ରାଉରକେଲା: ଜିଲ୍ଲାରେ କୋଭିଡ୍‌ ମହାମାରୀ ସଂକ୍ରମଣ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ଶେଷରେ ତାହା ହିଁ ହେଲା। କ୍ରମଶଃ ଜିଲ୍ଲାରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଆଉ ଏହାର ମୁଖ୍ୟ କାରଣ ହେଉଛି କୋଭିଡ୍‌ ନିୟମର ଖୋଲା ଉଲ୍ଲଂଘନ। ଜନସାଧାରଣଙ୍କ ଚିରାଚରିତ ବେପରୁଆ ମନୋଭାବ ସାଙ୍ଗକୁ ପ୍ରଶାସନର ଖାମଖିଆଲୀ ନୀତି ସଂକ୍ରମଣକୁ ନିମନ୍ତ୍ରଣ କରୁଛି। ଦୈନିକ ସଂକ୍ରମଣ ପରିସଂଖ୍ୟାନ ତାଲିକାରେ, ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ସୁନ୍ଦରଗଡ଼ ଜିଲ୍ଲା ତୃତୀୟ ସ୍ଥାନରେ ରହିଛି। ଖୋର୍ଦ୍ଦା ଜିଲ୍ଲା ଓ କଟକ ଜିଲ୍ଲା ଏହି ତାଲିକାରେ ଶୀର୍ଷ ଦୁଇ ସ୍ଥାନରେ ରହୁଥିବାବେଳେ ସୁନ୍ଦରଗଡ଼ ଜିଲ୍ଲା କ୍ରମାଗତଭାବେ ତୃତୀୟ ସ୍ଥାନ ବଜାୟ ରଖୁଛି। ତେବେ ଏବେ ସୁଦ୍ଧା ସଂକ୍ରମଣ ଆଶାତୀତ ବୃଦ୍ଧି ହୋଇନି; ଯାହାକି କିଛିମାତ୍ରାରେ ଆଶ୍ବସ୍ତ କରିଛି। ପୂର୍ବରୁ ସଂକ୍ରମଣ ବ୍ୟାପକ ହେବାପରେ ଜିଲ୍ଲା ପ୍ରଶାସନ ସଠିକ ପଦକ୍ଷେପ ନେଇ ଏହାକୁ ଆୟତ୍ତ କରିପାରିଥିଲା। ଏଣୁ ଏବେଠାରୁ ଉପଯୋଗୀ ପଦକ୍ଷେପ ମାଧ୍ୟମରେ, ନିୟମର କଡ଼ା ପାଳନ ପୂର୍ବକୁ ସଂକ୍ରମଣ ପ୍ରତିହତ କରିବାକୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।

Advertisment

ଗତ ସପ୍ତାହ, ଅର୍ଥାତ୍‌ ଜୁଲାଇ ୩ ତାରିଖରୁ ଜୁଲାଇ ୯ ତାରିଖ ଭିତରେ ହୋଇଥିବା ସ୍ବାବ୍‌ ନମୁନା ପରୀକ୍ଷଣ, ଆକ୍ରାନ୍ତ ସଂଖ୍ୟା, ପଜିଟିଭ ହାରକୁ ଦେଖିଲେ, ଏବେଠାରୁ କଠୋର ପଦକ୍ଷେପ ନେବାର ସମୟ ଉପନୀତ; ତାହା ନିଃସନ୍ଦେହ। ଏହି ସମୟ ଅବଧି ମଧ୍ୟରେ ଜିଲ୍ଲାରେ ମୋଟ୍‌ ୫,୭୬୬ଟି ନମୁନା ପରୀକ୍ଷା କରାଯାଇଥିଲା। ଆର୍‌ଟିପିସିଆର୍‌ରେ ୨,୬୪୫, ଆଣ୍ଟିଜେନ୍‌ରେ ୩,୧୦୧ ଓ ଟ୍ରୁନାଟ୍‌ରେ ୨୦ ଟି ନମୁନା ପରୀକ୍ଷା ହୋଇଥିଲା। ଏଥିମଧ୍ୟରୁ ମୋଟ୍‌ ୧୪୬ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଅର୍ଥାତ୍‌, ଗତ ସପ୍ତାହରେ ଜିଲ୍ଲାର ପଜିଟିଭ୍‌ ହାର ୨.୫୩% ରହିଥିଲା। ଆଜି ଏହି ସଂଖ୍ୟା ୬୩ରେ ପହଞ୍ଚିଛି। ବାସ୍ତବରେ ଗତ ଜୁନ୍‌ ୨୫ ତାରିଖରୁ ଜିଲ୍ଲାରେ ସଂକ୍ରମଣ ସାମାନ୍ୟ ଅଧିକ ରହିଛି।

ଦୀର୍ଘ ଦିନପରେ, ଉକ୍ତ ଦିନ ଜିଲ୍ଲାର ଦୈନିକ ସଂକ୍ରମଣ ଦୁଇଅଙ୍କ ଛୁଇଁଥିଲା। ଜୁନ ୨୫ ତାରିଖରେ ଜିଲ୍ଲାରେ ମୋଟ୍‌ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପରବର୍ତ୍ତୀ ଦୁଇ ଦିନ ସଂକ୍ରମଣ ଏକକ ସଂଖ୍ୟାରେ ସୀମିତ ରହିଥିଲା। ଏହାପରେ ଜୁନ ୨୮ ତାରିଖରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ, ସଂଖ୍ୟା ପୁଣି ୧୦-୨୦ ଭିତରେ ରହିଥିଲା। ଏହାପରେ ଜୁଲାଇ ୩ ଓ ୪ ତାରିଖ ଦିନ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିବାବେଳେ ଜୁଲାଇ ୫ ତାରିଖରୁ ସଂଖ୍ୟା ଉପରମୁହାଁ ରହିଛି। ପ୍ରକାଶଥାଉକି, କୋଭିଡ୍‌ ମହାମାରୀ ଆରମ୍ଭରୁ ଆଜି ପର୍ଯ୍ୟନ୍ତ, ଜିଲ୍ଲାରେ ମୋଟ୍‌ ୯୧ ହଜାର ୧୯୦ ଜଣ ସଂକ୍ରମିତ ହୋଇସାରିଛନ୍ତି। ଏଥିମଧ୍ୟରୁ ୯୦ ହଜାର ୩୦୫ ଜଣ ସୁସ୍ଥ ହୋଇସାରିଥିବାବେଳେ ୨ ଶହ ଜଣ ସଙ୍ଗରୋଧରେ ଅଛନ୍ତି। ତେବେ ୬୮୧ ଜଣ ଆକ୍ରାନ୍ତଙ୍କ ପରଲୋକ ଘଟିଛି।

ଇତିମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ସମ୍ଭାବ୍ୟ କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କୋଭିଡ୍ ଚିକିତ୍ସା ପାଇଁ ସୁନ୍ଦରଗଡ଼ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ଏବଂ ଆରଜିଏଚରେ ଫ୍ଲୁ କ୍ଲିନିକ ବ୍ୟବସ୍ଥା କରାଯାଇଛି। କୋଭିଡ୍ ପଜିଟିଭ୍ ବ୍ୟକ୍ତି ଗୃହ ସଙ୍ଗରୋଧରେ ରହି ଆବଶ୍ୟକ ଚିକିତ୍ସା କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ନିବେଦନ କରିଛନ୍ତି। ତେବେ ଅନାବଶ୍ୟକ ଭିଡ଼କୁ ଏଡ଼ାଇବା, କୋଭିଡ୍‌ ନିୟମର କଡ଼ା ପାଳନ ପାଇଁ ଏଯାବତ୍‌ କୌଣସି କଠୋର ପଦକ୍ଷେପ ନିଆଯାଇନି। ଏମିତିକି ବିନା ମାସ୍କ ବ୍ୟବହାରକାରୀଙ୍କଠାରୁ ଜରିମାନା ବି ଆଦାୟ କରାଯାଉନି। ଯଦ୍ବାରା ଏବେ ବି ପନିପରିବା ବଜାରଠାରୁ ଆରମ୍ଭକରି ଦୋକାନ ବଜାର, ସିନେମା ହଲ୍‌, ସପିଂମଲ୍‌ ଆଦି ସ୍ଥାନରେ ପୂର୍ବଭଳି ଭିଡ଼ ଦେଖିବାକୁ ମିଳୁଛି। ଏ ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ମତ ଆସିଛି।