ପୁରୀ : କୋଭିଡ୍ ଭୟାବହତା ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ପ୍ରଧାନମନ୍ତ୍ରୀଙ୍କଠୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଚିନ୍ତା ପ୍ରକଟ କରିବା ସହ ସାବଧାନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଣି ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ବଡ଼ଦିନ ଓ ନୂଆବର୍ଷ ପାଇଁ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ପର୍ଯ୍ୟଟକଙ୍କ ଆଗମନରେ ରୋକ୍ ଲାଗିନାହିଁ କିମ୍ବା ଏଥିରେ ରୋକ୍ ଲାଗିବା ନେଇ ମାର୍ଗଦର୍ଶିକା ମଧ୍ୟ ଜାରି ହୋଇନାହିଁ। ଯଦିଓ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ କୋଭିଡ୍ ପରୀକ୍ଷା ପାଇଁ ବିଜୁ ପଟ୍ଟନାୟକ ଏୟାର୍ପୋର୍ଟରେ ବନ୍ଦୋବସ୍ତ କରାଯାଇଛି। ତଥାପି ସଂକ୍ରମଣ ବ୍ୟାପିବା ଆଶଙ୍କାକୁ ଟାଳି ହେବ ନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।
ଏନେଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସତର୍କ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କୋଭିଡ୍ କେୟାର ସେଣ୍ଟର୍ଗୁଡ଼ିକ ଖୋଲିବା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି। ଚୀନ୍ରେ ଭୟାବହ ସଂକ୍ରମଣ ଲହର ଆସିଥିବା ବେଳେ ଓମିକ୍ରନ ପ୍ରଜାତି ବିଏଫ୍ ୭ ଭାରତରେ ଠାବ ହେବା ପରଠାରୁ ଏହି ଭୂତାଣୁଜନିତ ସଂକ୍ରମଣ ସ୍ଥିତି ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ପୁରୀରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ମୁତାବକ ଏପର୍ଯ୍ୟନ୍ତ ମୋଟ୍ ୫୧ ହଜାର ୬୨ ଜଣ ସଂକ୍ରମିତ ହୋଇଥିବା ବେଳେ ୫୦ ହଜାର ୫୬୪ ଜଣ ସୁସ୍ଥ ହୋଇଛନ୍ତି। କୋଭିଡରେ ପୁରୀ ଜିଲ୍ଲାରେ ମୋଟ ୪୯୧ ଜଣ ମୃତ୍ୟୁବରଣ କରିଛନ୍ତି। ପୁରୀରେ ଆଇଡିଏଚ୍ରେ ୧୩୦ ଜଣ ଚିକିତ୍ସିତ ହେବାର ବ୍ୟବସ୍ଥା ରହିଥିବା ବେଳେ ୧୫ଟି ଆଇସିୟୁ ବେଡ୍ର ବ୍ୟବସ୍ଥା ରହିଥିଲା। ତେଣୁ ଏହାକୁ ପୁଣି ଚଳଚଞ୍ଚଳ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ ଜିଲ୍ଲା ସ୍ତରରେ ତତ୍ପରତା ପ୍ରକାଶ ପାଇଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି କୋଭିଡ୍ର ପ୍ରଥମ ଓ ଦ୍ବିତୀୟ ଡୋଜ୍ ନେବା ପାଇଁ ଲୋକଙ୍କ ମଧ୍ୟରେ ଯେଉଁ ସଚେତନତା ବାରି ହେଉଥିଲା ପ୍ରିକସନ୍ ଡୋଜ୍ ବେଳେ ତାହା ହ୍ରାସ ପାଇଛି। ପୁରୀ ଜିଲ୍ଲାରେ ସେପ୍ଟେମ୍ବର ୩୦ ସୁଦ୍ଧା ମୋଟ୍ ୩୦ ଲକ୍ଷ ୮୫ ହଜାର ୧୨ଟି ଡୋଜ୍ ଦିଆଯାଇଥିବା ବେଳେ ସେଥିମଧ୍ୟରୁ ପ୍ରିକସନ୍ ଡୋଜ୍ ନେଇଛନ୍ତି ମାତ୍ର ୫ଲକ୍ଷ ୨୦ ହଜାର ୩୨୭ ଜଣ। କୋଭିଡ୍ର ଭୟାବହତା ହ୍ରାସ ପାଇବା ପରେ ପ୍ରିକସନ୍ ଡୋଜ୍ ନେବାକୁ ସେଇ ଉତ୍ସାହ ଦେଖିବାକୁ ମିଳିଲା ନାହିଁ। ପୁରୀ ଜିଲ୍ଲାରେ କୋଭିଡ୍ ଟିକାକରଣ ହିସାବ ମୁତାବକ, ମୋଟ୍ ୩୦ ଲକ୍ଷ ୮୫ ହଜାର ୧୨ ଡୋଜ୍ ମଧ୍ୟରୁ ୧୩ଲକ୍ଷ ୩୪ ହଜାର ୮୫୫ ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ୧୨ ଲକ୍ଷ ୨୯ ହଜାର ୮୨୯ ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ତେବେ ମାତ୍ର ୫ଲକ୍ଷ ୨୦ ହଜାର ୩୨୭ ଜଣ ପ୍ରିକସନ୍ ଡୋଜ୍ ନେଇଛନ୍ତି। ଅର୍ଥାତ ଏବେ ବି ୮ଲକ୍ଷ ୧୪ ହଜାର ୫୨୮ ଜଣ ବ୍ୟକ୍ତି ପ୍ରିକସନ୍ ଡୋଜ୍ ନେଇନାହାନ୍ତି।
ବିଡ଼ମ୍ବନା ଏହି ଯେ, ଏଯାଏ ୧ଲକ୍ଷ ୫ହଜାର ୨୬ ଜଣ ବ୍ୟକ୍ତି ଦ୍ବିତୀୟ ଡୋଜ୍ ଟିକା ମଧ୍ୟ ନେଇନାହାନ୍ତି। ସମ୍ଭବତଃ କୋଭିଡ୍ ସଂକ୍ରମଣ ହାରର ଭୟାବହତା କମିବା ପରେ ଅନେକ ଦ୍ବିତୀୟ ଡୋଜ୍ ଟିକା ନେବାକୁ ବି ଗୁରୁତ୍ବ ବୋଲି ମଣିଲେ ନାହିଁ। ତେବେ ୪୫ ବର୍ଷରୁ ଅଧିକ ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ୨ଲକ୍ଷ ୪୬ ହଜାର ୨୭୧ ଜଣ ପ୍ରିକସନ୍ ଡୋଜ୍ ନେଇଥିବା ବେଳେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ମଧ୍ୟରୁ ୨ଲକ୍ଷ ୫୦ ହଜାର ୫୪୦ ଜଣ ପ୍ରିକସନ୍ ଡୋଜ୍ ନେଇଛନ୍ତି। ଏନେଇ ସିଡିଏମଓ ସୁଜାତା ମିଶ୍ର କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆମେ ପ୍ରସ୍ତୁତ ରହିଛୁ। କୋଭିଡ୍ର ଭୟାବହତା ଦେଖି ପ୍ରସ୍ତୁତି କରିବୁ। ଆଇଡିଏଚ୍ ପ୍ରସ୍ତୁତ ରହିଥିବା ବେଳେ ପ୍ରିକସନ ଡୋଜ୍ ଯୋଗାଇଦେଲେ ଏନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଯିବ। ତେବେ ଲୋକେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା ଦିଗରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।