ଚିନ୍ତା ବଢ଼େଇଲେ ରୋଷେୟା, ଝାଡ଼ୁଦାର

ପଜିଟିଭ୍‌ ସଂଖ୍ୟାରେ ଯାଜପୁରକୁ ଟପିଲା ବାଲେଶ୍ବର

ବାଲେଶ୍ବର/ବାହାନଗା/ସୋର/ଔପଦା : ବାଲେଶ୍ବରରେ କୋରନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ଯାଜପୁର ଜିଲ୍ଲାକୁ ଅତିକ୍ରମ କରି ଦ୍ବିତୀୟ ସ୍ଥାନରେ ପହଞ୍ଚିଛି। ଆଜି ପୁଣି ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ରୋଗୀସଂଖ୍ୟା ୯୦କୁ ଛୁଇଁଛି। ୩୩ ଜଣଙ୍କ ମଧ୍ୟରୁ ୩୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ତେବେ, ସଂକ୍ରମିତ ହୋଇଥିବା ଜଣେ ରୋ‌ଷେୟା ଓ ଅନ୍ୟଜଣେ ଝାଡ଼ୁଦାର‌ ପ୍ରଶାସନ ପାଇଁ ଚିନ୍ତା ବଢ଼ାଇଛନ୍ତି। ଏହା ଭିତରେ ଏକ ଭଲ ଖବର ହେଉଛି ଆଜିର ୯ ଜଣଙ୍କୁ ମିଶାଇ ୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆଜି ବାହାନଗା ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ ୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆରୁହାବାଡ଼ ପଂଚାୟତରୁ ୫, ଅଭଣା ପଞ୍ଚାୟତରୁ ୩ , ଚିତ୍ତୋଳ ପଂଚାୟତରୁ ୬, କୁରୁଡ଼ା ପଂଚାୟତରୁ ୩, ଖରାସାହାପୁର ପଂଚାୟତରୁ ୫ ଓ ବରିପଦା ପଞ୍ଚାୟତରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଗୁଜୁରାଟ ଓ ସୁରତ ଫେରନ୍ତା। ଆକ୍ରାନ୍ତଙ୍କ ଭ୍ରମଣ ବିବରଣୀ ଯାଞ୍ଚ୍ କରିବା ସହ କୋଭିଡ୍‌ ହସ୍ପିଟାଲ ପଠାଯାଇଥିବା ସୂଚନା ମିଳିଛି। ତେବେ, ସଂଗରୋଧ କେନ୍ଦ୍ରର ଜଣେ ରୋଷେୟା ଚିହ୍ନଟ ହୋଇଥିବାରୁ ଆଶଙ୍କା ବଢ଼ିଛି। ଏହି ରୋଷେୟା ଜଣକ ଘରକୁ ଯାଉଥିବା ସହ ଗ୍ରାମରେ ବୁଲାବୁଲି କରିଥିବା ଅଭିଯୋଗ ହୋଇଛି। ଫଳରେ, ସମ୍ପୃକ୍ତ ପଂଚାୟତକୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ମାତ୍ର, କିଛି କ୍ବାରାଣ୍ଟିନ୍ କେନ୍ଦ୍ରରେ ଲୋକେ ଘରୁ ଖାଦ୍ୟ ମଗାଇ ଖାଉଥିବାର ଅଭିଯୋଗକୁ ବ୍ଲକ୍‌ ପ୍ରଶାସନ ଖଣ୍ଡନ କରିଛନ୍ତି।

ସେହିଭଳି, ଔପଦା ବ୍ଲକ୍‌ ଅନ୍ତର୍ଗତ ବଡ଼ପୋଖରୀ ସଙ୍ଗରୋଧ କେନ୍ଦ୍ରରୁ ଆକ୍ରାନ୍ତ ହୋଇଥିବା ଜଣେ ଝାଡ଼ୁଦାରଙ୍କୁ ନେଇ ମଧ୍ୟ ପ୍ରଶାସନର ଚିନ୍ତା ବଢ଼ିଛି। ଏହି ବ୍ଲକ୍‌ରେ ୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଝାଡ଼ୁଦାର ସଙ୍ଗାରୋଧ କେନ୍ଦ୍ରରୁ ଘରକୁ ଫେରୁଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଓ ପଂଚାୟତକୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି। ଯଦି ସତ ହୋଇଥାଏ, ପୁଣିଥରେ ପ୍ରଶାସନକୁ ସମ୍ପର୍କରେ ଆସିଥିବା ଲୋକଙ୍କୁ ଠାବ କରିବାକୁ ପଡ଼ିବ। ତେବେ, ଏହି ସଂଗରୋଧ କେନ୍ଦ୍ରରୁ ଆଉ କୌଣସି ପ୍ରବାସୀ କରୋନା ଚିହ୍ନଟ ହୋଇନାହାନ୍ତି। ଗତ ୯ ତାରିଖରେ ବଡ଼ପୋଖରୀ ପଞ୍ଚାୟତ ଓ ଅଘିରାପଦା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ଥିବା ୫୦ ଜଣ ପ୍ରବାସୀ ଓଡ଼ିଆଙ୍କ ଠାରୁ ସ୍ୱାବ ନିଆଯାଇଥିଲା।

ସୋର ବ୍ଲକରୁ ୩ ଜଣ ଓ ବସ୍ତା ବ୍ଲକରୁ ଜଣେ ଆକ୍ରାନ୍ତ ହୋଇଛନ୍ତି। ବସ୍ତା ବ୍ଲକ ଆକ୍ରାନ୍ତଜଣକ ଅମର୍ଦାରୋଡ୍‌ ଅଞ୍ଚଳର ହୋଇଥିବାବେଳେ ସୋରରେ ଶରଶଙ୍ଖ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ୨ ଜଣ ଏବଂ ବେଲଦା ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ‌ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ କୋଭିଡ୍‌ ହସ୍ପିଟାଲକୁ ନିଆଯାଇଛି। ‌୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏହିସବୁ ଅଞ୍ଚଳରେ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍‌ କରାଯାଇଥିଲା।

ଅନ୍ୟପକ୍ଷରେ, ଆଜି କରୋନା ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ଆଇଏଏସ ଅଧିକାରୀ ମଧୁସୂଦନ ପାଢ଼ୀ ଓ ରତ୍ନାକର ରାଉତ ବାଲେଶ୍ବରର କରୋନା ମୁକାବିଲା ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର