କରୋନା ମହାମାରୀ ସମୟରେ ଫଳ ଓ ପରିବାକୁ ଗରମ ପାଣିରେ ଧୁଅନ୍ତୁ : ଡାକ୍ତର ସୋନୁ ଗୋୟଲ

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଲୋକମାନଙ୍କ ମନରେ ଜରୁରୀ ସାମଗ୍ରୀ ଘରକୁ ଆଣିବା ସମୟରେ କରୋନା ଭୂତାଣୁର ଶିକାର ହେବାର ଭୟ ସୃଷ୍ଟି ହୋଇଛି। କିଛି ଲୋକ ଭୟରେ ପନିପରିବା ଓ ଫଳକୁ ସାନିଟାଇଜର ସହାୟତାରେ ସଫା କରୁଥିବା ଦେଖିବାକୁ ମିଳୁଛି। ତେବେ ପନିପରିବା ଓ ଫଳକୁ ସାନିଟାଇଜରରେ ସଫା କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ପିଜିଆଇ ଚଣ୍ଡୀଗଡ଼ର କମ୍ୟୁନିଟି ମେଡିସିନ୍‌ ଡାକ୍ତର ସୋନୁ ଗୋୟଲ।

ଡା. ଗୋୟଲଙ୍କ ମତରେ ପନିପରିବା ଓ ଫଳରେ ଭୂତାଣୁ ୬-୮ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ। ଯଦି ଏହା କୌଣସି ଉତ୍ତାପର ସମ୍ମୁଖୀନ ହୁଏ ତାହାଲେ ୪ ଘଣ୍ଟାରୁ ବି କମ୍ ସମୟ ଜୀବିତ ରହିଥାଏ। ତେବେ ବାହାରୁ ପନିପରିବା କିମ୍ବା ଫଳକୁ ଆଣିଲେ ତାହାକୁ ସେହିଭଳି ପ୍ୟାକେ‌ଟରେ ୪ଘଣ୍ଟା ପାଇଁ ଛାଡ଼ି ଦେବା ଜରୁରୀ। ପରେ ଏହାକୁ ଗରମ ପାଣି କିମ୍ବା ଖାଇବା ସୋଡ଼ାରେ ସଫା କରିବା ଉଚିତ୍। ଫଳରେ ସେଥି‌ରେ ଭୂତାଣୁ ଭୟ ରହି ନ ଥାଏ। ମାତ୍ର ପନିପରିବା ଓ ଫଳରେ ସାନିଟାଇଜର ବ୍ୟବହାର କରିବା ଉଚିତ୍ ନୁହେଁ। ସାନିଟାଇଜରରେ ରହିଥିବା ରସାୟନିକ ପଦାର୍ଥର ଉପସ୍ଥିତି କାରଣରୁ ଏହା କ୍ଷତିକାରକ ହୋଇଥାଏ। ଏହାସହ ପନପରିବା ଓ ଫଳରେ ସାନିଟାଇଜର ଲଗାଇଲେ ଏହା କାମ ଦେଉଥିବାର କୌଣସି ପ୍ରମାଣ ନାହିଁ। ସାନିଟାଇଜର ହାତ, ଦେହ, ଧାତବ ପଦାର୍ଥ କିମ୍ବା ଷ୍ଟିଲ୍‌ରେ କାମ ଦେଇଥାଏ। କଦଳୀ ଓ ପିଆଜକୁ ୩-୪ ଘଣ୍ଟା ବାହାରେ ରଖିବା ପରେ ହିଁ ଏହାକୁ ଖାଇବା ଜରୁରୀ। ସେହିପରି ଔଷଧ ଷ୍ଟ୍ରିପ୍‌କୁ କିଣିବା ପରେ ସଙ୍ଗେ ସଙ୍ଗେ ଏହାକୁ ବ୍ୟବହାର ନ କରି କିଛି ଘଣ୍ଟା ପାଇଁ ଏକ ବାକ୍ସ ଭିତ‌ରେ ରଖି‌ଦେବା ଭଲ। ମାତ୍ର ଏହାକୁ ସିଧାସଳଖ ଖରାରେ ରଖିବା ଉଚିତ୍ ନୁହେଁ। ଛେନା ଓ କ୍ଷୀର ପ୍ୟାକେଟ୍‌ ଘରକୁ ଆଣିବା ପରେ ଏହାକୁ ସାବୁନ ପାଣିରେ ଧୋଇବା ସହିତ ପ୍ୟାକେ‌ଟକୁ ନଷ୍ଟ କରିବା ଜରୁରୀ। ମାତ୍ର ଏହି ସମୟରେ ମାସ୍କ ପିନ୍ଧିବାକୁ ଭୁଲିଯିବା ଉଚିତ୍ ନୁହେଁ। ପ୍ଲାଷ୍ଟିକ୍, ଧାତବ ପଦାର୍ଥ ଓ ଥଣ୍ଡାପାନୀୟ କ୍ୟାନ୍‌ରେ ୨୪-୪୮ଘଣ୍ଟା ପର୍ଯ୍ୟନ୍ତ ଭୂତାଣୁ ବଞ୍ଚିପାରେ। ତେଣୁ ଏହାକୁ ଫ୍ରିଜ୍‌ରେ ନ ରଖି ଘରେ ଚଳାଚଳ କରୁ ନ ଥିବା ସ୍ଥାନରେ ସାଧାରଣ ତାପମାତ୍ରରେ ରଖିବା ଉଚିତ୍।

