ବାଦ୍‌ ପଡ଼ିବ କପି ପରୀକ୍ଷା କେନ୍ଦ୍ର: ମନ୍ତ୍ରୀ

ପରୀକ୍ଷା ଖାତାରେ ଡିଜିଟାଲ ତାଲା, ଫେବ୍ରୁଆରି ତୃତୀୟ ସପ୍ତାହରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ପ୍ରତିଥର ପରି ଏଥର ମଧ୍ୟ ଫେବ୍ରୁଆରି ତୃତୀୟ ସପ୍ତାହରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଖୁବ୍‌ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଲୋକସେବା ଭବନରେ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ମାଟ୍ରିକ ପରୀକ୍ଷାରେ ସ୍ବଚ୍ଛତା ଆଣିବା ସହ କପି ରୋକିବା ଲାଗି ଏଥର ଏକାଧିକ ପଦକ୍ଷେପ ନିଆଯିବ। ଗତବର୍ଷ ଭିତ୍ତିଭୂମି ଅଭାବରୁ କେତେକ ପରୀକ୍ଷା କେନ୍ଦ୍ର‌ରେ ସିସିଟିଭି ଲାଗି ପାରି ନ ଥିଲା। ତେବେ ଏଥର ଆଉ ଭୁଲ୍‌ କରାଯିବ ନାହିଁ। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗି ନ ଥିବ ସେଠାରେ କେନ୍ଦ୍ର ହେବନି। ଏଥିସହ ଗତବର୍ଷ ଯେଉଁ ସବୁ ପରୀକ୍ଷା କେନ୍ଦ୍ରରେ କପି ହୋଇଥିବା ନେଇ ଅଭିଯୋଗ ଆସିଥିଲା ତାହା ଉପରେ ତର୍ଜମା କରାଯାଇଛି। ସେଠାରେ ପରୀକ୍ଷା କେନ୍ଦ୍ର କରାଯିବ ନାହିଁ। ତା’ ବଦଳରେ ନିକଟରେ ଥିବା ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ। କପି ରୋକିବା ପାଇଁ ଏଥର ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ପ୍ରବେଶ ଉପରେ କଟାକଣା ଜାରି କରାଯିବ। ‌ଯଦି କୌଣସି ଶିକ୍ଷକ, କର୍ମଚାରୀ ମୋବାଇଲ୍‌ ଧରି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ଚେତାବନୀ ଦେଇଛନ୍ତି।

ଫଟୋ ନେଲେ ବା ଜେରକ୍ସ କଲେ ଧରାପଡ଼ିବ
୨୦୨୧ରୁ ବୋର୍ଡର ସବୁ ପ୍ରଶ୍ନପତ୍ରରେ ରହିବ ଡିଜିଟାଲ ଲକ୍‌

କଟକ: ରେଭେନ୍‌ସା ବିଶ୍ବବିଦ୍ୟାଳୟରେ ଏମବିଏ ପରୀକ୍ଷା ପାଇଁ ସିକ୍ୟୁରିଟି କୋଡ୍‌ ଓ ଡିଜିଟାଲ ଲକର ବ୍ୟବସ୍ଥା କରାଯାଇଥିବାବେଳେ ହାଇଦ୍ରାବାଦର ଏକ କମ୍ପାନି ରେଭେନ୍‌ସା ପାଇଁ ଏଭଳି ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିଲା। ଆଉ ଏହି କୌଶଳକୁ ଆପଣେଇ ଚଳିତ ମାଟ୍ରିକ ପରୀକ୍ଷାକୁ କପିମୁକ୍ତ କରାଯିବା ନେଇ ପ୍ରସ୍ତୁତି ଚାଲିଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାରେ ସିକ୍ୟୁରିଟି କୋଡ ଓ ପ୍ରଶ୍ନପତ୍ରରେ ଡିଜିଟାଲ୍‌ ଲକ୍‌ ରହିବ। ଆଉ ଏହି କୋଡକୁ ଖାଲି ଆଖିରେ ଦେଖି ହେବ ନାହିଁ । କିନ୍ତୁ ଯଦି କେହି ପ୍ରଶ୍ନ ପତ୍ରର ଫଟୋ ଉଠାଇଲେ ତେବେ ଏହା ସିକ୍ୟୁରିଟି କୋଡ ଆଡମିନଙ୍କୁ ଜଣାପଡ଼ିଯିବ। ଫଳରେ କପି ରୋକା ଯାଇପାରିବ ମାଟ୍ରିକ୍‌ ପରୀକ୍ଷାରେ ଅନିୟମିତତା ରୋକିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତବର୍ଷ ପ୍ରଥମ କରି ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତ ବ‌ର୍ଷ ମାଟ୍ରିକ୍ ପ୍ରଶ୍ନପତ୍ରରେ ସୁରକ୍ଷା କୋଡ ରହିବ। ଏହା ଖାଲି ଆଖିକୁ ଦେଖାଯିବ ନାହିଁ। କିନ୍ତୁ ପ୍ରଶ୍ନପତ୍ରର ଫଟୋ ଉଠାଇଲେ ବା ‌ଜେରକ୍ସ କଲେ ଆଡ୍‌ମିନ ପାଖକୁ ସତର୍କ ସୂଚନା ଯିବ। ଏହାଦ୍ବାରା ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍ ବା ପୂର୍ବଭଳି ପରୀକ୍ଷାରେ ହେଉଥିବା କପିକୁ ରୋକାଯାଇପାରିବ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବୋର୍ଡ ସହିତ ରାଜ୍ୟ ବାହାରର ଏକ ଆଇଟି କମ୍ପାନି ଚୁକ୍ତି କରିଛି ବୋଲି ବୋର୍ଡର ଜଣେ ଅଧିକାରୀ ସୂଚନା ‌ଦେଇଛନ୍ତି।

