ଭାରତରେ କରୋନା ସକ୍ରିୟ ମାମଲା ହାର କ୍ରମାଗତ ହ୍ରାସ ପାଉଛି

ନୂଆଦିଲ୍ଲୀ: ଭାରତରେ ମୋଟ କରୋନା ପଜିଟିଭ୍ ମାମଲା ତୁଳନାରେ ସକ୍ରିୟ ମାମଲା ହାର କ୍ରମାଗତ ହ୍ରାସ ପାଉଛି । ଏବେ ଦେଶରେ ମୋଟ ପଜିଟିଭ୍ ମାମଲା ମଧ୍ୟରେ ସକ୍ରିୟ ମାମଲା ମାତ୍ର ୧୫.୧୧% ଅର୍ଥାତ ୯,୪୦,୪୪୧ ରହିଛି।

ଅଗଷ୍ଟ ୧ ତାରିଖରେ ସକ୍ରିୟ ମାମଲା ୩୩.୩୨% ଥିବା ବେଳେ ସେପ୍ଟେମ୍ବର ୩୦ ତାରିଖରେ ଏହା ୧୫.୧୧%କୁ ହ୍ରାସ ପାଇଛି, ଯାହାକି ଦୁଇ ମାସ ମଧ୍ୟରେ ଅଧାରୁ କମ୍ ରହିଛି।

ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥତା ହାର କ୍ରମାଗତ ବୃଦ୍ଧି ପାଇ ୮୩.୩୩%କୁ ଛୁଇଁଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୮୬,୪୨୮ଜଣ ସୁସ୍ଥ ହୋଇଛନ୍ତି ।

ଦେଶରେ ଏବେ ମୋଟ ସୁସ୍ଥଙ୍କ ସଂଖ୍ୟା ୫୧,୮୭,୮୨୫ରେ ପହଞ୍ଚିଛି । ସୁସ୍ଥତା ସଂଖ୍ୟା ଏବଂ ସକ୍ରିୟ ମାମଲାର ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ଏବେ ୪୨ ଲକ୍ଷ (୪୨,୪୭,୩୮୪)କୁ ଅତିକ୍ରମ କରିଛି । ସୁସ୍ଥ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ପାର୍ଥକ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ଦେଶରେ ସକ୍ରିୟ ମାମଲା ହ୍ରାସ ପାଉଥିବାରୁ ସେପ୍ଟେମ୍ବର ୨୨ ବେଳକୁ ଏହି ସଂଖ୍ୟା ୧୦ ଲକ୍ଷ ତଳେ ରହିଥିଲା ।

The Economic Times

ସକ୍ରିୟ ମାମଲା ମଧ୍ୟରୁ ୭୬% ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ତାମିଲନାଡ଼ୁ, ଓଡ଼ିଶା, ଆସାମ, ଛତିଶଗଡ଼ ଏବଂ ତେଲଙ୍ଗାନାରୁ ଆସିଛି । ମହାରାଷ୍ଟ୍ରରୁ ସର୍ବାଧିକ ୨,୬୦,୦୦୦ ମାମଲା ଆସିଛି ।

ଟେଷ୍ଟ, ଟ୍ରାକ, ଟ୍ରେସ୍, ଟ୍ରିଟ, ଟେକ୍ନୋଲୋଜିର କୌଶଳ ପ୍ରୟୋଗ କରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସୁସ୍ଥ ହାର ବୃଦ୍ଧି କରୁଛନ୍ତି । ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫ ହଜାରରୁ କମ୍ ସକ୍ରିୟ ମାମଲା ରହିଛି ।

୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ସୁସ୍ଥଙ୍କ ମଧ୍ୟରୁ ୭୮% ଅଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୦,୦୦,୦୦୦ରୁ ଅଧିକ ସୁସ୍ଥ ହୋଇଥିବା ବେଳେ ଆନ୍ଧ୍ର ପ୍ରଦେଶରେ ୬,୦୦,୦୦୦ରୁ ଅଧିକ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୮୦,୪୭୨ଟି ସକ୍ରିୟ ମାମଲା ହୋଇଛି ।

ନୂତନ ମାମଲାରୁ ୭୬% ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ଏଥିରୁ ମହାରାଷ୍ଟ୍ରରେ ସର୍ବାଧିକ ପ୍ରାୟ ୧୫,୦୦୦ ଥିବା ବେଳେ କର୍ଣ୍ଣାଟକରେ ୧୦ ହଜାରରୁ ଅଧିକ ମାମଲା ଆସିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୭୯ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ୮୫% ୧୦ଟି ରାଜ୍ୟ ଔ କେନ୍ଦ୍ରଶାସିତ ଅଞ୍ଚଳ; ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ, ତାମିଲ ନାଡ଼ୁ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ର ପ୍ରଦେଶ । ଏଥିରୁ କେବଳ ମହାରାଷ୍ଟ୍ରରେ ୩୬% (୪୩୦ ମୃତ୍ୟୁ)ରୁ ଅଧିକ ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର