କରୋନା ରୋକିବାକୁ ବଡ଼ ଅଭିଯାନ : ରାଜଧାନୀରେ ୭ଦିନରେ ୫୦୦୦ ସ୍ବାବ୍ ପରୀକ୍ଷା ହେବ

ଭୁବନେଶ୍ବର ହଟସ୍ପଟ୍ ଘୋଷଣା ପରେ ସରକାରୀ ତନାଘନା

ସ୍ବତନ୍ତ୍ର କ୍ୟାମ୍ପ ହୋଇ ନମୁନା ସଂଗ୍ରହ ହେବ, ଭ୍ୟାନ୍ ବି ବୁଲିବ
ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ

ଭୁବନେଶ୍ବର : ଭୁବନେଶ୍ବରରେ ଆସନ୍ତା ୭ ଦିନ ମଧ୍ୟରେ କେବଳ ୫୦୦୦ ଲୋକଙ୍କର ସ୍ବାବ୍ ଟେଷ୍ଟ ହେବ। କରୋନା କ୍ଷେତ୍ରରେ ସବୁଠାରୁ ସମ୍ବେଦନଶୀଳ ବୋଲି ବିବେଚନା କରାଯାଉଥିବା ବ୍ୟକ୍ତିଙ୍କୁ ସରକାର ଚିହ୍ନଟ କରି ସେମାନେ କୋଭିଡ୍-୧୯ ପଜିଟିଭ୍ ଅଛି କି ନାହିଁ, ତାହା ଜାଣିବାକୁ ଚେଷ୍ଟା କରିବେ। ଅଧିକାଂଶ କରୋନା ସଂକ୍ରମିତଙ୍କର କୌଣସି ଲକ୍ଷଣ ପ୍ରକାଶ ପାଉନଥିବା କାରଣରୁ କାଳେ ସମସ୍ତଙ୍କ ଅଲକ୍ଷ୍ୟରେ ଆଉ କେଉଁଠାରେ କରୋନା ପଜିଟିଭ୍ ରହିଥିବ, ହଠାତ୍ ଏହା ପୁଣି ବ୍ୟାପକ ରୂପ ନେଇପାରେ। ଏମିତି ଆଶଙ୍କା କରି ସରକାର ସପ୍ତାହବ୍ୟାପି ବଡ଼ ଧରଣର ଅଭିଯାନ ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଲୁଚି ରହିଥିବା ସଂକ୍ରମିତଙ୍କୁ ସାମ୍ନାକୁ ଆଣିବା ଓ ସଂପୃକ୍ତ ବ୍ୟକ୍ତି ଅନ୍ୟକୁ ସଂକ୍ରମିତ କରିବା ପୂର୍ବରୁ ତାଙ୍କୁ ଠାବ କରିବା।

ଆଜି ମୁଖ୍ୟଶାସବ ସଚିବ ଅସିତ କୁମାର ତ୍ରିପାଠୀ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ କରି ଏଭଳି ସୂଚନା ଦେବା ସହିତ ସତର୍କ କରାଇ ଦେଇଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କର ସ୍ବାବ୍ କରିବା ପାଇଁ ସ୍ବାସ୍ଥ୍ୟ କର୍ମୀ ଆଦି ପରାମର୍ଶ ଦେବେ, ସେମାନଙ୍କୁ ଅବଶ୍ୟ ମାନିବାକୁ ପଡ଼ିବ। ଅନ୍ୟଥା ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।

କାହାର ନମୁନା ପରୀକ୍ଷା
ଦେଶ, ରାଜ୍ୟ ବାହାରୁ ଆସିଥିଲେ
କରୋନା ଲକ୍ଷଣ ରହିଥିଲେ
 ସଂକ୍ରମିତଙ୍କ ସହ ପ୍ରତ୍ୟକ୍ଷ ସଂପର୍କ
  କୋଭିଡ୍ ହସ୍ପିଟାଲର ସ୍ବାସ୍ଥ୍ୟ କର୍ମୀ
   ଫ୍ଲୁ ଭଳି ଆକ୍ରାନ୍ତ ଲକ୍ଷଣ ଥିଲେ
ସାହି ବସ୍ତିରେ ରହୁଥିବା ବ୍ୟକ୍ତିବିଶେଷ
ସ୍ୱାସ୍ଥ୍ୟକର୍ମୀ, ପୁଲିସ ଓ ଜରୁରୀ ସେବାରେ ଥିଲେ
୬୦ଓ ୬୦ରୁ ଅଧିକ ବୟସ୍କ ବ୍ୟକ୍ତି
ଡାଇବେଟିସ୍ ଓ ଉଚ୍ଚରକ୍ତଚାପ ରୋଗୀ
ଯେ କୌଣସି ସାଧାରଣଲୋକ

ଏହି ଅଭିଯାନକୁ ସଫଳ କରିବା ଲାଗି ସରକାରଙ୍କ ପକ୍ଷରୁ ସାହି ମୁରବୀ, ବିଭିନ୍ନ କଲୋନିର ମୁଖିଆ, ପୂଜା କମିଟି କର୍ମକର୍ତ୍ତା ପ୍ରମୁଖଙ୍କ ସହଯୋଗ ଲୋଡ଼ିଛନ୍ତି। ଅଧିକରୁ ଅଧିକ ଲୋକ କିଭଳି ସ୍ବତଃ ଆସି ନିଜର ନମୁନା ପରୀକ୍ଷା କରାଇ ନେଇ ଭୁବନେଶ୍ବର ମୁଣ୍ଡରେ ଲାଗିଥିବା ହଟସ୍ପଟ୍ କଳଙ୍କ ଛଡ଼ାଇବେ ସେ ଦିଗରେ ଉଦ୍ୟମ କରାଇବା ଲାଗି ମୁଖ୍ୟ ସଚିବ ନିବେଦନ କରିଛନ୍ତି।

ସ୍ବାସ୍ଥ୍ୟବିଭାଗ ଯେଉଁ ତାଲିକା କରିଛି, ତାହାକୁ ଆଧାର କରି କେଉଁମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ଅଥବା ସ୍ବାବ୍ ଦେବେ, ସେମାନଙ୍କ ସଂପର୍କରେ ବି ମୁଖ୍ୟସଚିବ ସୂଚନା ଦେଇଛନ୍ତି। ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଯେଉଁମାନେ ବିଦେଶରୁ ଫେରିଥିବେ, ଯିଏ ପ୍ରତ୍ୟକ୍ଷ ଭାବେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବେ, ଯେଉଁମାନେ କରୋନା ସନ୍ଦିଗ୍ଧଙ୍କ ସ୍ବାସ୍ଥ୍ୟପରୀକ୍ଷା ଆଦି କରିଛନ୍ତି ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ନମୁନା ଦେବାକୁ ହେବ। ସେହିଭଳି ଯାହା ପାଖରେ ଫ୍ଲୁ ଭଳି ଲକ୍ଷଣ ଅଛି, ଦେଶର ଅନ୍ୟ ହଟସ୍ପଟ୍ ସହରରୁ ଫେରିଛନ୍ତି, ଯେଉଁମାନେ ସାମାଜିକ ଦୂରତ୍ବ ରଖିପାରିନାହାନ୍ତି, ସେମାନଙ୍କର ନମୁନା ସଂଗ୍ରହ କରି ପରୀକ୍ଷା କରାଯିବ। ଏହାବ୍ୟତୀତ ପୁଲିସ, ସ୍ବାସ୍ଥ୍ୟ କର୍ମୀ, କୋଭିଡ୍ ହସ୍ପିଟାଲରେ କାମ କରୁଥିବା ବ୍ୟକ୍ତି, ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଡାଇବେଟିସ୍ ଆକ୍ରାନ୍ତଙ୍କ ଭଳି ବ୍ୟକ୍ତିବିଶେଷଙ୍କର ପରୀକ୍ଷା ହେବ। କିଛି ସାଧାରଣ ଲୋକଙ୍କର ମଧ୍ୟ ଏହି କ୍ରମରେ ସ୍ବାବ୍ ପରୀକ୍ଷା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସରକାରଙ୍କ ପକ୍ଷରୁ କ୍ୟାମ୍ପ ଖୋଲାଯିବ ଓ କିଛି ମୋବାଇଲ୍ ଭ୍ୟାନ୍ ବି ବୁଲିବ। ସ୍ବାସ୍ଥ୍ୟ କର୍ମୀମାନେ ଯାହାକୁ ପରୀକ୍ଷା ପାଇଁ ଚିହ୍ନଟ କରିବେ, ସେମାନେ ସ୍ବତଃ ସରକାରଙ୍କ କ୍ୟାମ୍ପ ବା ମୋବାଇଲ୍ ଭ୍ୟାନରେ ନମୁନା ଦେବେ। ସ୍ବାସ୍ଥ୍ୟ କର୍ମୀ ଆଦି ମୋବାଇଲ୍ ଭ୍ୟାନରେ ପିପିଇ ପିନ୍ଧି ନମୁନା ସଂଗ୍ରହ କରିବେ। ଯେଉଁମାନେ ପଜିଟିଭ୍ ବାହାରିବେ, ସେମାନେ ତିନିଟି ଶ୍ରେଷ୍ଠ କୋଭିଡ୍ ହସ୍ପିଟାଲ ସମ୍, କିମ୍ସ ଓ ଅଶ୍ବିନୀରେ ମାଗଣା ଚିକି୍ତ୍ସା ପାଇବେ। ଏହାଦ୍ବାରା ତାଙ୍କ ପରିବାରକୁ ସୁରକ୍ଷିତ ରଖିପାରିବେ ବୋଲି କୁହାଯାଇଛି।

ସରକାର ଆଜି ପରିସଂଖ୍ୟାନ ଦେଇ କହିଛନ୍ତି ଯେ ଏବେ ଯାଏ ସାରା ରାଜ୍ୟରେ ୭୫୭୭ଟି ନମୁନା ପରୀକ୍ଷା ହୋଇଛି। ଯେଉଁଥିରୁ ମାତ୍ର ୬୦ ଜଣଙ୍କ ଠାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯ ଜଣ ସୁସ୍ଥ ହୋଇ ଘରକୁ ଗଲେଣି। ଭୁବନେଶ୍ବରରେ ଯେଉଁ ୪୬ଟି ପଜିଟିଭ୍ ଚିହ୍ନଟ ହୋଇଛି, ସେଥିପାଇଁ ଏହି ସହରକୁ ହଟସ୍ପଟ୍ କରାଯାଇଛି। ଏଥିରୁ ୪୫ ଜଣ ସ୍ଥାନୀୟ ଅଞ୍ଚଳର ଓ ଜଣେ ବାହାରୁ ଆସିଥିଲେ ହେଁ,ଏହାକୁ ଭୁବନେଶ୍ବରର ବୋଲି ବିବେଚନା କରାଯାଉଛି। ସେହିଭଳି ଭୁବନେଶ୍ବରରେ ଏବେ ସୁଦ୍ଧା ୧୯୫୮ଟି ନମୁନା ପରୀକ୍ଷା କରାଯାଇଛି। ଗତ ଦୁଇ ଦିନ ଧରି କୌଣସି ବ୍ୟକ୍ତିଙ୍କ ଠାରୁ ଆଉ ପଜିଟିଭ୍ ଚିହ୍ନଟ ହୋଇନାହିଁ, ଯାହା ଏକ ଭଲ ଲକ୍ଷଣ। ହେଲେ କାଳେ କେଉଁଠି କୌଣସି ବ୍ୟକ୍ତିଙ୍କ ନିକଟରେ କରୋନା ଭୂତାଣୁ ଲୁଚିିକି ଥିବ, ମାତ୍ର ଲକ୍ଷଣ ନଥିବ, ଏବଂ ସଂପୃକ୍ତ ବ୍ୟକ୍ତି କୌଣସି ସମ୍ବେଦନଶୀଳ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ, ପୁଣି ଥରେ କରୋନା ବ୍ୟାପିବ, ସେଥିପାଇଁ ସରକାର ଏତେବଡ଼ ନମୁନା ପରୀକ୍ଷା କରିବାକୁ ଚାହିଁଛନ୍ତି।

ମୁଖ୍ୟସଚିବ ଆହୁରି କହିଛନ୍ତି ଯେ ଅନ୍ତର୍ଜାତିକ ସ୍ତରର ବିଶେଷଜ୍ଞଙ୍କ ସହିତ ଆଲୋଚନା କରିବା ପରେ ଓ ଦେଶର ବଡ଼ ବଡ଼ ସହରର ପରିସଂଖ୍ୟାନ ଦେଖିଲା ପରେ ସ୍ଥିର ହୋଇଥିଲା ଯେ ଏବେ ଅଧିକ ସଂଖ୍ୟକ ନମୁନା ପରୀକ୍ଷା କରାଯିବ। ଏଥିପାଇଁ ଭୁବନେଶ୍ବରକୁ ତିନିଟି ଜୋନରେ ବିଭକ୍ତ କରାଯାଇଛି। ପ୍ରତି ଜୋନ ଦାୟିତ୍ବରେ ୨ବରିଷ୍ଠ ଆଇଏଏସ୍ ଅଛନ୍ତି। ସେମାନେ ତଦାରଖ କରୁଛନ୍ତି। ସାରା ଭାରତବର୍ଷରେ ଏତେ ବଡ଼ ସଂଖ୍ୟାରେ ନମୁନା ପରୀକ୍ଷା ଆଜିଯାଏ କେଉଁଠି ହୋଇନାହିଁ। ସ୍ବାବ୍ ପରୀକ୍ଷା ପରେ ଯଦି କିଛି ବି ପଜିଟିଭ୍ ନ ବାହାରିଲା, ତେବେ ଜଣାପଡିବ ଯେ ଭୁବନେଶ୍ବରରେ ଆଉ ସଂକ୍ରମଣ ନାହିଁ। ଏବେ ରାଜ୍ୟର ୭ଟି ସ୍ଥାନରେ ପରୀକ୍ଷା ଅନୁମତି ରହିଛି। ଆପୋଲକୁ ଛାଡିଦେଲେ ଅନ୍ୟମାନେ ସେମାନଙ୍କ ପରୀକ୍ଷା ପ୍ରକ୍ରିୟା ଜାରି ରଖିଛନ୍ତି। ନମୁନା ପରୀକ୍ଷା ସଂଖ୍ୟା ବଢାଇବା ଦିଗରେ ସରକାର ପଦକ୍ଷେପ ନେଉଛନ୍ତି େବାଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର