ପୁଲିସ-ପିଏଲ୍‌ଏଫ୍ଆଇ ଗୁଳି ବିନିମୟ : ବନ୍ଧୁକ ଓ ୧୮୦ ଅଫୁଟା ଗୁଳି ଜବତ

ପୋଡ଼ାହାଟ ଜଙ୍ଗଲରେ ଚାଲିଥିଲା କ୍ୟାମ୍ପ୍‌, ଲାପଟପ୍‌, ମୋବାଇଲ୍ ଓ ମାଓପୋଷାକ ଜବତ

ରାଉରକେଲା : ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ପୋଡାହାଟ ଜଙ୍ଗଲରେ ଗତ ରାତିରେ ପୁଲିସ ଓ ପିପୁଲ୍‌ସ ଲିବ୍ରେସନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫଆଇ) ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା। ପୁଲିସ ଚଢଉର ମୁକାବିଲା କରି ନ ପାରି ପିଏଲ୍‌ଏଫ୍‌ଆଇ ଛତ୍ରଭଙ୍ଗ ଦେଇଥିଲା। ଘଟଣାସ୍ଥଳରୁ ପୁଲିସ ଡିବିବିଏଲ୍‌ ବନ୍ଧୁକ, ଏକେ.-୪୭ର ୧୮୦ ଅଫୁଟା ଗୁଳି, ୪୬ ପିସ୍‌ ମାଓ ପୋଷାକ, ଜୋତା, କମ୍ବଳ, ଲାପଟପ୍‌, ୧୨ଟି ମୋବାଇଲ, ୭୩୫ ଟଙ୍କା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

ଚାଇବାସା ଏସ୍‌ପି କ୍ରାନ୍ତି କୁମାରଙ୍କ କହିବାନୁଯାୟୀ, ପୋଡାହାଟ ଜଙ୍ଗଲରେ ସନ୍ତୋ‌ଷ କାଣ୍ଡୁଲାନାଙ୍କ ନେତୃତ୍ବରେ ୮ରୁ ୧୦ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ନେଇ କ୍ୟାମ୍ପ ଚାଲୁଥି‌ଲା। ସେମାନେ ସ୍ଥାନୀୟ ଅଞ୍ଚଳରେ ବଡଧରଣ ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିବା ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା। ମନୋହରପୁର ଥାନାର ଏସ୍‌ଆଇ ଅଜୁର୍ନ ପଣ୍ଡିତ, ସିଆରପିଏଫ୍‌ ୯୪ ବଟାଲିୟନର ଯବାନଙ୍କ ନେତୃତ୍ବରେ ଗଠିତ ସ୍ବତନ୍ତ୍ର ଟିମ୍‌ ପୋଡାହାଟ ଜଙ୍ଗଲକୁ ଘେରାବନ୍ଦୀ କରିଥିଲେ। ଯବାନମାନେ ପିଏଲ୍‌ଏଫଆଇଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ହେଲେ ଯବାନ ଓ ପୁଲିସଙ୍କୁ ଦେଖି ପିଏଲ୍‌ଏଫଆଇ ସଦସ୍ୟମାନେ ଗୁଳି ଚଳାଇଥିଲେ। ଯବାନ ଓ ପୁଲିସ ସେମାନଙ୍କ ଉପରକୁ ପାଲଟା ଗୁଳି ଚାଳନା କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଗୁଳି ବିନିୟମ ‌େହାଇଥିଲା। ଶେଷରେ ପିଏଲ୍‌ଏଫଆଇ ସଦସ୍ୟମାନେ କ୍ୟାମ୍ପ୍‌ ଛାଡି ଫେରାର୍‌ ହୋଇଯାଇଥିଲେ। ଗତକାଲି ରାତିରେ ସ୍ଥାନୀୟ ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାରୁ ଯବାନମାନେ ସର୍ଚ୍ଚ ଅପରେସନକୁ ବନ୍ଦ ରଖିଥିଲେ। ଆଜି ଯବା‌ନମାନେ ପୋଡାହାଟ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ‌ଜୋରଦାର କରିଛନ୍ତି।

ସମ୍ବନ୍ଧିତ ଖବର