ପୁଲିସ ପ୍ରଶାସନ ଓ ମନ୍ଦିର କମିଟିର ସମନ୍ବୟ ବୈଠକ: ଇସ୍ପାତ ସହର ରାଉରକେଲାରେ ଗଡ଼ିବ ୫୬ ରଥ

ରାସ୍ତା ମରାମତି ଓ ବିଜୁଳି ବ୍ୟବସ୍ଥାକୁ ଗୁରୁତ୍ବ

ରାଉରକେଲା : ଆସନ୍ତା ୨୦ରେ ହେବାକୁ ଯାଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଇସ୍ପାତ ସହର ରାଉରକେଲାରେ ଶାନ୍ତିପୂର୍ଣ୍ଣ ଭାବେ ରଥଯାତ୍ରା ଶେଷ କରିବାକୁ ଆଜି ଉଦିତନଗର ଆଇଟିଡିଏ ସମ୍ମିଳନୀ କକ୍ଷରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର, ଡିଏଫ୍‌ଓ ଯଶବନ୍ତ ସେଠୀ, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝି, ଅତିରିକ୍ତ ଏସ୍‌ପି ବି.କେ. ଭୋଇ ଉପସ୍ଥିତ ଥିଲେ। ଏମାନଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀ, ବିଭିନ୍ନ ଥାନାର ଥାନା ଅଧିକାରୀ ଓ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

ସହର ଓ ଏହାର ଆଖପାଖରେ ମୋଟ ୫୬ ରଥ ଗଡ଼ିବାକୁ ଯାଉଥିବା କମିଟିଗୁଡ଼ିକର ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ‌ହୋଇଥିଲା। ରାସ୍ତା ମରାମତି, ପାନୀୟ ଜଳ ଓ ବିଜୁଳି ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଥିଲା। ଜଗନ୍ନାଥ ମନ୍ଦିରରୁ ମାଉସୀ ମା’ ମନ୍ଦିରକୁ ଯାଉଥିବା ରାସ୍ତା ଉପରେ ବିପଦ ସଙ୍କୁଳ ସ୍ଥିତିରେ ରହିଥିବା ବିଜୁଳି ତାରକୁ ହଟାଇବାକୁ ଅତିରିକ୍ତ ଜିଲ୍ଲାପାଳ ବିଜୁଳି ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଯୋଗଦେଇଥିବା ରଥ ଯାତ୍ରା କମିଟିର ପ୍ରତିନିଧିମାନେ ନିଜ ନିଜ ଅଞ୍ଚଳର ସମସ୍ୟାଗୁଡ଼ିକ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ସହରର ପ୍ରମୁଖ ରଥଯାତ୍ରା କମିଟିର ଗିରିଜା ଶଙ୍କର ଦ୍ବିବେଦୀ, ଆନନ୍ଦ ମହାନ୍ତି, ମୀନକେତନ ନାୟକ, ସୁନାକର ନାୟକ, ରାମାଚନ୍ଦ ଶ୍ରୀଚନ୍ଦନ, ଏସ. ପାଣ୍ଡେ, ଦିଲୀପ କର, ହରମୋହନ ମହାପାତ୍ର, ସୁନୀଲ ଦାସ, ବାଳଗୋପାଳ ମହାପାତ୍ର, ବିଜୟ ପ୍ରଧାନ, ଦିଲୀପ ଦାସ ପ୍ରମୁଖ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ଶେଷ କରିବାକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନକୁ ଅନୁ‌ରୋଧ କରିଥିଲେ। ସେପଟେ ସହରର ପ୍ରମୁଖ ଜଗନ୍ନାଥ ମନ୍ଦିରରେ ଚାଲିଥିବା ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ସମ୍ବନ୍ଧିତ ଖବର