ଗତବର୍ଷ ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ଓ ସମୂହ କପି ଭଳି ଅଭିଯୋଗ ଆସିଥିଲା। ଏହାକୁ ନେଇ ବହୁ ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳକୁ ବୋର୍ଡ ପକ୍ଷରୁ ପ୍ରକାଶ କରାଯାଇ ନଥିଲା। ପରୀକ୍ଷା ଅନିୟମିତତା ପାଇଁ ଫଳ ପ୍ରକାଶନରେ ବିଳମ୍ବ ମଧ୍ୟ ‌ହୋଇଥିଲା। ଆସନ୍ତା ମାଟ୍ରିକ୍ ପରୀକ୍ଷାରେ ଏଭଳି ଅବ୍ୟବସ୍ଥା ରୋକିବା ପାଇଁ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ରରେ ସୁରକ୍ଷା କୋଡ (ସିକ୍ୟୁରିଟ୍ କୋଡ) ବ୍ୟବସ୍ଥା କରାଯିବାକୁ ଏକ ଆଇଟି କମ୍ପାନି ସହିତ ଚୁକ୍ତି ହୋଇଛି। ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ବୁକ୍‌ଲେଟ୍‌ରେ ଏଣିକି ସିକ୍ୟୁରଟି କୋଡ ରହିବ। ଏହି କୋଡ ବାହାରକୁ ଜଣାପଡ଼ିବ ନାହିଁ। କିନ୍ତୁ ଏହାର ଫଟୋ ଉଠାଇଲେ ଆଡ୍‌ମିନ ପାଖକୁ ସୂଚନା ଯିବ। ଆଉ ଜେରକ୍ସ କଲେ ଜେରକ୍ସ ପେପରରେ ଇଂରାଜୀ ଶବ୍ଦ ‘କପି’ ବୋଲି ଆସିବା ସହିତ ଏ ସଂକ୍ରାନ୍ତରେ ଆଡ୍‌ମିନ୍ ଜାଣିପାରିବେ। କେଉଁଠି ଫଟୋ ଉଠାଗଲା ବା ଜେରକ୍ସ କରାଗଲା ତାହା ଜଣାପଡ଼ିବ। ସେହିପରି ୨୦୨୧ ମାଟ୍ରିକ୍ ପରୀକ୍ଷା ସମେତ ଅନ୍ୟ ସମସ୍ତ ପରୀକ୍ଷାରେ ପ୍ରଶ୍ନପତ୍ରରେ ଡିଜିଟାଲ ଲକ୍ ବ୍ୟବସ୍ଥା ରହିବ। ଏହାଦ୍ବାରା ପ୍ରଶ୍ନପତ୍ର ବୁକ୍‌ଲେଟ୍ ପରୀକ୍ଷା ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ସମୟରେ ହିଁ ଖୋଲିବ। ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କେହି ଚାହିଁଲେ ବି ପ୍ରଶ୍ନପତ୍ର ଖୋଲି ପାରିବେ ନାହିଁ ବୋଲି ବୋର୍ଡର ଜଣେ ବରି‌ଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର