କଡାକଡି ହେଲା କରୋନା କଟକଣା: ରାଉରକେଲାରେ ନିୟମ ପାଳନକାରୀଙ୍କୁ ପ୍ରଶଂସା, ଅମାନିଆଙ୍କୁ ଜରିମାନା

ରାଉରକେଲା: ଆଜି ରାଉରକେଲା ପ୍ରଶାସନ ପକ୍ଷରୁ ସହରରେ କରୋନା କଟକଣାକୁ ଅଧିକ କଡାକଡି କରିବା ଲାଗି ପଦକ୍ଷେପ ନିଆଯାଇଛି। ଆଜି ସକାଳୁ ରାଉରକେଲା ମହାନଗର ନିଗମ କମିଶନର  ଦିବ୍ୟଜ୍ୟୋତି ପରିଡା, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ  ଆବୋଲି ସୁନିଲ ନରବଣେ, ଆରଏମସି ଉପାୟୁକ୍ତ  ସୁଧାଂଶୁ ଭୋଇ, ଅତିରିକ୍ତ ତହସିଲଦାର ଅଭିଜିତ ମହନ୍ତ, ଆରଡ଼ିଏ ଓଏସଡ଼ି ଜିତେନ୍ଦ୍ର ମହାକୁଡ ପ୍ରମୁଖ ସହରର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ନିବେଦନ କରିଥିଲେ। ଯେଉଁ ବ୍ୟବସାୟୀମାନେ ମାସ୍କ ପିନ୍ଧିବା ଲାଗି ନିଜ ଦୋକାନ ସାମ୍ନାରେ ନିବେଦନ ଫଳକ ମାରିଥିଲେ ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଦୋକାନ ବାହାରେ ଗୋଲେଇ କାଟିଥିଲେ ସେମାନଙ୍କୁ ପ୍ରଶଂସା କରିବା ସହ ଯେଉଁମାନେ ଏପରି କରି ନଥିଲେ ସେମାନଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଥିଲେ।

ଏଥିସହିତ ଯେଉଁ ଦୋକାନୀମାନେ ମାସ୍କ ପିନ୍ଧି ନଥିଲେ କିମ୍ବା ଗାଡି ଚାଳକମାନେ ମାସ୍କ ପିନ୍ଧି ନଥିଲେ, ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା। ଆଜି ମୋଟ ୪୩,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ପୂର୍ବରୁ ରାଉରକେଲା ମହାନଗର ନିଗମ ପକ୍ଷରୁ ସଚେତନତା ସହ ଜରିମାନା ଆଦାୟ ଜାରି ରହିଥିବା ବେଳେ ଆଜି ଏହି ଅଭିଯାନକୁ କଡାକଡି କରାଯାଇଛି। ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର