୍ରୀ ମାନିଯାଇଛନ୍ତି।

ତେବେ ନିର୍ଦିଷ୍ଟ କେଉଁ ବ୍ୟାଙ୍କ ବା ସଂସ୍ଥାରେ କେବେ, କେଉଁଭଳି ଭାବେ ଏହି ଦୁର୍ନୀତି ହୋଇଛି, ସେ ନେଇ ମନ୍ତ୍ରୀ ତଥ୍ୟ ଦେଇନାହାନ୍ତି। ୩୭୦ କୋଟି ଟଙ୍କା ହେରଫେର୍‌ ଅର୍ଥ କିଭଳି ଫେରିବ ସେ ନେଇ ମଧ୍ୟ ସରକାରଙ୍କ ପକ୍ଷରୁ କିଛି କୁହାଯାଇନାହିଁ। ହେରଫେର୍‌ରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର ଦଣ୍ଡ ସଂପର୍କରେ ବି ମନ୍ତ୍ରୀ ଶ୍ରୀ ପାତ୍ର ସୂଚାଇ ନାହାନ୍ତି।

ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ୧୦ କୋଟି ଟଙ୍କାରୁ ଅଧିକ ଅର୍ଥ ହେର୍‌ଫେର୍‌ ହୋଇଛି। ସେଥିରୁ ମାତ୍ର ୨ ଲକ୍ଷ ୬୩ ହଜାର ଟଙ୍କା ଆଦାୟ ହୋଇଛି। ବାକି ଟଙ୍କା କାହିଁକି ଆଦାୟ ହୋଇପାରୁନାହିଁ, ସେ ସଂପର୍କରେ ସରକାରଙ୍କ ପକ୍ଷରୁ କିଛି କୁହାଯାଇନାହିଁ।

ମନ୍ତ୍ରୀ ଆହୁରି ସୂଚାଇଛନ୍ତି, ଆସ୍କା, ନୟାଗଡ଼, ମୟୂରଭଞ୍ଜ, ଖୋର୍ଦ୍ଧା ଓ ବାଙ୍କୀ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ବ୍ୟାପକ ଅର୍ଥ ଅନିୟମିତତା ହୋଇଥିବା ଅଡିଟ୍‌ ରିପୋର୍ଟରୁ ଜଣାପଡ଼ିଛି। କିନ୍ତୁ ଏଥିରୁ ଆଦୌ ଅର୍ଥ ଆଦାୟ କରାଯାଇପାରୁନି। ମୋଟାମୋଟି ୧୭ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଓ ରାଜ୍ୟ ସମବାୟ ବ୍ୟାଙ୍କ ସମେତ ସୁନ୍ଦରଗଡ଼, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଆଦିରେ ଥିବା ବିଭିନ୍ନ ସମବାୟ ବ୍ୟାଙ୍କରେ ବ୍ୟାପକ ଅର୍ଥ ହେର୍‌ଫେର୍‌ ହୋଇଥିବା ମନ୍ତ୍ରୀ ସ୍ୱୀକାର କରିଛନ୍ତି।

ମନ୍ତ୍ରୀ କହିଛନ୍ତି, କେବଳ ସୁନ୍ଦରଗଡ଼ ସମବାୟ ବ୍ୟାଙ୍କରେ ୧୨ କୋଟିରୁ ଅଧିକ ଅର୍ଥ ହେର୍‌ଫେର୍‌ ହୋଇଥିଲା ବେଳେ ବରଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଏହି ପରିମାଣ ୩୮ କୋଟି ଟଙ୍କା।

ସମବାୟ ବ୍ୟାଙ୍କଗୁଡ଼ିକ ସହ ମୋଟ୍‌ ୭,୦୩୭ଟି ସଂସ୍ଥାରେ ଏପରି ବିପୁଳ ହେର୍‌ଫେର୍‌ ହୋଇଥିବା ଅଡିଟ୍‌ ରିପୋର୍ଟରୁ ଜଣାପଡ଼ିଛି। ଏହି ଘଟଣାରେ ହଜାରେ କି ଦୁଇ ହଜାରେ ନୁହେଁ, ୨୦ ହଜାର ୪୨୪ ଜଣ ସଂପୃକ୍ତ ବୋଲି ମନ୍ତ୍ରୀ କହିଛନ୍ତି। ହେର୍‌ଫେର୍‌ ଅର୍ଥ ଆଦାୟ ପାଇଁ ୨୦,୪୬୬ଟି ସର୍‌ଚାର୍ଜ ପ୍ରୋସିଡିଂ କରାଯାଇ ୧୫,୨୫୪ଟି ମାମଲାର ଫଇସଲା ହୋଇଥିବା ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର