କୋଟି କୋଟିର ହରିଲୁଟ୍‍: ହୋଲ୍‌ଡିଂ କେଳେଙ୍କାରୀ

ପୁରୀ: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଛନ୍ତି। ସିଆରଜେଡ଼୍‍ ନିଷିଦ୍ଧାଞ୍ଚଳରେ ବେଆଇନ ନିର୍ମାଣ ଖୋଜି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ ରାଜସ୍ୱ ବିଭାଗ କର୍ମଚାରୀମାନେ ସିଆରଜେଡ଼୍‍ ଅଞ୍ଚଳରେ ଏବେ ଡେରା ପକାଇଛନ୍ତି। ହୋଲ୍‍ଡିଂ ନମ୍ବରକୁ ଧରି ହୋଟେଲ ଖୋଜିବାକୁ ଯୋଜନା ହୋଇଛି। ଏହି ହୋଲ୍‍ଡିଂ ନମ୍ବର ଖୋଜା ହେବା ବେଳେ ବ୍ୟାପକ ଦୁର୍ନୀତି ପଦାକୁ ଆସିଛି। ହୋଲ୍‍ଡିଂ ଟାକ୍ସ ବାବଦକୁ କୋଟି କୋଟି ଟଙ୍କା ରାଜସ୍ୱ ହରିଲୁଟ୍‍ ହେଉଥିବା ଜଣାପଡ଼ିଛିି।

ବିଭାଗଗୁଡ଼ିକ ମଧ୍ୟରେ ହୋଲ୍‍ଡିଂ ନମ୍ବର ମେଳ ଖାଉନାହିଁ। ପୌରସଂସ୍ଥା ଖାତାରେ ମାତ୍ର ୩୨୪ଟି ବାଣିଜ୍ୟିକ ହୋଲ୍‍ଡିଂ ନମ୍ବର ଥିବା ବେଳେ ଲଜିଂ ହାଉସ୍‍ ଫଣ୍ଡ ଅଧୀନରେ ୭୧୯ ରହିଛି। ସେହିଭଳି ଯେତେ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି ତାହାକୁ ସ୍ୱେରେଜ୍‍ ସଂଯୋଗ ଦେବାପାଇଁ ସ୍ୱେରେଜ୍‍ ବୋର୍ଡ଼ ଯୋଜନା କରିଛି। ଏହି ହୋଲ୍‍ଡିଂ ନମ୍ବର ଧରି ସଂଯୋଗ ଦେଉଛି। ମୋଟ ୭୪୫ ହୋଟେଲ ଓ ଲଜିଂରେ ସଂଯୋଗ ଦେଇ ସାରିଥିବା ବେଳେ ୧୭ ହଜାର ୬୫୫ ଘରୋଇ ସଂଯୋଗ ଦେବାପାଇଁ ଘର ଖୋଜୁଛି। ସେସୁ(ବିଦ୍ୟୁତ ବିଭାଗ) ପୁରୀ ପୌରାଞ୍ଚଳରେ ୪୦ ହଜାର ବିଜୁଳି ସଂଯୋଗ ଦେଇଛି। ସେ ମଧ୍ୟ ଏହି ହୋଲ୍‍ଡିଂ ନମ୍ବରକୁ ମୂଳ କରି ସଂଯୋଗ ଦେଉଛି। ଜନସ୍ୱାସ୍ଥ୍ୟ ବିଭାଗ ଘରକୁ ଘର ପାନୀୟଜଳ ସଂଯୋଗ ଦେଇଛି। ସେ ପୁରୀ ପୌରସଂସ୍ଥା ହୋଲ୍‍ଡିଂ ନମ୍ବରକୁ ମୂଳ କରି ସଂଯୋଗ ଦେଉଥିଲେ ମଧ୍ୟ ୩୭ ହଜାରରୁ ଊଦ୍ଧ୍ଵର୍ ସଂଯୋଗ ରହିଛି। ପିକେଡ଼ିଏ ମଧ୍ୟ ହୋଲ୍‍ଡିଂ ନମ୍ବରକୁ ଧରି ପ୍ଲାନ୍‍ ଅନୁମୋଦନ କରୁଛି। ଏପଟେ ପୁଲିସ୍‍ ଏବେ ଏହି ହୋଲ୍‍ଡିଂ ନମ୍ବରକୁ ଧରି ହୋଟେଲ ଲଜିଂରେ କଟକଣା କରିବାକୁ ଯାଉଛି। ହେଲେ ମୂଳ ହୋଲ୍‍ଡିଂ ନମ୍ବରରେ ହିଁ ବ୍ୟାପକ ତ୍ରୁଟି ରହିଛି। ହୋଲ୍‍ଡିଂ ନମ୍ବର ହିସାବ ଠିକ୍‍ ରହିଥିଲେ ମଧ୍ୟ ଜାଣି ଜାଣି ହିସାବକୁ ସରକାରୀ ଖାତାରେ ଦର୍ଶାଯାଇନାହିଁ। ହୋଲ୍‍ଡିଂ ବାବଦକୁ ହୋଟେଲ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ସହ ଘରୋଇ ଦେୟ ପୌରସଂସ୍ଥାରେ ପହଞ୍ଚିବା ପୂର୍ବରୁ ବାଟମାରଣା ହେଉଛି। ତେବେ କେବଳ ପୌରସଂସ୍ଥା ଓ ଲଜିଂ ହାଉସ୍‍ ଫଣ୍ଡ ଦୁଇଟି ସଂସ୍ଥାର ତଥ୍ୟକୁ ବିଚାରକୁ ନେଲେ ହୋଲ୍‍ଡିଂ ଘୋଟାଲା ସ୍ପଷ୍ଟ ହୋଇଛି। ଏହି ମୂଳ ବାଉଳା ଥିବାରୁ ଆଗକୁ ସବୁ ହିସାବ ଭୁଲ ହେଉଛି। ତେବେ ଏହି ସବୁର ସଠିକ୍‌ ହିସାବ ରହିଛି। କିନ୍ତୁ ୧୨ ଦିନ ହେବ ଟାକ୍ସ ଦାରୋଗା ନାରାୟଣ ମହାପାତ୍ରଙ୍କର ମୃତ୍ୟୁ ହୋଇଥିବାରୁ ହିସାବ ତାଙ୍କ ପାଖରେ ରହିଛି। ଆଲମାରୀ ଖୋଲିବା ପରେ ହିସାବ ଜଣାପଡ଼ିବ ବୋଲି ପୌରସଂସ୍ଥା କହିଛି। ଅନ୍ୟପଟେ ପୌରସଂସ୍ଥାର ରାଜସ୍ୱ ଆୟ ଉଦ୍‍ବେଗଜନକ ଭାବରେ କମୁଥିବାରୁ ଗୃହ ଓ ନଗର ଉନ୍ନୟନ ବିଭାଗ ବାରମ୍ବାର ପୌରସଂସ୍ଥାକୁ ତାଗିଦ କରିଛି। ନିକଟ ଅତୀତରେ ଏକ ସ୍ୱତନ୍ତ୍ର ଚିଠି ଦ୍ଵାରା ଏହି ରାଜସ୍ୱ ବୃଦ୍ଧି ନେଇ ଚିଠି ଲେଖିଛି। ଏଥିପାଇଁ ବାରମ୍ବାର ବୈଠକ ମଧ୍ୟ ବସିଛି। ହେଲେ ହୋଲ୍‍ଡିଂ ଟାକ୍ସକୁ ନେଇ କଥା ଆଗକୁ ବଢ଼ି ପାରୁନାହିଁ। ବେଆଇନ ଭାବରେ ବିନା ହୋଲ୍‍ଡିଂ ନମ୍ବରରେ ବଡ଼ ବଡ଼ ହୋଟେଲ ଛିଡ଼ା ହୋଇଛି। ଏହି ଟାକ୍ସ ରାକେଟରେ ପ୍ରଭାବଶାଳୀ ବ୍ୟକ୍ତି ଥିବାରୁ ପୌରସଂସ୍ଥା କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହିଁ। ଫଳରେ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେଉଥିବା ବେଳେ କେତେକ ମାଲାମାଲ ହେଉଛନ୍ତି।

ସମ୍ବନ୍ଧିତ ଖବର