କୋଣାର୍କ: ବିଶ୍ବ ଏୗତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନରୁ ବାଲି କଢ଼ାଯିବା ନେଇ ଶନିବାର ଏଏସ୍ଆଇ ଏଡିଜିଙ୍କ ନେତୃତ୍ବରେ ଏକ ୧୫ଜଣିଆ ବିଶେଷଜ୍ଞ ଦଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏ ନେଇ ଆଜି ମନ୍ଦିର ପରିସରରେ ଏଏସ୍ଆଇର ଅତିରିକ୍ତ ଡିଜି ଜାହ୍ନବୀ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଡିବି ଗଡ଼ନାୟକଙ୍କ ସହିତ ଆଇଆଇଟି ଦିଲ୍ଲୀ, ଖଡ଼ଗପୁର ଓ ଚେନ୍ନାଇରୁ ଆସିଥିବା ୧୫ ଜଣିଆ ବୈଷୟିକ ଦଳ ୬ ଘଣ୍ଟା ଧରି ଟିକିନିଖି ତର୍ଜମା କରିଥିଲେ। ପରେ ଜଗମୋହନର ଉପର ଭାଗକୁ ଚଢ଼ି ସ୍ଥିତି ପରଖିଥିଲେ। ଜଗମୋହନର ସୁରକ୍ଷା ସହିତ ସୂର୍ଯ୍ୟମନ୍ଦିର କାରୁକାର୍ଯ୍ୟରେ କିଭଳି ଆଞ୍ଚ ନ ଆସିବ, ସେ ନେଇ ବିଚାରବିମର୍ଶ କରାଯାଇଥିଲା। ଗର୍ଭଗୃହରୁ ବାଲି ବାହାର କରିବା ସଂପର୍କରେ ଅତିରିକ୍ତ ନିର୍ଦ୍ଦେଶକ ଜାହ୍ନବୀ ଶର୍ମା କହିଛନ୍ତି, ମନ୍ଦିର ସ୍ଥିତି ଠିକ୍ ଅଛି। ତେବେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ବିଶେଷଜ୍ଞ ଦଳର ଅନୁଧ୍ୟାନ ପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ।
ମନ୍ଦିରରୁ ଶୀଘ୍ର ବାହାରିବ ବାଲି8ଏଏସ୍ଆଇର ୧୫ଜଣିଆ ବିଶେଷଜ୍ଞ ଟିମ୍
ଏଠାରେ ସୂଚନାଯୋଗ୍ୟ, ୧୯୦୩ ମସିହାରୁ ୧୯୦୯ ମସିହା ମଧ୍ୟରେ ସୂର୍ଯ୍ୟମନ୍ଦିର ଜଗମୋହନରୁ ପଥର ଖସିବାରୁ ତତ୍କାଳୀନ ଇଂରେଜ ସରକାର ଗର୍ଭଗୃହରେ ସମ୍ପୂର୍ଣ୍ଣ ବାଲି ଭର୍ତ୍ତି କରି ଏହାର ସମସ୍ତ ପ୍ରବେଶ ପଥକୁ ବନ୍ଦ କରିଦେଇଥିଲେ। ୧୩ଶହ ଶତାବ୍ଦୀରେ ନିର୍ମିତ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହ ୧୨୦ ବର୍ଷ ପରେ ପୁଣି ଖୋଲାଯିବା ନେଇ ଏଏସ୍ଆଇ ପକ୍ଷରୁ ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା। ୨୦୨୩ ଜାନୁଆରି ୩ ତାରିଖରୁ ବାଲିକଢ଼ା କାର୍ଯ୍ୟର ପ୍ରସ୍ତୁତି ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିଥିଲା। ମାତ୍ର କୌଣସି କାରଣରୁ ଏହି ପ୍ରସ୍ତୁତି କାର୍ଯ୍ୟକୁ ବନ୍ଦ କରିଦିଆଯାଇଥିଲା। ଏଏସ୍ଆଇ ପକ୍ଷରୁ ନିଯୁକ୍ତ ଠିକା ସଂସ୍ଥା ‘ବିଡିଆର୍’ ଦ୍ୱାରା ପୁଣି ୫ମାସ ପରେ ଯୋଜନା ମୁତାବକ କ୍ରେନ୍ ସାହାଯ୍ୟରେ ବଡ଼ବଡ଼ ଲୁହାବିମ୍ ଲଗାଇ କାର୍ଯ୍ୟ ଆରମ୍ଭ କରାଯାଇଛି। ସେହିପରି ମନ୍ଦିରର ଉତ୍ତର ଓ ପଶ୍ଚିମ କୋଣରେ ଲିଫ୍ଟ ସ୍ଥାପନ ପାଇଁ ମୂଳଦୁଆ ନିର୍ମାଣ ପରେ ଲୁହାବିମ୍ ଲଗାଯାଇଥିଲା। ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସ୍ୱତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡ଼ାର ଗର୍ଭଗୃହରେ ରହିଥିବା ୧୨୦ବର୍ଷର ଏହି ବାଲିଗୁଡ଼ିକୁ ପର୍ଯ୍ୟାୟକ୍ରମେ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ବାହାର କରାଯାଇ ସେଠାରୁ ପାଇପ୍ ଯୋଗେ ଉତ୍ତରପଶ୍ଚିମ କୋଣରେ ରଖାଯିବ। ବାଲି ନିଷ୍କାସନ ପରେ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ବାର ସବୁଦିନ ପାଇଁ ଖୋଲି ଦିଆଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/08/h3sVnTUVmOTFWCaiWuKD.jpg)