ଏନ୍‌ଆଇଟିରେ ପୁଣି ପଶିଲା କରୋନା:୩  ଛାତ୍ରଛାତ୍ରୀ ସଂକ୍ରମିତ

ରାଉରକେଲା: ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ରେ ପୁଣି କରୋନା ପଶିଛି। ଅନୁଷ୍ଠାନର ୩ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବି.ଟେକ୍‌ ଶେଷ ବର୍ଷର ଦୁଇ ଜଣ ଛାତ୍ର ଥିବାବେଳେ ଏମ.ଟେକ୍‌ର ଜଣେ ଛାତ୍ରୀ ଅଛନ୍ତି। ସମସ୍ତ ଆକ୍ରାନ୍ତ ସଙ୍ଗରୋଧରେ ଓ ସୁସ୍ଥ ଅଛନ୍ତି।

ବିଭିନ୍ନ ରାଜ୍ୟ, ଏପରିକି ବି‌ଦେଶୀ ଛାତ୍ରଛାତ୍ରୀ ପଢୁଥିବା ଏହି ଜାତୀୟ ଅନୁଷ୍ଠାନରେ ବର୍ତ୍ତମାନ ଶିକ୍ଷାଦାନ ଜାରି ରହିଛି। ହଷ୍ଟେଲ ମଧ୍ୟ ଚାଲିଛି। କେବଳ ବି.ଟେକ୍‌ ଶେଷ ବର୍ଷ ଛାତ୍ରଛାତ୍ରୀ ନିଜ ନିଜ ଘରେ ରହି ଅନଲାଇନ୍‌ରେ ଶିକ୍ଷା ଗ୍ରହଣ କରୁଥିଲେ। ତେବେ ଗତ ପ୍ରାୟ ଦୁଇ ସପ୍ତାହ ପୂର୍ବେ ବି.ଟେକ୍‌ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍‌କୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିୟମ ଥିଲା, ଛାତ୍ରଛାତ୍ରୀ ଅନୁଷ୍ଠାନକୁ ଆସିବା ଦିନ ହିଁ କୋଭିଡ୍‌ ଟେଷ୍ଟ୍‌ ହେବ ଓ ଏହାପରେ ସମସ୍ତଙ୍କୁ ୭ ଦିନ ପାଇଁ ସଙ୍ଗରୋଧରେ ରଖାଯିବ। ସଙ୍ଗରୋଧ ଅବଧି ଶେଷ ପରେ ଆଉଥରେ କୋଭିଡ୍‌ ଟେଷ୍ଟ୍‌ କରି ନେଗେଟିଭ୍‌ ରିପୋର୍ଟ ଆସିଲା ପରେ ହିଁ ହଷ୍ଟେଲ୍‌କୁ ଛାଡ଼ିଯିବ।

ଏହି କ୍ରମରେ ଅନୁଷ୍ଠାନକୁ ଆସୁଥିବା ଛାତ୍ରଛାତ୍ରୀଙ୍କ କୋଭିଡ୍‌ ଟେଷ୍ଟ୍‌ କରାଯାଇଥିଲା। ତେବେ ଦୁଇ ଦିନ ପୂର୍ବେ ଅନୁଷ୍ଠାନକୁ ଆସିଥିବା ଦୁଇ ଜଣ ଶେଷ ବର୍ଷ ଛାତ୍ର କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏତଦ୍‌ବ୍ୟତୀତ ପୂର୍ବରୁ ସଙ୍ଗରୋଧରେ ଥିବା ଜଣେ ଏମ.ଟେକ୍‌ ଛାତ୍ରୀଙ୍କ ସଙ୍ଗରୋଧ ଅବଧି ଶେଷ ହୋଇସାରିଥିଲା। ହଷ୍ଟେଲକୁ ଯିବା ପୂର୍ବରୁ ଆର୍‌ଟିପିସିଆର୍‌ ଟେଷ୍ଟ୍‌ବେଳେ କିନ୍ତୁ ସେ ସଂକ୍ରମିତ ଥିବା ରିପୋର୍ଟ ଆସିଥିଲା। ବର୍ତ୍ତମାନ ସୁଦ୍ଧା ମୋଟ୍‌ ୩ ଜଣ ସଂକ୍ରମିତ ହୋଇସାରିଥିବାରୁ ଛାତ୍ରଛାତ୍ରୀ ମହଲରେ କୋକୁଆ ଭୟ ଖେଳିଯାଇଛି।

ଏହି ଛାତ୍ରଛାତ୍ରୀ ବାହାରୁ ଆସିଥିବାରୁ ଓମିକ୍ରନ ସଂକ୍ରମିତ କି ନୁହନ୍ତି, ସେନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏଯାଏଁ ଏମାନଙ୍କର ସ୍ବାବ୍‌କୁ ଜେନମ୍‌ ସିକ୍ୟୁଏନ୍ସିଂ ପାଇଁ ପଠାଯାଇନାହିଁ। ଅପରପକ୍ଷରେ ସମସ୍ତ ଆକ୍ରାନ୍ତ ସୁସ୍ଥ ଓ ଲକ୍ଷଣବିହୀନ ଅଛନ୍ତି। ପ୍ରତିଷେଧୋତ୍ମକ ପଦକ୍ଷେପ ସଦୃଶ ଅନୁଷ୍ଠାନରେ ବ୍ୟାପକ ବିଶୋଧନ କରାଯିବବୋଲି ଏନ୍‌ଆଇଟି କର୍ତ୍ତୃପକ୍ଷଙ୍କ ସୂଚନାରୁ ପ୍ରକାଶ।

ସମ୍ବନ୍ଧିତ ଖବର