ଡା. ଗୋୟଲଙ୍କ କହିବା କଥା, ହୋଟେଲ କିମ୍ବା ଡେଲିଭରି ଫୁଡ୍‌ରେ କୌଣସି ପ୍ରକାର ସମସ୍ୟା ନାହିଁ। ମାତ୍ର ଖାଦ୍ୟକୁ ଦେବା ସମୟ‌ରେ ଏହା ‌ଏକାଧିକ ଲୋକଙ୍କ ହାତର ସଂସ୍ପର୍ଶରେ ଆସିଥାଏ। ତେଣୁ ଭୂତାଣୁ ସଂକ୍ରମଣର ଭୟ ରହିଥାଏ। ମହାମାରୀ ସମୟରେ ବାହାରୁ ଖାଦ୍ୟକୁ ଯଥାସମ୍ଭବ ଦୂରେଇବା ଉଚିତ୍। ପ୍ୟାକେ‌ଟକୁ ଯଥାସମ୍ଭବ ନଷ୍ଟ କରିଦେବା ଉଚିତ୍। କାର୍ଡବୋର୍ଡ ଉପରେ ସାନିଟାଇଜରର କୌଣସି ପ୍ରଭାବ ଦେଖିବାକୁ ମିଳି ନ ଥାଏ। ସେହିପରି ଖବରକାଗଜ, ନୋଟ୍‌ ଓ ବହିରେ ଭୂତାଣୁ ଦୀର୍ଘ ସମୟ ପର୍ଯ୍ୟନ୍ତ ତିଷ୍ଠିପାରେ ନାହିଁ। ତେବେ ଏହାକୁ ବ୍ୟବହାର କରିବା ପୂର୍ବରୁ ୨-୩ଘଣ୍ଟା ବାହାରେ ରଖିବା ଭଲ। ପେନ୍, ପେନସିଲ ବାକ୍ସରେ ସାନିଟାଇଜର କାମ ଦେଉଥିବାରୁ ଏହାକୁ ସାନିଟାଇଜ କରିପାରିବେ। ଏହି ସମୟରେ ଲୋକମାନେ ପିନ୍ଧୁଥିବା ଜୋତାକୁ ଘର ଭିତରକୁ ଆଣିବା ଉଚିତ୍ ନୁହେଁ। କାରଣ ବାହାରେ ସଂକ୍ରମିତ ବ୍ୟକ୍ତିଙ୍କ ଛେପ କିମ୍ବା ଅନ୍ୟାନ୍ୟ ପଦାର୍ଥକୁ ମାଡ଼ିଥିବାର ଆଶଙ୍କା ରହିଥାଏ। ତେଣୁ ଏହାକୁ ଯଥାସମ୍ଭବ ଘରଠାରୁ ଦୂରେଇ ରଖିବା ଉଚିତ୍। ନୂଆକରି କିଣିଥିବା ପୋଷାକ କିମ୍ବା ଜୋତାକୁ ୪୮ଘଣ୍ଟା ପର୍ଯ୍ୟନ୍ତ ବାହାରେ ରଖିବା ଉଚିତ୍। ନୂଆ ପୋଷାକକୁ ସଫା କରି ପିନ୍ଧିବାରେ କୌଣସି ସମସ୍ୟା ନାହିଁ। ଡାକ କିମ୍ବା କୋରିୟରକୁ ବାହାରେ ଖରାରେ ରଖିଦେବା ଭଲ।

ସମ୍ବନ୍ଧିତ ଖବର