ୟୁଟ୍ୟୁବ୍‌ ପାଠପଢ଼ାରେ କପିରାଇଟ୍‌ ଉଲ୍ଲଂଘନ: କପି କରୁଛନ୍ତି ଶିକ୍ଷକ

ନୋଟିସ୍‌ ପଠାଇଲା ୟୁଟ୍ୟୁବ୍‌ ଟିମ୍‌, ଡିଲିଟ୍‌ କରିଦେଲା ଅନେକ ବିଷୟବସ୍ତୁ

ଭୁବନେଶ୍ବର : ପ୍ରଥମରୁ ଦଶମ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବ୍‌ରେ ଶିକ୍ଷାଦାନ କରାଯାଉଛି। ନୂତନ ଜ୍ଞାନକୌଶଳ ବ୍ୟବହାର କରାଯାଇ ଅଢ଼େଇ ମାସ ହେଲା ଦିନକୁ ୪ ଘଣ୍ଟା ଲେଖାଏଁ କ୍ଲାସ୍‌ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଶାନୁରୂପ ସଫଳତା ମିଳିପାରି ନାହିଁ। ସହରାଞ୍ଚଳର ଅଧିକାଂଶ ଛାତ୍ରଛାତ୍ରୀ ୟୁଟ୍ୟୁବ୍‌ ସହ ଯୋଡ଼ି ହୋଇଥିବା ବେଳେ ଗ୍ରାମାଞ୍ଚଳରେ ସେତେଟା ଫଳପ୍ରଦ ହୋଇନି। ଏବେ ସୁଦ୍ଧା ଆହୁରି ୭୦% ଛାତ୍ରଛାତ୍ରୀ ୟୁଟ୍ୟୁବ୍‌ ଶିକ୍ଷାରୁ ବଞ୍ଚିତ ହେଉଥିବା ବେଳେ ୟୁଟ୍ୟୁବ୍‌ରେ ପଢ଼ାଉଥିବା ଶିକ୍ଷକମାନଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ଯେଉଁ ଶିକ୍ଷକମାନେ ପିଲାଙ୍କୁ ୟୁଟ୍ୟୁବ୍‌ରେ ଶିକ୍ଷାଦାନ କରୁଛନ୍ତି; ସେମାନେ ଅନ୍ୟମାନଙ୍କ ତଥ୍ୟ ଚୋରାଉଛନ୍ତି। ଅର୍ଥାତ୍‌ ଅନ୍ୟ କୌଣସି ଶିକ୍ଷକ, ଶିକ୍ଷାବିତ୍‌ଙ୍କ ଦ୍ବାରା ପୂର୍ବରୁ ଅପ୍‌ଲୋଡ୍‌ କରାଯାଇଥିବା ବିଷୟବସ୍ତୁକୁ କପି କରି ପିଲାଙ୍କୁ ପଢ଼ାଉଛନ୍ତି। ଯେଉଁଥିରେ ଅଡିଓ ଭିଜୁଆଲ୍‌ କ୍ଲିପ୍‌, ଭିଡିଓ, ଆନିମେସନ୍‌, ଫଟୋ ଆଦି ରହିଛି। ତାହାକୁ ନେଇ ୟୁଟ୍ୟୁବ୍‌ ଟିମ୍‌ ଅସନ୍ତୋଷ ପ୍ରକାଶ କରିବା ସହ ଏଭଳି ନ କରିବାକୁ ତାଗିଦ୍‌ କରିଛି। ଶିକ୍ଷକମାନଙ୍କ ଦ୍ବାରା କପି ରାଇଟ୍‌ ଉଲ୍ଲଂଘନ କରି ପ୍ରଦର୍ଶନ କରାଯାଇଥିବା ଏମିତି କିଛି ବିଷୟବସ୍ତୁକୁ ୟୁଟ୍ୟୁବ୍‌ ଡିଲିଟ୍‌ କରିଦେଇଥିବା ଜଣାପଡ଼ିଛି।

ୟୁଟ୍ୟୁବ୍‌ ଟିମ୍‌ ପକ୍ଷରୁ କୁହାଯାଇଛି ଯେ ଲାଇଭ୍‌ ଷ୍ଟ୍ରିମିଂ କ୍ଲାସ୍‌ଗୁଡ଼ିକ ୟୁଟ୍ୟୁବ୍‌ ନୀତିର ଉଲ୍ଲଂଘନ କରୁଛି। ନିୟମକୁ ଠିକ୍‌ ଭାବେ ପାଳନ କରାଯାଉ ନାହିଁ। କେତେକ କ୍ଷେତ୍ରରେ କପି ରାଇଟ୍‌ ବା ସତ୍ତ୍ବାଧିକାର ଆଇନକୁ ବି ଶିକ୍ଷକ ଶିକ୍ଷୟିତ୍ରୀ ଖାତିର କରି ନ ଥିବା ନଜରକୁ ଆସିଛି। ବିଶେଷକରି ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅଧିକ ପରିମାଣରେ କପିରାଇଟ୍‌ ଉଲ୍ଲଂଘନ ହୋଇଛି। ୟୁଟ୍ୟୁବ୍‌ଠାରୁ ନୋଟିସ୍‌ ପାଇବା ପରେ ଓସେପା ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ହସ୍ତକ୍ଷେପ ଲୋଡ଼ା ଯାଇଥିଲା। ଆଗକୁ ଯେପରି ଏଭଳି ତ୍ରୁଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ପରାମର୍ଶ ଦିଆଯାଇଛି। କପି ରାଇଟ୍‌ ଅଧୀନରେ ଆସୁଥିବା କଣ୍ଟେଣ୍ଟ/ତୃତୀୟ ପକ୍ଷ କଣ୍ଟେଣ୍ଟକୁ ବ୍ୟବହାର ନ କରିବାକୁ ଶିକ୍ଷକଙ୍କୁ ପରାମର୍ଶ ଦେବାକୁ ଡିଇଓମାନଙ୍କୁ କୁହାଯାଇଛି।

ସୂଚନା ଅନୁଯାୟୀ ନବମ ଓ ଦଶମ ଶ୍ରେଣୀର ପ୍ରାୟ ୫ ଲକ୍ଷ ଛାତ୍ରଛାତ୍ରୀ ୟୁଟ୍ୟୁବ୍‌ରେ ଯୋଡ଼ି ହୋଇଥିବାବେଳେ ବାକି ୮ଟି ଶ୍ରେଣୀରେ ୧୦ ଲକ୍ଷ ପିଲା ସାମିଲ ହୋଇ ଶିକ୍ଷା ଗ୍ରହଣ କରୁଛନ୍ତି। ପ୍ରାଥମିକ ଶ୍ରେଣୀର ବହୁ ପିଲା ୟୁଟ୍ୟୁବ୍‌ ଶିକ୍ଷାରୁ ଏବେ ବି ବଞ୍ଚିତ ହେଉଛନ୍ତି। ଏକ ନିର୍ଦ୍ଦିଷ୍ଟ ବିଷୟର କ୍ଲାସ୍‌ ଚାଲିଥିବା ବେଳେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ହାରାହାରି ୬୫ ହଜାର ପିଲା ୟୁଟ୍ୟୁବ୍‌ ଦେଖୁଛନ୍ତି। ‌ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଶ୍ରେଣୀର ବହୁ କମ୍‌ ସଂଖ୍ୟକ ପିଲା ୟୁଟ୍ୟୁବ୍‌ରେ ପଢ଼ୁଛନ୍ତି। ଗଣିତ ଓ ବିଜ୍ଞାନ ବିଷୟ ଶିକ୍ଷା ପ୍ରତି ଛାତ୍ରଛାତ୍ରୀ ସେତେଟା ଉତ୍ସାହ ଦେଖାଉ ନାହାନ୍ତି। ଏହି ଦୁଇ ବିଷୟର ପାଠପଢ଼ା ଚାଲିଥିବା ବେଳେ ବହୁ ସଂଖ୍ୟକ ପିଲା ଅନୁପସ୍ଥିତ ରହୁଛନ୍ତି। ଯେତେବେଳେ କି ସାହିତ୍ୟ, ହସଖେଳ ଆଦି ବିଷୟରେ ପିଲାଙ୍କ ସଂଖ୍ୟା ବହୁତ ଅଧିକ ରହୁଛି। ଯେହେତୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଆସନ୍ତାବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବେ ତେଣୁ ସେମାନଙ୍କ ମଧ୍ୟରେ ଆଗ୍ରହ ରହୁଛି। ଏବେ କ୍ଲାସ୍‌ରୁମ୍‌ ପାଠପଢ଼ା ଆରମ୍ଭ ହୋଇଥିବାରୁ ପିଲାମାନେ ୟୁଟ୍ୟୁବ୍‌ରୁ ମୁହଁ ମୋଡ଼ିବା ଆରମ୍ଭ କରିଛନ୍ତି। ଯେଉଁଠି ମୋବାଇଲ୍‌ ସେବା ଉପଲବ୍ଧ ହେଉନି ସେଠାକାର ପିଲାମାନେ କ୍ଲାସରୁମ୍‌ ଶିକ୍ଷାକୁ ପ୍ରାଥମିକତା ଦେଉଛନ୍ତି।

ସମ୍ବନ୍ଧିତ ଖବର