ନିୟମ ନ ମାନିଲେ ଗଞ୍ଜାମରେ ସ୍ଥିତି ପୁଣି ଭୟାବହ ହେବ!

 ଜାନୁଆରି ପହିଲାରୁ ୧୬୮୦୦ ଜଣଙ୍କ ସ୍ବାବ୍ ପରୀକ୍ଷା, ୧୩୧ ପଜିଟିଭ୍

ଛତ୍ରପୁର : କରୋନା ମହାମାରୀର ତୃତୀୟ ଲହର୍ ଆରମ୍ଭ ହୋଇଯାଇଛି। ନିୟମ ନମାନିଲେ ଗଞ୍ଜାମରେ ସ୍ଥିତି ପୁଣି ଭୟାବହ ହେବ ବୋଲି ସତର୍କ କରାଯାଉଛି। ତଥାପି ଦୈନିକ ସଂକ୍ରମଣ ଦୁଇ ଗୁଣରୁ ଅଧିକ ହାରରେ ବଢ଼ି ବଢ଼ି ଚାଲିଛି। ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଗତ ୨୪ ଘଣ୍ଟାରେ ୭୦ ହୋଇଥିବା ବେଳେ ଜାନୁଆରି ପହିଲାଠୁ ଆଜି ସୁଦ୍ଧା ସମୁଦାୟ ୧୩୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୧୬ ହଜାର ୮୦୦ ଜଣଙ୍କ ସ୍ବାବ୍ ପରୀକ୍ଷା କରାଯାଇଛି।

୯୫୪୪ ଜଣଙ୍କ ଆ ଣ୍ଟିଜେନ୍ ଏବଂ ୭୨୬୨ ଜଣଙ୍କ ଆର୍‌ଟିପିସିଆର୍ ପରୀକ୍ଷା ହୋଇଛି। ଗତ୪ ତାରିଖ ପରଠୁ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଜିଲ୍ଲାବାସୀ ଠିକ୍ ଭାବେ ନିୟମ ନ ମାନିଲେ ପୁଣି ସ୍ଥିତି ଭୟାବହ ହେବା ଆଶଙ୍କା ରହିଛି। ଏଣୁ ଜିଲ୍ଲାବାସୀ ନିଜେ ଯେମିତି ସଚେତନ ହେବେ ଏବଂ ସମସ୍ତ ନିୟମ ଯେଭଳି ଠିକ୍ ଭାବେ ପାଳନ ହେବ, ଏ ଦିଗରେ ସମସ୍ତେ ଉଦ୍ୟମ କରିବା ଦରକାର ବୋଲି ଜିଲ୍ଲାପାଳ ବାରମ୍ବାର ବୈଠକ କରି ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।  ଏହାସହ ସେ ନିଜେ ସମସ୍ତ ସହରା‌ଳଞ୍ଚରେ ସଚେତନତା ରାଲିରେ ସାମିଲ ହୋଇ ଜନସାଧାରଣଙ୍କୁ ସଚେତନ କରୁଛନ୍ତି।

ତୃତୀୟ ଲହର୍‌ ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜୋର୍‌ଦାର୍‌ ପ୍ରସ୍ତୁତି ଚଳାଇଛି। ପ୍ରଥମ ଓ ଦ୍ବିତୀୟ ଲହର୍‌ ମୁକାବିଲା ଭଳି କାର୍ଯ୍ୟଖସଡ଼ା ପ୍ରସ୍ତୁତ ହୋଇଛି। ସରକାରୀ ଡାକ୍ତରଖାନା ସହ ଟାଟା-ହାଇଟେକ୍ ଓ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ ପୁଣି ଚାଲି କରିବାକୁ ପ୍ରସ୍ତୁତି ଚାଲିଛି। ଏବେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ କୋଭିଡ୍‌ ହସ୍‌ପିଟାଲ୍‌ରେ ୯୦ଟି ଅମ୍ଲଜାନଯୁକ୍ତ ସ୍ବତନ୍ତ୍ର ଯତ୍ନ କେନ୍ଦ୍ରରେ ଶଯ୍ୟା ପ୍ରସ୍ତୁତ କରାଯାଇଛି। ଏବେ ସୁଦ୍ଧା ପଜିଟିଭ୍ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ଏହି ହସ୍ପିଟାଲରେ ୨୦ ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ ବାକି ସଂକ୍ରମିତ ଘରୋଇ ସ଼ଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ଏହାସହ ଭଞ୍ଜନଗର, ହିଞ୍ଜିଳି, ଆସିକା ଏବଂ ଛତ୍ରପୁର ଉପଖଣ୍ତ ଡାକ୍ତରଖାନାରେ ଅମ୍ଲଜାନଯୁକ୍ତ ଶଯ୍ୟା ପ୍ରସ୍ତୁତ କରି ରଖିବାକୁ ମଧ୍ୟ କୁହାଯାଇଛି ବୋଲି ଜିଲ୍ଲା କୋଭିଡ୍‌ ପରିଚାଳନା ନୋଡାଲ୍‌ ଅଫିସର୍‌ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀ ର୍ତ୍ତିଭାସନ୍ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର