ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାକୁ ୪୮ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବିତିଗଲାଣି। କିନ୍ତୁ ଏବେ ବି ବହୁ ଶବ ପରିଚୟ ଅପେକ୍ଷାରେ ରହିଛନ୍ତି। ଶବଗୁଡ଼ିକୁ ସୁରକ୍ଷିତ ଭାବେ ସେମାନଙ୍କ ପରିବାର ଓ ସଂପର୍କୀୟଙ୍କୁ ହସ୍ତାନ୍ତର କରିବା ପାଇଁ ୧୫୦ରୁ ଊର୍ଦ୍ଧ୍ବ ଶବ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲ ଶବାଗୃହରେ ରଖାଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅଧିକାଂଶ ଆହତଙ୍କୁ ଏଠାରେ ଚିକିତ୍ସା କରାଯାଉଛି। ଏହି ଲୋମଟାଙ୍କୁରା ଦୁର୍ଘଟଣାରେ ୨୭୫ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାକୁ ତିନିଦିନ ବିତି ସାରିଛି।
ଏହି ଦୁର୍ଘଟଣାକୁ ନେଇ ଅନେକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଲୋମଟାଙ୍କୁରା ଦୁର୍ଘଟଣାର ଶିକାର ହୋଇଥିବା ସରକାରୀ କର୍ମଚାରୀ ଏମ୍ କେ ଦେବ କହିଛନ୍ତି, ‘ ମୁଁ ନିଜର ଆଠବର୍ଷର ଝିଅ ସ୍ବାତୀଙ୍କ ସହିତ ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସରେ ଯାତ୍ରା କରୁଥିଲି। ଏହି ଯାତ୍ରା ସମୟରେ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବ କି ଝିଅର ଜିଦ ପାଇଁ ମୋର ଜୀବନ ବଞ୍ଚିଯାଇଛି। ଝିଅ ସହିତ ବସିବା ଲାଗି ଖଡ଼ଗପୁରରୁ ଟ୍ରେନରେ ଚଢ଼ିଥିଲି। କଟକରେ ଓହ୍ଲାଇବାର ଥିଲ। କାରଣ ଶନିବାର ଦିନ ଡାକ୍ତରଙ୍କ ସହିତ ଦେଖା କରିବାର ଥିଲା। ଏଥିପାଇଁ ଥାର୍ଡ ଏସିରେ ଯାତ୍ରା କରିବା ପାଇଁ ଟିକେଟ କାଟିଥିଲି। କିନ୍ତୁ ଝିଅ ଝରକା ପାଖରେ ବସିବାକୁ ଜିଦ କରିଥିଲା।
ଏହାପରେ ମୁଁ ଟିକେଟ ଯାଞ୍ଚରେ ଥିବା ଟ୍ରେନ କର୍ମଚାରୀଙ୍କୁ ସିଟ ବଦଳାଇବା ପାଇଁ ଅନୁରୋଧ କରିଥିଲି। ସେ ମୋ ଅନୁରୋଧ ରକ୍ଷା କରି ଅନ୍ୟ ଏକ ବଗିକୁ ନେଇ ଯାଇଥିଲେ। ଯେଉଁଠାରେ ବସିଥିବା ଦୁଇଜଣ ଯାତ୍ରୀଙ୍କ ସହିତ ଆମର ସିଟ ଅଦଳବଦଳ ହୋଇଥିଲା।
ଏହାର କିଛି ସମୟ ପରେ ଘଟିଲା ଭୟଙ୍କର ଟ୍ରେନ ଦୁର୍ଘଟଣା । ଯେଉଁଥିରେ ଆମେ ବସିଥିବା ବଗି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ ଯେଉଁ ସିଟ୍ ଲାଗି ମୂଳତଃ ଆମର ଟିକେଟ ହୋଇଥିଲା ସେ ବଗି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇ ଯାଇଥିଲା। ସେଥିରେ ବସିଥିବା ଅନେକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ମୁଁ ଜାଣିବାକୁ ପାଇଛି।’