ଗୋଳନ୍ଥରା: ଭାବିଥିଲି ଏଥର ଭଲ ପାନଚାଷ ହୋଇଛି ବେଶ ଦୁଇପଇସା ଅଧିକା ରୋଜଗାର ହେବ। ଗଲା ମାର୍ଚ୍ଚ ଶେଷ ସପ୍ତାହରେ ବରଜରୁ ପାନ ତୋଳି ବଜାରରେ ବିକ୍ରି କରିବାକୁ ଆଶା ରଖି ବସିଥିଲୁ। ହେଲେ କରୋନା ପାଇଁ ଲକ୍ଡାଉନ୍ ସବୁ ସ୍ବପ୍ନକୁ ପାଣିରେ ମିଳାଇ ଦେଲା। କରୋନାର ଭୟାବହତାକୁ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ଡାଉନ୍ ଘୋଷଣା କଲେ। ଗାଡ଼ି ମୋଟର ସାଙ୍ଗକୁ ଦୋକାନବଜାର ସବୁ ବନ୍ଦ ହୋଇଗଲା। ଏଭଳି ପରିସ୍ଥିତି ଦେଖିବା ବେଳେ ଆମର ଛାତି ଫାଟିଯାଉଛି। କମିତି ବଞ୍ଚିବୁ, ବର୍ଷ ତମାମ ପାନଚାଷରେ ପରିଶ୍ରମ କରି ଦୁଇପଇସା ରୋଜଗାର ପାଇଁ ଚେଷ୍ଟ କରୁଥୁବା ବେଳେ ପ୍ରତିବର୍ଷ କିଛି ନା କିଛି ବିପଦ ମାଡ଼ି ଆସୁଛି ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଅଗ୍ରଣୀ ପାନଚାଷୀ କୋଠାରସିଂ ଗ୍ରାମର ଏନ.ତାରିଣୀ ରେଡି କହିଛନ୍ତି l
ମହାବାତ୍ୟାଠାରୁ ପ୍ରତିବର୍ଷ ଏଭଳି ବିପତ୍ତି ଲାଗି ରହିଥିବା ଲକ୍ଡାଉନ୍ ଯୋଗୁଁ ବାଡ଼ରେ ପାନ ପଚିବାକୁ ଲାଗିଲାଣି। ଏବେ ଆଉ ଅଣ୍ଟା ସଳଖି ପାରିବୁନି ଆଜ୍ଞା, ସବୁ ସରିଗଲା ବୋଲି ବାଷ୍ପରୋଧ କଣ୍ଠରେ ତାରିଣୀ ଏହା କହିଥିଲେ। ଫାଇଲିନ, ହୁଡ଼୍ହୁଡ଼୍, ତିତଲି, ଫନି ପରେ ଏବେ କରୋନା। ଏତେ ବିପତ୍ତି ସହି ଧାରକରଜ କରି ପିତୃ ପରମ୍ପରା ବ୍ୟବସାୟକୁ ବଞ୍ଚେଇବାକୁ ଚେଷ୍ଟା କରି ବିଫଳ ହେଉଥିବା ସରକାର ଜାଣୁଥିଲେ ମଧ୍ୟ କୌଣସି ସହାୟତା ପ୍ରଦାନ କରୁନାହାନ୍ତି l ଏମିତିକି ବ୍ୟାଙ୍କମଧ୍ୟ ପାନଚାଷ ପାଇଁ ଋଣ ପ୍ରଦାନ କରୁନାହାନ୍ତି l ରଙ୍ଗେଇଲୁଣ୍ଡା ବ୍ଲକ୍ର ମନ୍ତ୍ରୀଡ଼ି, ପାଲୁର, କୋଠାରସିଂ, ଗୋଳନ୍ଥରା, ପଞ୍ଚମା, ଶାସନପଦର ସମେତ ବିଭନ୍ନ ଅଂଚଳର ପାନ ଚାଷୀ ହତାଶ ହୋଇ ପଡ଼ିଛନ୍ତି। ଏଣିକି ଆଉ ପାନଚାଷ କରି ହେବନି ଏହା ଛାଡ଼ି ଅନ୍ୟ କୌଣସି ବ୍ୟବସାୟ କରିବାକୁ ପଡ଼ିବ ନହେଲେ ପରିବାର ଭାସିଯିବେ ବୋଲି ପଞ୍ଚମାର ପାନଚାଷୀ ଭଗବାନ ମଲ୍ଲିକ କହିଛନ୍ତି।